ରାଜ୍ୟରେ କାମ କରୁଥିବା ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କୁ କରୋନାରେ ସହାୟତା ପାଇଁ ଦାବୀ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ମହାମାରୀର ମୁକାବିଲା କରୁଥିବା ସ୍ୱାସ୍ଥ୍ୟକର୍ମୀମାନଙ୍କ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଏହି କରୋନା ଜନିତ ମୃତ୍ୟକାଳୀନ ସହାୟତା ରାଶି ୫୦ ଲକ୍ଷ ଓ ଆଜୀବନ ପୁର୍ନବେତନ ପ୍ରଦାନ ସହ ସେମାନଙ୍କୁ ସହିଦର ମାନ୍ୟତା ପ୍ରଦାନ କରିଛନ୍ତି, ଏଥିପାଇଁ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କୁ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ତରଫରୁ ଧନ୍ୟବାଦ ଦିଆଯାଇ ସଂଘ ପକ୍ଷରୁ କିଛି ଦାବୀ କରାଯାଇଛି । କରୋନା ଭଳି ମହାମାରୀର ମୁକାବିଲା ପାଇଁ  ସ୍ୱାସ୍ଥ୍ୟକର୍ମୀ ମାନଙ୍କ ସହ ଅନ୍ୟ ବିଭାଗର କର୍ମଚାରୀମାନେ ମଧ୍ୟ ଯୋଧ୍ୟା ଭାବେ କିପରି ସରକାରୀ କଳ ସୁଚାରୁ ରୂପେ ଚାଲି ପାରିବ ଓ ଅତ୍ୟାବଶ୍ୟକ ସେବା ସାଧାରଣ ଲୋକଙ୍କ ପାଖରେ ଉପଲବ୍ଧ ହୋଇପାରିବ ସେଥିପାଇଁ ଦିନରାତି କାମ କରୁଛନ୍ତି । ଏହି ଯୁଦ୍ଧରେ ମୁଖ୍ୟ ସୈନ୍ୟ ସାଜିଛନ୍ତି ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ହତଭାଗା ଯୁବ ଚୁକ୍ତିଭିତ୍ତିକ କର୍ମଚାରୀଗଣ ବୋଲି ସଂଘ କହିଛି । ରାଜ୍ୟ ସରକାରଙ୍କ ଏହି କୁତ୍ସିତ ଚୁକ୍ତିଭିତ୍ତିକ ନିୟମରେ ମାତ୍ର ୮୮୮୦ ଟଙ୍କା ମାସିକ ବେତନରେ ଯାହାକି ନିଜର ସପ୍ତମ ବେତନର ମୂଳ ଦରମା ବି ସରକାର ପ୍ରଦାନ କରୁନାହାନ୍ତି ଓ ସେମାନଙ୍କର ଜୀବନ ଜୀବିକା ଆଜି ସଙ୍କଟାପନ୍ନ ଅବସ୍ଥାରେ ରହିଛି ସେମାନଙ୍କ ପାଇଁ ବିଚାର କରିବା ଆବଶ୍ୟକ ବୋଲି ସଂଘ କହିଛି । ବିଶ୍ଵାସ ଓ ଭରସାର ମୁଳୁଦୁଆ ଉପରେ ଛିଡା ହେଇଥିବା ଗଣତାନ୍ତ୍ରିକ ବ୍ୟବସ୍ଥାକୁ ମଧ୍ୟ ବେଖାତିର କରାଯାଇ ତଳ ଶ୍ରେଣୀୟ କର୍ମଚାରୀ ମାନଙ୍କ ଉପରେ ଚୁକ୍ତିଭିତ୍ତିକ ଭଳି ଏକ ପ୍ରଥାକୁ ସରକାର ଲଦି ଦେଇଛନ୍ତି, ଅସହାୟ କର୍ମଚାରୀ ମାନଙ୍କ ସହ ସମସ୍ତ ଆଲୋଚନା ପର୍ଯ୍ୟାଲୋଚନା ପ୍ରତିଶ୍ରୁତି ଆଜି ମୂଲ୍ୟହୀନ ଓ ଅର୍ଥହୀନ ହୋଇ ପଡୁଛି ବୋଲି ସଂଘ କହିଛି । ପ୍ରତ୍ୟେକ ଦିନ ସଠିକ ସମାଚାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ମାନ ଘରେ ଘରେ ପହଞ୍ଚାଉଥିବା ସାମ୍ବାଦିକ ବନ୍ଧୁଙ୍କ ନିମନ୍ତେ କରୋନା ଜନିତ ମୃତ୍ୟକାଳୀନ ସହାୟତା ୧୫ ଲକ୍ଷ ଟଙ୍କା ତାଙ୍କ ବିପନ୍ନ ପରିବାରକୁ ପ୍ରଦାନ କରିବା ପାଇଁ ସରକାର ଘୋଷଣା କରିଥିବା ବେଳେ ଏହାକୁ ସଂଘ ସ୍ୱାଗତ କରିବା ସହ ସେମାନଙ୍କ ପାଇଁ କଣ କରାଯାଇଛି ବୋଲି ସଂଘ ଦାବୀ କରିଛି । ଚୁକ୍ତିଭିତିକ କର୍ମଚାରୀ ମାନଙ୍କୁ କରୋନାରେ ମୃତ୍ୟୁ ହେଲେ ଅନ୍ତତଃ ୧୦ ଲକ୍ଷ ଟଙ୍କାର ବୀମା ଯୋଗାଇ ଦେବା ଆବଶ୍ୟକ ବୋଲି ସଂଘ ଦାବୀ କରିଛି ଆଉ ମଧ୍ୟ କରୋନାରେ ମୃତ ପରିବାରକୁ ଅନ୍ୟୁନ ୧୦ ଲକ୍ଷ ଟଙ୍କାର ସହାୟତା ସରକାର ଯୋଗାଇ ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ଆବଶ୍ୟକ ବୋଲି ସଂଘ ଦାବୀ କରିଛି । ଏଥି ସହିତ ଉଚ୍ଚଶିକ୍ଷିତ ଯୁବ କର୍ମଚାରୀଙ୍କ ଉପରେ ଲଦା ହୋଇଥିବା ୬ ବର୍ଷିଆ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥାକୁ ଉଛେଦ କରି ସପ୍ତମ ବେତନ ଅନୁଯାଇ ଦରମା ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବାକୁ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ତରଫରୁ ଦାବି କରାଯାଇଛି ।

ରିପୋର୍ଟ : ବିଜୟ ମଲ୍ଲ