ଛତ୍ରପୁର (ସମୃଦ୍ଧ ଓଡିଶା) ସାମୁଦ୍ରିକ ଝଡ଼ ଫନି ଆସି ଓଡିଶାରେ ବହୁ କ୍ଷୟକ୍ଷତି କରି ଚାଲିଯାଇଛି କିନ୍ତୁ ଲୋକମାନେ ବହୁ ସମସ୍ୟାର ସମୁଖିନ୍ନ ହୋଇ ଜୀବନ ବିତାଉଛନ୍ତି । ଏହିଭଳି ପରିସ୍ଥିତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବହୁ ପରିମାଣରେ ବିଭିନ୍ନ ପ୍ରକାରର ସହାୟତା ପ୍ରଦାନ କରାଯାଇଛି । ଯାହାକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି । ପୁରୀ ଜିଲ୍ଲାର ବାତ୍ୟା ବିପନ୍ନଙ୍କୁ ରିଲିଫ ବଣ୍ଟନଠାରୁ ଆରମ୍ଭ କରି ସେଠାରେ ଚାଲିଥିବା ବିଭିନ୍ନ ପୁନରୁଦ୍ଧାର କାର୍ଯ୍ୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ସହାୟତା କରିଆସୁଛି । ବର୍ତ୍ତମାନ ସୁଦ୍ଧା ସରକାରୀ ଅଧିକାରୀ ଓ କର୍ମଚାରୀ ଦେଇଥିବା ସହାୟତା ରାଶି ବାବଦରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇଟି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୭୧ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଥିବା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୩୦ଲକ୍ଷ ଟଙ୍କାର ଚେକ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ । ସେହିପରି ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୩୯ ଲକ୍ଷ ଟଙ୍କାର ଚେକ୍ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଦେବବ୍ରତ ସାହୁ ଓ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସବ୍ୟସାଚୀ ହୋତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଥିଲେ । ଗଞ୍ଜାମ ତହସିଲ କାର୍ଯ୍ୟାଳୟର କର୍ମଚାରୀ ମାନଙ୍କର ୨ଲକ୍ଷ ଟଙ୍କାର ଚେକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ପୁରୀ ଜିଲାକୁ ୧୭ଟି ଟ୍ରକ୍ରେ ରିଲିଫ୍ ପଠାଗଲାଣି । ୫୦ ହଜାର ଛତୁଆ ପ୍ୟାକେଟ୍ ପୁରୀ ଜିଲ୍ଲାର ଅଙ୍ଗନୱାଡି କେନ୍ଦ୍ରକୁ ପଠାଯାଇଛି । ସ୍ୱାସ୍ଥ୍ୟ ବିଭାଗର ଟିମ୍ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ରହି ବିପନ୍ନଙ୍କୁ ସହାୟତା ଯୋଗାଉଥିବାରୁ ଉକ୍ତ ଟିମ୍କୁ ଜିଲ୍ଲାପାଳ କୁଲାଙ୍ଗେ ପ୍ରଶଂଶା କରିଛନ୍ତି । ସାଉଥକୋର ଟିମି, ରାସ୍ତା ଓ କୋଠାବାଡି ବିଭାଗର ଟିମ୍ ଓ ଗ୍ରାମ୍ୟ ଜଳଯୋଗାଣ ବିଭାଗର ଟିମ୍ ପୁରୀ ଜିଲାରେ ରହି ବିଭିନ୍ନ ସ୍ଥାନରେ ପୁନୁରୁଦ୍ଧାର କାମରେ ଲାଗିଛନ୍ତି । ପୁରୀ ସହରରେ ସଫେଇ କାର୍ଯ୍ୟରେ ବିଏମସି କର୍ମଚାରୀମାନେ ନିୟୋଜିତ ହୋଇଛନ୍ତି । ୨ଆଇଏଏସ ଅଫିସର ତଥା ଡିଆରଡିଏ ପିଡି ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ବ୍ରହ୍ମପରୁ ମହାନଗର ନିଗମର କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ପୁରୀ ଜିଲ୍ଲାରେ ରହି ପୁନରୁଦ୍ଧାର କାର୍ଯ୍ୟ ଓ ରିଲିଫ୍ ବଣ୍ଟନର ମନିଟରିଂ କରିଛନ୍ତି । ଜନସାଧାରଣ ଓ ଘରୋଇ ସଂସ୍ଥା ମଧ୍ୟ ବାତ୍ୟା ବିପନ୍ନଙ୍କ ପାଇଁ ସହାୟତା ଦେବାକୁ ଜିଲାପାଳ ଗଣମାଧ୍ୟମ ଓ ସୋସିଆଲ ମିଡିଆ ଜରିଆରେ ଅନୁରୋଧ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା