





ଭୁବନେଶ୍ୱର(ସମୃଦ୍ଧଓଡିଶା)୧ ଡିସେମ୍ବର, ୨୦୨୪: ଜନସ୍ୱାସ୍ଥ୍ୟ ପାଇଁ ବିପଦ ଭାବେ ଉଭା ହୋଇଥିବା ଏଚ.ଆଇ.ଭି/ ଏଡସ୍ ସଂକ୍ରମଣକୁ ଆସନ୍ତା ୨୦୩୦ ସୁଦ୍ଧା ଶୂନ କରିବାକୁ ରାଜ୍ୟ ସରକାରଙ୍କ ସହ ସମସ୍ତେ ସଂକଳ୍ପବଦ୍ଧ ହୋଇ ଜନସଚେତନତାକୁ ବ୍ୟାପକ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଆହ୍ୱାନ ଦେଇଛନ୍ତି । ସ୍ଥାନୀୟ ନୀଳାଚଳ ପଲିଟେକନିକଠାରେ ଓଡ଼ିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି (ଓସାକ୍ସ) ପକ୍ଷରୁ ରାଜ୍ୟସ୍ତରୀୟ ବିଶ୍ୱ ଏଡସ୍ ଦିବସ ଆଜି ପାଳନ କରାଯାଇଛି । ଏହି ସମାରୋହରେ ମନ୍ତ୍ରୀ ଡ. ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଛାତ୍ରଛାତ୍ରୀମାନେ ଏଚ.ଆଇ.ଭି ର କାରଣ ଓ ନିରାକରଣ ସମ୍ପର୍କରେ ସଚେତନ ହେଲେ ସମାଜ ସଚେତନ ହେବ ଏବଂ ଆମେ ଏଡସ୍ କୁ ସମ୍ପୂର୍ଣ୍ଣ ପ୍ରତିହତ କରିପାରିବା । ଏହି ସଂକ୍ରମଣ ସହ ରହିଥିବା ଘୃଣା, ଭେଦଭାବକୁ ଦୂର କରିବା ଆମର ସାମୁହିକ ଦାୟିତ୍ୱ ଏବଂ ଏଥିପାଇଁ ଆମର ପ୍ରତିବଦ୍ଧତାକୁ ସୁନିଶ୍ଚିତ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ସମସ୍ତ ସଂକ୍ରମିତ ବ୍ୟକ୍ତିବିଶେଷଙ୍କ ଅଧିକାରକୁ ସମର୍ଥନ କରୁଥିବା ନିୟମକୁ ପ୍ରେତ୍ସାହନ ଦେବା ଜରୁରୀ । କେହି ବି ସଂକ୍ରମିତ କିମ୍ବା ସଂକ୍ରମଣର ଆଶଙ୍କା ଥିବା ବ୍ୟକ୍ତି ତାଙ୍କ ଅଧିକାରରୁ ବଂଚିତ ନହୁଅନ୍ତୁ, ସେଥିପାଇଁ ଆଜିର ଦିନରେ ସମସ୍ତଙ୍କୁ ସଂକଳ୍ପ ନେବାକୁ ସେ ଆହ୍ୱାନ କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ଵତୀ ଏସ କହିଥିଲେ ଯେ ସଂପ୍ରତି ରାଜ୍ୟର ସବୁ ଜିଲାରେ ଏଡସ ସଂକ୍ରମିତ ଅଛନ୍ତି । ଏଡସ୍ ସଂକ୍ରମିତମାନେ ଭେଦଭାବ ଯୋଗୁ ସମାଜ ସହିତ ଲଢୁଥିଲାବେଳେ ଅନ୍ୟ ରୋଗୀମାନେ ନିଜ ରୋଗ ସହ ହିଁ କେବଳ ଲଢନ୍ତି । ତେଣୁ ଏଡସର ଭୟାବହତା ଅଧିକ । ଛାତ୍ରଛାତ୍ରୀଙ୍କ ମାଧ୍ୟମରେ ସଚେତନତାକୁ ଆହୁରୀ ବ୍ୟାପକ କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ଏହି ଅବସରରେ ଓସାକ୍ସର ପ୍ରକଳ୍ପ ନିର୍ଦ୍ଦେଶକ ଡା. ସନ୍ତୋଷ କୁମାର ସ୍ୱାଇଁ ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସହ ରାଜ୍ୟରେ ବର୍ତମାନର ସ୍ଥିତି ବିଷୟରେ ଅବଗତ କରାଇଥିଲେ । ସମାରୋହରେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଡା. ଜିତେନ୍ଦ୍ର ନାଥ ବେବର୍ତ୍ତା, ବିଭାଗୀୟ ନିର୍ଦ୍ଦେଶକ ଡା. ବିଜୟ କୁମାର ମହାପାତ୍ର, ଡା. ନୀଳକଣ୍ଠ ମିଶ୍ର, ଡା. ଅମରେନ୍ଦ୍ର ମହାନ୍ତି ସମେତ ସ୍ୱାସ୍ଥ୍ୟ ବିଭାଗ ଏବଂ ଓସାକ୍ସର ଅଧିକାରୀ ଓ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଓସାକ୍ସର ୱେବସାଇଟ ଏବଂ ନ୍ୟୁଜଲେଟର ଉନ୍ମୋଚିତ ହୋଇଥିଲା । ସଚେତନତାକୁ ଅଧିକ ତୀବ୍ରତର କରିବା ପାଇଁ ନାକୋ ପ୍ରାୟୋଜିତ ଦୁଇ ମାସିଆ ସଚେତନତା କାର୍ଯ୍ୟକ୍ରମରେ ସର୍ବାଧିକ ଗ୍ରାମକୁ ସାମିଲ କରିଥିବା ଜିଲାଗୁଡିକ ମଧ୍ୟରେ ଗଂଜାମ, ଖୋର୍ଦ୍ଧା ଏବଂ ବାଲେଶ୍ୱର ଜିଲାକୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଜି ସକାଳେ ରାଜଧାନୀର ବିଭିନ୍ନ ସ୍କୁଲ ଓ କଲେଜମାନଙ୍କରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ପାଇଁ ରଂଗୋଲି, ସାଧାରଣ ଜ୍ଞାନ, ଧଳା ଛତାରେ ଚିତ୍ରାଙ୍କନ ଭଳି ପ୍ରତିଯୋଗୀତା କରାଯାଇ ପୁରସ୍କୃତ କରାଯାଇଥିଲା । ଛାତ୍ରଛାତ୍ରୀମାନେ ରେଡ ରିବନର ଏକ ମାନବ ଶୃଙ୍ଖଳକରି ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ । ରାଜ୍ୟ ତମାମ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଛି । ରାଜ୍ୟର ୭୦୦ କଲେଜ ଏବଂ ୮୦୦ ସ୍କୁଲରେ ଥିବା ରେଡ ରିବନ କ୍ଲବମାନଙ୍କ ଦ୍ୱାରା ରେଡକ୍ରସ ସହଯୋଗରେ ତିନି ଦିନ ବ୍ୟାପୀ ବିଭିନ୍ନ ପ୍ରତିଯୋଗୀତା ଆୟୋଜନ ପୂର୍ବକ ଏହି ଦିବସ ପାଳନ କରାଯାଉଛି । ସବୁ ଜିଲାରେ ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ୨୦୦୨ ମସିହାରୁ ଏ ପର୍ଯ୍ୟନ୍ତ ୫୦ ହଜାରରୁ ଉର୍ଦ୍ଧ୍ୱ ଏଚଆଇଭି ପଜିଟିଭ ଚିହ୍ନଟ ହୋଇଛନ୍ତି । ଗଂଜାମ ଜିଲ୍ଲାରେ ସର୍ବାଧିକ ୧୯୧୫୫ ଜଣ ପଜିଟିଭ ଏବଂ ସୋନପୁର ଜିଲାରେ ସର୍ବନିମ୍ନ ୧୪୬ ଜଣ ଚିହ୍ନଟ ହୋଇଛନ୍ତି ।
ରିପୋର୍ଟ : ରଜତ ମହାପାତ୍ର ଓ ସୌରଭ ପ୍ରଧାନ,ଲୋକ ସମ୍ପର୍କ ଅଧିକାରୀ