ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଗତ କିଛି ଦିନ ହେଲା କାଳବୈଶାଖୀ ପ୍ରଭାବରେ ଅପରାହ୍ନରେ ପରିଚାଳନ ବୃଷ୍ଟିପାତ ଦିଗପହଣ୍ଡି ସହରରେ ହୋଇ ଆସୁଅଛି । ମରାମତି ଅପେକ୍ଷା ରହିଥିବା ସାହି ଗଳି ରାସ୍ତା ସବୁରେ ନର୍ଦ୍ଦମା ଏବଂ ବର୍ଷା ପାଣି ମିଶି ପୁତୁଗନ୍ଧମୟ ପରିବେଶ ସୃଷ୍ଟି କରୁଥିବା ବେଳେ ପାଣି ଜମି ରହି ସିମେଣ୍ଟ କଂକ୍ରିଟ୍ ରାସ୍ତା ଧୋଇ ହୋଇଯାଇଥିବା ଦେଖିବାକୁ ମିଳିଛି । ରାସ୍ତା ଉପରେ ସିମେଣ୍ଟ କଂକ୍ରିଟ୍ ଧୋଇ ହୋଇଯାଇ ଲୁହା ଛଡ ଉପରକୁ ଉଠି ରହିଥିବା ଦେଖିବାକୁ ମିଳିଛି । ସେହି ରାସ୍ତା ଦେଇ ଦୈନିକ ସାହି ବାସିନ୍ଦା ଚଳପ୍ରଚଳ ହେଉଥିବା ବେଳେ ବିଭିନ୍ନ ସମୟରେ ଛୋଟ ମୋଟ ଦୂର୍ଘଟଣା ହେବାର ନଜିରକୁ ଆସିଛି । ବିଶେଷ କରି ସନ୍ଧ୍ୟା କିମ୍ବା ରାତି ସମୟରେ ସାମାନ୍ୟତମ ଅସାବଧାନତା ହେଲେ ଲୁହା ଛଡ ବାଜିଯାଇ ଲୋକେ ତଳେ ପଡିଯାଇ ଖଣ୍ଡିଆ ଖାବରା ହେଉଥିବା ଅଭିଯୋଗ ହୋଇଛି । ସମ୍ପ୍ରତ୍ତି ନିର୍ବାଚନ ୠତୁ ଲାଗିଥିବାରୁ ବାରମ୍ବାର ଅଭିଯୋଗ କରିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଦିଗପହଣ୍ଡି ସହରର ସମସ୍ତ ସାହି ଗଳ ରାସ୍ତା ଏବେ ଏନଏସି ଠାରୁ ପୂର୍ତ୍ତବିଭାଗକୁ ହସ୍ତାନ୍ତର ହୋଇଯାଇଛି । ପୂର୍ତ୍ତ ବିଭାଗର କୋଠା ବାଡି ବିଭାଗ ପକ୍ଷରୁ ସମସ୍ତ ସାହି ରାସ୍ତା ନିର୍ମାଣ କରାଯାଇଥିବା ବେଳେ ବର୍ତ୍ତମାନ ରାସ୍ତା ଉପରେ ଲୁହା ଛଡକୁ ଦେଖିଲେ କିଭଳି ନିର୍ମାଣ ହୋଇଥିଲା ତାହା ବେଶ ଅନୁମାନ କରିହେଉଛି । ୫ ବର୍ଷିଆ ଯୋଜନା ଅତିବାହିତ ହୋଇଯାଇଥିବାରୁ ସମ୍ପ୍ରତ୍ତି ଜିଲା ନଗର ଉନ୍ନୟନ ସଂସ୍ଥା (ଡିୟୁଡିଏ) ଅଧିନରେ ପ୍ରକଳ୍ପ ସଂଯୋଜକ ସମସ୍ତ ସମସ୍ୟା ବୁଝୁଥିବା ବେଳେ ରାସ୍ତା ମରାମତି ସକାଶେ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରୁନଥିବାରୁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଛି । ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବା ନେଇ ସାଧାରଣରେ ଦାବୀ ହୋଇଛି । ଏନେଇ ଏନଏସି ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆଙ୍କୁ ପଚରାଯିବାରେ କହିଛନ୍ତି ଯେ, ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପରେ ସେଥିନେଇ ପଦକ୍ଷେପ ଗ୍ରହଣ କରାଯିବ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା, ସମିରକାନ୍ତ ତ୍ରିପାଠୀ