ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଜନସାଧାରଣଙ୍କୁ ସେବା ଯୋଗାଇ ଦେବା ଦିଗରେ ସରକାରୀ କର୍ମଚାରୀମାନେ ବିଫଳ ହେଉଥିବା ଘଟଣାକୁ କେନ୍ଦ୍ରକରି ରାଜ୍ୟ ସରକାର ଘରୋଇକରଣ ବ୍ୟବସ୍ଥାକୁ ଆପଣେଇଛନ୍ତି । ଘରୋଇକରଣ ବ୍ୟବସ୍ଥା ଲାଗୁହେବା ପରେ ବିଭିନ୍ନ କ୍ଷେତ୍ରରେ ସେମାନେ ମଧ୍ୟ ଜନସାଧାରଣଙ୍କୁ ସେବା ଯୋଗାଇ ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ବ୍ରହ୍ମପୁର ମହାନଗର ନିଗମ ସମେତ ରାଜ୍ୟର କଟକ, ଭୁବନେଶ୍ୱର, ରାଉରକେଲା, ସମ୍ବଲପୁର ଏଭଳି ୫ଟି ସହରରେ ରାସ୍ତା ଆଲୋକ ବ୍ୟବସ୍ଥା ପାଇଁ ରାଜ୍ୟ ନଗର ଉନ୍ନୟନ ବିଭାଗ ‘ନିଭ୍ ଇନାର୍ଜି’ ଏକ ଘରୋଇ ସଂସ୍ଥା ସହିତ ୨୦୧୭ ଡିସେମ୍ବର ମାସରେ ଚୁକ୍ତିନାମା କରିଥିଲେ । ଏହି ସଂସ୍ଥା ରାଜ୍ୟ ସରକାରଙ୍କ ଠାରୁ ରାସ୍ତା ଆଲୋକ ବ୍ୟବସ୍ଥାର ଖର୍ଚ୍ଚ ଓ ମରାମତିବାବଦକୁ ବାର୍ଷିକ ୫ କୋଟି ଟଙ୍କା ୭ ବର୍ଷ ନିମନ୍ତେ ଏଗ୍ରିମେଣ୍ଟ ହୋଇଥିଲା । ଏଗ୍ରିମେଣ୍ଟଅନୁସାରେ ଉକ୍ତ ସଂସ୍ଥା ସରକାରଙ୍କ ଠାରୁ ଉକ୍ତ ଟଙ୍କା ମଧ୍ୟ ନେଇଛି । କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଦେଖା ଦେଇଛି ଉକ୍ତସଂସ୍ଥା ପ୍ରାଥମିକ ଭାବେ ଯେଉଁସବୁ କାର୍ଯ୍ୟ କରିଥିଲା ତାହା ବର୍ତ୍ତମାନ ସମ୍ପୂର୍ଣ୍ଣ ଅଚଳ ଅବସ୍ଥା ସୃଷ୍ଟି ହୋଇଛି । ସୂଚନା ଅନୁସାରେ ବ୍ରହ୍ମପୁର ମହାନଗର ନିଗମ ଅଧିନରେ ୧୨ ହଜାର ଲାଇଟ ସଂଯୋଗ ପାଇଁ ବ୍ୟବସ୍ଥା କରାଯାଇଥିଲା । ଇତିମଧ୍ୟରେ ଦେଖାଦେଇଛି ପ୍ରାୟ ୩୦୦୦ଟି ଲାଇଟ୍ ବିଦ୍ୟୁତ ଖୁଣ୍ଟରେ ଅଚଳହୋଇ ରହିଛି ଏବଂ କେତେକ ସ୍ଥାନରେ ଦିନରାତି ଏଲଇଡି ଲାଇଟ ଗୁଡ଼ିକ ଜଳି ରହୁଥିବା ଦେଖିବାକୁ ମିଳୁଛି ଏବଂ ସମ୍ପୃକ୍ତ ସଂସ୍ଥା ନିଭ୍ ଏନାର୍ଜି କର୍ତ୍ତୃପକ୍ଷ ଏଗ୍ରିମେଣ୍ଟ ଅନୁସାରେ ମରାମତି କରୁନାହିଁ କିମ୍ବା ସଂସ୍ଥାର କର୍ମକର୍ତ୍ତାଙ୍କ ଦେଖାମିଳୁନାହିଁ । ଉକ୍ତ ସଂସ୍ଥା ବିରୋଧରେ ମହାନଗର ନିଗମ କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାଯୋଗୁଁ ସାଧାରଣ ଜନତା ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।ବ୍ରହ୍ମପୁର ସହରବାସୀଙ୍କ କର ଓ ଟିକସ ବାବଦ ଅର୍ଥ କିଭଳି ଭାବେ ଅପବ୍ୟୟ ହେଉଛି ଏ ସମ୍ପର୍କରେ ଉଚ୍ଚସ୍ତରୀୟତଦନ୍ତ କରାଯାଉ ବୋଲି ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦର ଆବାହକ ରବି ରଥ ରାଜ୍ୟ ନଗର ଉନ୍ନୟନବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି ।
ରିପୋର୍ଟ : ରବି ରଥ / ଜିଲ୍ଳା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା