
ଜଳେଶ୍ୱର (ସମୃଦ୍ଧ ଓଡିଶା) ଚଳିତବର୍ଷ ପ୍ରତିକୂଳ ପାଗ ଓ ଚକଡା ପୋକ ଚାଷୀଙ୍କୁ ହନ୍ତସନ୍ତ କରିଛି । ୯୦ ପ୍ରତିଶତ ଚାଷ ଅମଳ ହୋଇଥିବାରୁ ଏବେ ଚାଷୀ ଅଭାବି ବିକ୍ରୀର ସମ୍ମୁଖୀନ ହେଉଛନ୍ତି । ସରକାରୀ ଧାନ ମଣ୍ଡୀ ଖୋଲି ନ ଥିବାରୁ ପଶ୍ଚିମବଂଗର ଦଲାଲ ମାନେ ୧୨୦୦ ଟଙ୍କାରେ ଧାନ କିଣି ଚାଷୀ ମାନଙ୍କୁ ଲୁଟୁଛନ୍ତି । ଏହାର ପ୍ରତିବାଦରେ ଗତ ୨୮ ତାରିଖରେ ବାଲେଶ୍ୱର ଜିଲାର ଜଳେଶ୍ୱର ବିଜେପି ପକ୍ଷରୁ ଏକ ସମ୍ବାଦଦାତା ସମ୍ମିଳନୀ ମାଧ୍ୟମରେ ତୁରନ୍ତ ମଣ୍ଡି ଖୋଲିବାକୁ ଚେତବନୀ ଦିଆଯାଇଥିଲା । ପୂର୍ବ ସୂଚନା ଅନୁଯାୟୀ ଆଜି ଶୁକ୍ରବାର ପୂର୍ବାହ୍ନରେ ଶହ ଶହ ବିଜେପି କର୍ମୀ ଧାନ ବସ୍ତା ଧରି ଏକ ପଟୁଆରରେ ଖୁଆଡ ସ୍ଥିତ ବିଧାୟକଙ୍କ ବାସଭବନ ଆଡକୁ ଧସେଇ ପସିବା ବେଳେ ପୋଲିସ୍ ସେମାନଙ୍କୁ ବାଧା ଦେଇଥିଲେ । ଖୁଆଡ ହାଟ ପଡିଆ ନିକଟରେ ରାସ୍ତା ଉପରେ ଧାନବସ୍ତା ରଖି ବିକ୍ଷୋଭକାରୀମାନେ ବିଭିନ୍ନ ନାରାବାଜି କରିଥିଲେ । ତହସିଲଦାର ସ୍ମୃତିରଂଜନ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ୭ ଦିନ ମଧ୍ୟରେ ବ୍ଲକରେ ଥିବା ସମସ୍ତ ୧୯ଟି ସେବାସମବାୟରେ ଧାନମଣ୍ଡି ଖୋଲାଯିବାର ପ୍ରତିଶ୍ରୁତି ଦେବାପରେ ଧାରଣା ସ୍ତଗିତ ରହିଥିଲା । ଏହି କାର୍ଯ୍ୟକ୍ରମରେ ବିଜେପି ଟାଉନ୍ ସଭାପତି ଫାଲଗୁନି ପାଣିଗ୍ରାହୀ, ସାଂସଦ ପ୍ରତିନିଧି ସାନ୍ତନୁ ପଟ୍ଟନାୟକ, ପୂର୍ବତନ ନଗରପାଳ ପ୍ରବିର ପ୍ରଧାନ, ତନ୍ମୟ ଚାନ୍ଦ, ସାବିତ୍ରୀ ଜେନା, ରାମକୃଷ୍ଣ ସାହୁ, ପ୍ରଦୀପ ମହାନ୍ତି, ଗୌରଗୋପାଳ ଦାସ ଅଧିକାରୀ, ବିଶ୍ୱରୂପ ଦାସ, ତରୁଣ ପଟ୍ଟନାୟକ, ଅରୁଣ ଜେନା ପ୍ରମୁଖ ବହୁ ନେତା ସାମିଲ ହୋଇଥିବା ବେଳେ ଜଳେଶ୍ୱର ଏସ୍ଡିପିଓ ଅଂକିତା କୁମ୍ଭାର, ରାଇବଣିଆ ଆଇଆଇସି ଗୋପାଳ ସିଂ ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ।
ରିପୋର୍ଟ : ଭୂପତି ପରିଡା