ରାୟଗଡ଼ା ଏସପିଙ୍କ ନିକଟରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ…

ରାୟଗଡା (ସମୃଦ୍ଧ ଓଡିଶା) ଗତକାଲି ରାୟଗଡା ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ଜଣେ ମହିଳା ମାଓବାଦୀ । ତାଙ୍କ ନାଁ ପାର୍ବତୀ ଓରଫ ରିଙ୍କି ବୋଲି ଏସପି ସୂଚନା ଦେଇଛନ୍ତି । ସେ ତାଙ୍କ ୨ ମାସର ଶିଶୁ ସହ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଘର ଛତିଶଗଡ ବିଜାପୁର ଜିଲ୍ଲାର ୱାଚମ୍ ବୋଲି ଜଣାପଡିଛି । ଦୀର୍ଘ ୮ ବର୍ଷ ଧରି ସେ ଇନ୍ଦ୍ରାବତୀ ଦଳମ୍ ଓ ବାସଧାର-ଘୁମୁସର ଓ ନାଗାବଳୀ ଡିଭିଜନ୍ ରେ କାମ କରୁଥିଲେ । ତେବେ ମାଓବାଦୀ ମାନଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ସେ ସଂଗଠନ ଛାଡିଥିବା କୁହାଯାଇଛି । ଗର୍ଭବତୀ ହେବା ପରେ ତାଙ୍କୁ ଜଙ୍ଗଲରେ ଅଣଦେଖା କରାଯିବା ସହ ନିର୍ଯ୍ୟାତନା ଦିଆଯାଉଥିବା ସେ ପୋଲିସ ନିକଟରେ କହିଛନ୍ତି । ଜଙ୍ଗଲରେ ମହିଳା ମାଓବାଦୀ ମାନଙ୍କୁ ଠିକ୍ ରୂପେ ଖାଦ୍ୟ ଯୋଗାଇ ଦିଆଯାଉନଥିବା ବେଳେ କେବଳ ସେଣ୍ଟ୍ରି ଡ୍ୟୁଟିରେ ନିୟୋଜିତ କରାଯାଉଥିଲା ବୋଲି ସେ କହିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀ ପ୍ରତିଭା ୨୦୧୩ ମସିହାରେ ଘଟିଥିବା କାଡ୍ରାକାବଣ୍ଡଲି ଗୁଳି ବିନିମୟ, ଡଙ୍ଗାମାଟି ଗୁଳି ବିନିମୟ, ଜାରପା ନିକଟରେ ଏସଓଜି ବାହୀନିଙ୍କ ଉପରେ ଆକ୍ରମଣ, କଳାହାଣ୍ଡି ଜିଲ୍ଲା ପହାପଦର ଗ୍ରାମର ରାଜେନ୍ଦ୍ର ସାହୁଙ୍କୁ ହତ୍ୟା, ବାବୁପଦର ଗ୍ରାମର ଭୀମ ଦୋରାଙ୍କ ହତ୍ୟା ଘଟଣାରେ ଜଡିତ ଅଛନ୍ତି ବୋଲି ରାୟଗଡା ଏସପି ସୂଚନା ଦେଇଛନ୍ତି । ତେବେ ରାଜ୍ୟ ସରକାରଙ୍କ ଆତ୍ମ ସମପ୍ରଣ ନୀତି ଅନୁଯାୟୀ ତାଙ୍କୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ଏସପି ଡ଼ଃ.ଶର୍ବଣା ବିବେକ.ଏମ୍ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ