ରାୟଗଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥିତି ଯୋଗୁଁ ରେଳ ଚଳାଚଳ ବାଧାପ୍ରାପ୍ତ…

ରାୟଗଡ଼ା (ସମୃଦ୍ଧ ଓଡିଶା) ଗତକାଲି ଠାରୁ ଲଗାଣ ବର୍ଷା ଯୋଗୁଁ ରାୟଗଡା ଜିଲ୍ଲାରେ ବ୍ଯାପକ କ୍ଷୟକ୍ଷତି ଘଟିଛି । ବର୍ତ୍ତମାନ ସୁଦ୍ଧା ୩୧୭ ମିମି ବର୍ଷା ରେକର୍ଡ କରାଯାଇଛି । ଅନେକ ସ୍ଥାନରେ ଛୋଟବଡ ବ୍ରିଜ୍ ଧୋଇହୋଇଯାଇଥିବା ବେଳେ ରେଳପଥରେ ମଧ୍ୟ ଦୁର୍ଘଟଣା ଘଟିଛି । ଅମ୍ବାଦୋଳା ଷ୍ଟେସନ୍ ନିକଟରେ ମାଲବୋଝେଇ ଟ୍ରେନ୍ ଦୁର୍ଘଟଣା ଘଟି ୭ଟି ବୋଗି ଟ୍ରାକ୍ ରୁ ଅଲଗା ହୋଇଯାଈଛି । ଫଳରେ ରାୟଗଡ଼ା ରୁ ଅନେକ ଟ୍ରେନ୍ କୁ ବାତିଲ କରାଯାଇଛି । ରାୟଗଡା ଜିଲ୍ଲାର ଅନେକ ସ୍ଥାନରେ କେଉଁଠି ବନ୍ଯା ପାଣି ନାଳରେ ପ୍ରବେଶ କରି ବ୍ରିଜ୍ ଗୁଡିକ ଧୋଇ ହୋଇଯାଇଛି ତ ଆଉ କେଉଁଠି ପୋଲ ଉପରେ ଦୁଇ ଫୁଟର ପାଣି ଚାଲୁଛି । ବିଶେଷ କରି ଲଗାଣ ବର୍ଷାରେ ରେଳ ଚଳାଚଳ ବ୍ଯାହତ ହୋଇଛି । ଜିଲ୍ଲାର ରାଉଲି ଓ ଭାଲୁମାସ୍କ ଅଞ୍ଚଳରେ ମାଟି ଅତଢା ଖସି ଟ୍ରେନ୍ ଚଳାଚଳ ବ୍ଯାହତ ହୋଇଛି । ସେହିପରି ଅମ୍ବାଦୋଳା ଷ୍ଟେସନ ନିକଟରେ ରେଳ ଲାଇନ୍ ବର୍ଷା ଜଳରେ ଧୋଇ ହୋଇଯିବା ଫଳରେ ଏକ ମାଲ ବୋଝେଇ ଟ୍ରେନ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଫଳରେ ଟ୍ରେନ୍ ର ସାତୋଟି ବୋଗି ଟ୍ରାକ୍ ରୁ ଅଲଗା ହୋଇଯାଇଛି । ରାୟଗଡ଼ା ରୁ ସମ୍ବଲପୁର ମଧ୍ୟରେ ଟ୍ରେନ୍ ଚଳାଚଳ ବନ୍ଦ ରହିଛି । ସମ୍ବଲପୁର ଡିଭିଜନର ଡିଆରଏମ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ରେଳ ବିଭାଗର ବୈଷୟିକ କର୍ମଚାରୀ ମାନେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଟ୍ରେନ୍ ଚଳାଚଳ ସ୍ୱଭାବିକ ହେବାକୁ ଦୀର୍ଘ ଘଣ୍ଟା ଲାଗିବ ବୋଲି ସମ୍ବଲପୁର ଏଡିଆରଏମ୍ ସୂଚନା ଦେଇଛନ୍ତି । ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ବେଳେ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏନେଇ ରେଳ ଡିଭିଜନ ପକ୍ଷରୁ ହେଲ୍ପଲାଇନ ନମ୍ଵର ଜାରି କରାଯାଇଛି । ସମ୍ଵଲପୁର ପକ୍ଷରୁ ୯୪୩୭୩୮୬୭୫୯ ହେଲ୍ପଲାଇନ ନମ୍ଵର ଓ ଟିଟିଲାଗଡ଼ ପକ୍ଷରୁ ୮୪୫୫୮୯୨୮୩୧/୯୪୩୭୩୮୬୬୯୩ ହେଲ୍ପଲାଇନ ନମ୍ବର ରହିଛି । ଅନ୍ଯପଟେ ଲଗାଣବର୍ଷା ଫଳରେ ନାଗାବଳୀ, ବଂଶଧାରା ଓ କଲ୍ୟାଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କଲ୍ୟାଣସିଂହପୁର କଲ୍ୟାଣୀ ଓ ନାଗାବଳୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ପରେ ବ୍ଳକ ପ୍ରଶାସନ ପକ୍ଷରୁ ସାନବ୍ରାହ୍ମଣ ସାହି, କେଉଟ ସାହି ଓ ପୁଇଗୁଡା ଗ୍ରାମର ଶତାଧିକ ପ୍ରଭାବିତଙ୍କୁ ଓ ବିଷମକଟକର ୭୦ ପରିବାରଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି । ଜରୁରୀ କାଳୀନ ସ୍ଥିତି ପାଇଁ ଏକ ଓଡ୍ରାଫ ଟିମ ସମସ୍ତ ପ୍ରକାର ଯନ୍ତ୍ରପାତି ସହ ଗୁଣୁପୁରରେ ସଜାଗ ଅଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବିଭାଗକୁ ସତର୍କ ସୂଚନା ଦିଆଯାଇଥିବା ନେଇ ଡେପୁଟି କଲେକ୍ଟର ସୁବ୍ରତ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଯୋଗାଣ ବିଭାଗ ପକ୍ଷରୁ ବର୍ତ୍ତମାନ କଲ୍ୟାଣସିଂହପୁର କିଛି ସ୍ଥାନରେ ଶୁଖିଲା ଖାଦ୍ୟ ମଧ୍ୟ ବଣ୍ଟନ କରାଯାଉଛି ବୋଲି ଅତିରିକ୍ତ ଯୋଗାଣ ଅଧିକାରୀ ସି ଏଚ ମୂରଲୀ କ୍ରିଷ୍ଣା ରାଓ କହିଛନ୍ତି ।  ତେବେ ଆସନ୍ତା ୨୪ ଘଣ୍ଟା ଧରି ଯଦି ବର୍ଷା ଜାରି ରୁହେ ତେବେ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହେବ ବୋଲି ଅନୁମାନ କରାଯାଉଛି ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ