


ରାୟଗଡ଼ା (ସମୃଦ୍ଧ ଓଡ଼ିଶା) ରାୟଗଡ଼ା ସହର ରୟତ କଲୋନୀର ସପ୍ତମ ସାହିରେ ଥିବା ସାଇ ପେପର ଇଣ୍ଡଷ୍ଟ୍ରିଜ୍ ଭିତରେ ଅଗ୍ନିକାଣ୍ଡ ଘଟି ଦେଢ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି । ହେଲେ ଅଗ୍ନିକାଣ୍ଡ କାରଣ ଅସ୍ପଷ୍ଟ ରହିଛି । ଏ ନେଇ ସାଇ ପେପର ଇଣ୍ଡଷ୍ଟ୍ରିଜ୍ର ମାଲିକ ସୁମନ୍ତ ମହାରଣାଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ଗତକାଲି ସକାଳ ୯ଟା ସମୟରେରେ କମ୍ପାନୀ ଖୋଲିବା ପରେ ପଛପଟେ ରଖାଯାଇଥିବା ୨ ଟନ୍ ପେପର ଗଦାରେ ନିଆଁ ଲାଗି ଯାଇଥିବା ଜଣାପଡ଼ିଥିଲା । ଏ ସମ୍ପର୍କରେ କାର୍ଯ୍ୟାଳୟରୁ ତାଙ୍କ ନିକଟକୁ ଖବର ଦିଆଯାଇଥିଲା । ଏହାପରେ ସଙ୍ଗେ ସଙ୍ଗେ ଥାନାରେ ଖବର ଦେଇଥିଲେ ଏବଂ ପୋଲିସ ପକ୍ଷରୁ ଦମକଳ ବାହିନୀକୁ ଖବର ଦିଆଯାଇଥିଲା ବୋଲି ସେ କହିଛନ୍ତି । ରାୟଗଡ଼ା ଦମକଳ ବାହିନୀ ହାବିଲଦାର ପିତାମ୍ବର ସାହୁଙ୍କ ସମେତ ଅନ୍ୟ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଦମକଳ ବାହିନୀଙ୍କ ଦୀର୍ଘ ୨ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ

