ଭଞ୍ଜନଗର (ସମୃଦ୍ଧ ଓଡିଶା) କୋରନା ମହାମାରୀ ପାଇଁ ଦେଶର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ଥିବା ବେଳେ ଗଂଜାମ ଜିଲ୍ଲା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ପ୍ରଥମ ବର୍ଷର ଛାତ୍ର ତଥା ଭଞ୍ଜନଗର ବ୍ଳକ କଇଣ୍ଡି ଗ୍ରାମର ସୀମାଞ୍ଚଳ ବିଷୋୟୀ । ଏହି ଲକ୍ ଡାଉନ ଓ ସଟଡାଉନରେ ଗତ ୩ମାସ ହେବ ସେ ଛତୁ ଚାଷ କରୁଛନ୍ତି । ଏ ନେଇ ସୀମାଞ୍ଚଳ କହିଛନ୍ତି ଆଗାମୀ ଦିନରେ ଜଣେ ଭଲ ଖବରଦାତା ହେବା ସହ ସଫଳ ଛତୁଚାଷୀ ଟିଏ ହେବାକୁ ସେ ଲକ୍ଷ୍ୟ ରଖିଛନ୍ତି । ଲକ୍ ଡାଉନ ପୂର୍ବରୁ ସେ ବିଶ୍ୱବିଦ୍ୟାଳୟରୁ ଛୁଟି ଦିନରେ ଆସି ତାଙ୍କର ଆଉ କେତେ ଜଣ ସାଙ୍ଗ ମାନଙ୍କ ସହ ମିଶି ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ କୃଷି ସମ୍ପ୍ରସାରଣ ଯୋଜନା (ଆରିଆ)ରେ ଛତୁ ଚାଷ ବିଷୟରେ ତାଲିମ ନେଇଥିଲେ । ଏହି ତାଲିମରେ ତାଙ୍କୁ କୃଷି ବିଜ୍ଞାନ କେନ୍ଦ୍ରର ଛତୁ ଚାଷ ବିଭାଗର ମୁଖ୍ୟ ବୈଜ୍ଞାନିକ ଅନିତା ପାତ୍ର ସହଯୋଗ କରିଥିଲେ । ଏହା ପରେ ଲକ୍ ଡାଉନ ଘୋଷଣା ହୋଇଯାଇଥିଲା । ଘରେ ବସିବା ଅପେକ୍ଷା କମ ଖର୍ଚ୍ଚରେ ଛତୁ ଚାଷ କରିବା ପାଇଁ ସେ ଯୋଜନା ଆରମ୍ଭ କରିଥିଲେ । ଫଳରେ ନିଜସ୍ଵ ଉଦ୍ୟମରେ ଘର ବାରି ପଟେ ଥିବା ଏକ ଜାଗାରେ ସେ ଗ୍ରୀନ ହାଉସ୍ ଟିଏ କରି ଛତୁ ଚାଷ କରୁଛନ୍ତି ଓ ଏଥିରୁ ଭଲ ଦିପଇସା ରୋଜଗାର କରୁଥିବା ସେ ପ୍ରକାଶ କରିଛନ୍ତି । ଲକ୍ ଡାଉନ ଥିବାରୁ ସେ ସରକାରୀ ସହାୟତା ପାଇଁ ଯୋଜନା କରିଥିବା ବେଳେ ଏହା ହୋଇ ପାରି ନାହିଁ । ଲକ୍ ଡାଉନ ପରେ ସେ ସରକାରୀ ସ୍ତରରେ ଏହି ଛତୁ ଚାଷକୁ ବ୍ୟାପକ କରିବା ପାଇଁ ସରକାରଙ୍କ ମାଧ୍ୟମରେ କିଛି ସହଯୋଗ ପାଇଁ ଉଦ୍ୟମ କରିବେ ବୋଲି କହିଛନ୍ତି ।
ରିପୋର୍ଟ : ନିଲୁ ବିଷୋୟୀ