ଲକ୍ଷ୍ମୀଦତ୍ତ ହତ୍ୟା ମାମଲାରେ ଥାନାରେ ହାଜର ହେଲେନି ଗୋଲକ:ତାଙ୍କ ବଦଳରେ ତାଙ୍କ ୨ ଓକିଲ ହାଜର…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁରର ବହୁ ଚର୍ଚ୍ଚିତ ବିଜେଡ଼ି ନେତା ତଥା କାଉନସିଲର ଲକ୍ଷ୍ମୀଦତ ପ୍ରଧାନ(ବଚନ)ହତ୍ୟା ମାମଲାରେ ଛତ୍ରପୁର ପୋଲିସ ପକ୍ଷରୁ ୨ ଜଣ ବରିଷ୍ଠ ବିଜେପି ନେତା ଗୋଲକ ପ୍ରସାଦ ମହାପାତ୍ର ଓ ଭୃଗୁ ବକ୍ସି ପାତ୍ରଙ୍କୁ ଥାନାରେ ହାଜର ନିମନ୍ତେ ନୋଟିସ କରାଯାଇଥିଲା । ବିଜେପିର ମୁଖପାତ୍ର ତଥା ଗଞ୍ଜାମ ଜିଲ୍ଲା ପ୍ରଭାରୀ ଗୋଲକ ପ୍ରସାଦ ମହାପାତ୍ରଙ୍କୁ ଆଜି ଛତ୍ରପୁର ଥାନାରେ ହାଜର ହେବା ନିମନ୍ତେ ସମନ ଜାରି କରାଯାଇଥିବା ବେଳେ ଆସନ୍ତା ୯ ତାରିଖ ଦିନ ବରିଷ୍ଠ ବିଜେପି ନେତା ତଥା ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ରଙ୍କୁ ଥାନାରେ ହାଜର ହେବା ନିମନ୍ତେ ପୋଲିସ ପକ୍ଷରୁ ନୋଟିସ କରାଯାଇଥିଲା । ଏନେଇ ଆଜି ଛତ୍ରପୁର ଥାନାରେ ସ୍ୱାସ୍ଥ୍ୟଗତ କାରଣ ଯୋଗୁଁ ଗୋଲକ ପ୍ରସାଦ ମହାପାତ୍ର ହାଜର ନହୋଇ ତାଙ୍କ ୨ ଓକିଲ ପାର୍ଥସାରଥୀ ନାୟକ ଓ ଗୌରୀ ଶଙ୍କର ରଥ ହାଜର ହୋଇଥିଲେ । ସେମାନେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ ଯେ ଗୋଲକ ମହାପାତ୍ରଙ୍କ ଶାରିରୀକ ଅସୁସ୍ଥାତା ଯୋଗୁଁ ତାଙ୍କୁ ଚିକିତ୍ସା କରୁଥିବା ଡ଼ାକ୍ତର ୨୦ ଦିନ ପର୍ଯ୍ୟନ୍ତ ସଂପୂର୍ଣ୍ଣ ବିଶ୍ରାମ ନିମନ୍ତେ କହିଥିବାରୁ ସେ ଗାଡ଼ିରେ ଯାତ୍ରା କରି ଆସିବା ପାଇଁ ସକ୍ଷମ ହୋଇନଥିଲେ । ଯେହେତୁ ତାଙ୍କ ଲିଖିତ ହସ୍ତାକ୍ଷର କାଗଜ ଏବଂ ଡ଼ାକ୍ତରଙ୍କ ସାର୍ଟିର୍ଫିକେଟ ଛତ୍ରପୁର ଏସଡ଼ିପିଓଙ୍କ ପ୍ରଦାନ କରାଗଲା । ୧ ମାସ ପରେ ତାଙ୍କ ସ୍ୱାସ୍ଥ୍ୟ ଠିକ୍ ହେବାପରେ ଯେତେବେଳେ ବି ପୋଲିସ ତାଙ୍କୁ ଡ଼ାକିବେ ସେ ପୋଲିସକୁ ସହଯୋଗ କରିବେ ବୋଲି ଗୋଲକ ପ୍ରସାଦ ମହାପାତ୍ରଙ୍କ ଓକିଲ ପାର୍ଥସାରଥୀ ନାୟକ ସୂଚନା ଦେଇଛନ୍ତି । ଅପରପକ୍ଷରେ ଲକ୍ଷ୍ମୀଦତ ହତ୍ୟା ମାମଲାର ତଦନ୍ତକାରୀ ଅଧିକାରୀ ତଥା ଛତ୍ରପୁର ଏସଡ଼ିପିଓ ରମେଶ ଚନ୍ଦ୍ର ସେଠୀ କହିଥିଲେ ଯେ ଗୋଲକ ପ୍ରସାଦ ମହାପାତ୍ର ଶାରିରୀକ ଅସୁସ୍ଥତା ଯୋଗୁଁ ତାଙ୍କର ୨ ଜଣ ଓକିଲଙ୍କୁ ନିଜ ଦସ୍ତଖତ ଓ ମେଡ଼ିକାଲ କାଗଜ ଦେଇ ପଠାଇଛନ୍ତି । ଲକ୍ଷ୍ମୀଦତ ହତ୍ୟାକାଣ୍ଡ ମାମଲାରେ ଏବେସୁଦ୍ଧା ୫ ଟି ପର୍ଯ୍ୟାୟରେ ୧୯ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥିମଧ୍ୟରୁ ୨ ଜଣ ସୁଜିତ୍ କୁମାର ନାୟକ ଓ ପ୍ରଶାନ୍ତ କୁମାର ସ୍ୱାଇଁ ଜାମିନରେ ଆସିଛନ୍ତି । ଏହି ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ବିଜେପି ଜିଲ୍ଲା ସଂପାଦକ କୃଷ୍ଣ ଚନ୍ଦ୍ର ନାୟକ ଓ ଲକ୍ଷ୍ମୀପୁର ସମିତିସଭ୍ୟ ଏନ୍. ଦୁର୍ଯ୍ୟୋଧନ ରେଡ଼ି ସମେତ ୧୯ ଜଣଙ୍କୁ ଏହି ହତ୍ୟାକାଣ୍ଡରେ ଗିରଫ କରାଯାଇଛି । ଅନ୍ୟ ୩ ଜଣ ଅଭିଯୁକ୍ତ ଫେରାର୍ ଥିବା ବେଳେ ଏମାନଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ । ୨୦୧୮ ଡ଼ିସେମ୍ବର ୩୧ରେ ୧୮ ଜଣ ଅଭିଯୁକ୍ତଙ୍କ ଅନୁସାରେ ୧୨୦ ପୃଷ୍ଠାର ପୋଲିସ ଚାର୍ଜସିଟ ଦାଖଲ କରିଥିବା ବେଳେ ଆହୁରି ତଦନ୍ତ ଚାଲିଛି । କେସ୍ ଡ଼ାଏରୀ ଖୋଲା ରହିଥିବା ଏସଡ଼ିପିଓ ଶ୍ରୀ ସେଠୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା