ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ବଡ ଡାକ୍ତରଖାନାରେ ଜଣେ ରୋଗୀଙ୍କୁ ଅପରେସନ ପାଇଁ ଆବଶ୍ୟକୀୟ ନିଶା ଇଞ୍ଜେକ୍ସନ ଦେବା ସକାଶେ ବିଭାଗୀୟ ମହିଳା ଫାର୍ମାସିଷ୍ଟ ୮୦୦ ଟଙ୍କା ଲାଞ୍ଚ ନେବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ପୁରୀ ଜିଲ୍ଲା ଅଲଣ୍ଡାପାଟଣା ଗ୍ରାମାନିବାସୀ ତଥା ବର୍ତ୍ତମାନ ଗଜପିତ ନଗରରେ ରହୁଥିବା ମାନସ ସାମନ୍ତରାୟ ବାପାଙ୍କ ଅପରେସନ ପାଇଁ ଆବଶ୍ୟକୀୟ ନିଶା ଔଷଧ, ଇଞ୍ଜେକ୍ସନ ନଥିବା ଦର୍ଶାଇ ନିଶ୍ଚେତକ (ନିଶା) ବିଭାଗୀୟ ଫାର୍ମାସିଷ୍ଟ ମେରୀ ଖାନା ରୋଗୀଙ୍କ ସମ୍ପର୍କୀୟଙ୍କୁ ଇଞ୍ଜେକ୍ସନ ଯୋଗାଡ କରି ଦେବା ନିମନ୍ତେ ଲାଞ୍ଚ ଦାବି କରିଥିବା ଜଣାପଡିଛି । ଏ ନେଇ ମାନସ ବ୍ରହ୍ମପୁର ଭିଜିଲାନ୍ସ ଵିଭାଗରେ ଏକ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଭିତ୍ତି କରି ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ଟିମ ବ୍ରହ୍ମପୁର ବଡ ଡାକ୍ତରଖାନା ଅସ୍ଥିଶଲ୍ୟ ବିଭାଗ ଅପରେସନ ଥିଏଟର ଭିତରେ ଫାର୍ମାସିଷ୍ଟ ମେରୀ ଖାନା ପୂର୍ବ ଚୁକ୍ତି ଅନୁଯାୟୀ ୮୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବିଭାଗୀୟ ଅଧିକାରୀଙ୍କ ହାତରେ ଧରା ପଡିଛନ୍ତି ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା