
ଛତ୍ରପୁର (ସମୃଦ୍ଧ ଓଡିଶା) ସାରା ଦେଶରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣର ଆତଙ୍କ ଯୋଗୁଁ ଦୀର୍ଘ ଦିନ ଧରି ଏହାକୁ ପ୍ରତିହତ କରିବା ପାଇଁ ଲକଡାଉନ ଜାରି କରାଯାଇଥିଲା । ଯାହା ଫଳରେ ଲୋକମାନେ କିଛି କାମ ଧନ୍ଦା ନ ପାଇଁ ବହୁ କଷ୍ଟରେ ଚଳୁଛନ୍ତି । ବର୍ତ୍ତମାନ ମଧ୍ୟ କରୋନାକୁ ପ୍ରତିହତ କରିବା ପାଇଁ ବିଭିନ୍ନ କଟକଣା ଜାରି ରହିଥିବାରୁ ଗରିବ, ଖଟିଖିଆ, ଶ୍ରମିକ, ନିରୀହ ଲୋକମାନଙ୍କ ପାଖରେ ଅର୍ଥର ଅଭାବ ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଦୀର୍ଘ ଦିନ ପରେ ଏବେ ବିଭିନ୍ନ ଜାଗାରେ ଭିନ୍ନ ପ୍ରକାରର ତରିକା ଆପଣାଇ ଲୁଟେରାଙ୍କ ଲୁଟ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ଛତ୍ରପୁର କୋର୍ଟ ଷ୍ଟେସନ ନିକଟ ଗଳା ଶଙ୍ଖ ରାସ୍ତାରେ ଏକ ବଡ଼ ଧରଣରୁ ଲୁଟ କରିଛନ୍ତି ଲୁଟେରା । ବ୍ୟବସାୟୀଙ୍କୁ ଆକ୍ରମଣ କରି ପ୍ରାୟ ୭ ଶହ ଗ୍ରାମ ସୁନା ଓ ୨୦ କିଲୋଗ୍ରାମ ରୁପା ଲୁଟି ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି ଦୁର୍ବୃତ୍ତ । ସୁନା ବ୍ୟବସାୟୀ ନିଜ ଦୋକାନ ବନ୍ଦ କରି ଘରକୁ ଫେରିବା ବେଳେ ଦୁର୍ବୃତ୍ତମାନେ ଟାର୍ଗେଟ କରିଛନ୍ତି । ଆଜି ସଂଧ୍ୟା ପ୍ରାୟ ରାତି୮.୩୦ ବେଳେ ଛତ୍ରପୁର କାରିଣୀ ବଜାରରେ ଥିବା ମା ସାରାଳା ଜୁଏଲରୀ ମାଲିକ ଶରତ ଚନ୍ଦ୍ର ସାହୁ ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମିପ୍ରିୟା ସାହୁ ନିଜ ଦୋକାନ ବନ୍ଦ କରି ସାଇନଗର ପ୍ରଥମ ଲାଇନରେ ଥିବା ଘରକୁ ନିଜ ସ୍କୁଟି ଯୋଗେ ଫେରୁଥିବା ବେଳେ କୋର୍ଟ ଷ୍ଟେସନ ପରେ ଗଳା ଶଙ୍ଖ ରାସ୍ତାରେ ଦୁଇ ଜଣ ଦୁର୍ବୃତ୍ତ ପଲସର ମୋଟର ସାଇକେଲରେ ଆସି ପ୍ରଥମେ ଲଙ୍କାଗୁଣ୍ଡ ଫିଙ୍ଗିଥିଲେ ଓ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ପରେ ଉଭୟଙ୍କୁ ଆକ୍ରମଣ କରି ସ୍କୁଟି ଡିକିରେ ଥିବା ସୁନା ଓ ରୁପା ଅଳଙ୍କରା ଲୁଟି ନେଇଥିଲେ । ତେବେ ଏହି ଅଳଙ୍କାର ଲୁଟି ନେବା ସହ ବ୍ୟବସାୟୀଙ୍କ ସ୍ତ୍ରୀ ପିନ୍ଧିଥିବା ପ୍ରାୟ ତିନି ତୋଳା ଓଜନର ସୁନାଚେନ ମଧ୍ୟ ତାଙ୍କୁ ଆକ୍ରମଣ କରି ଲୁଟି ନେଇଥିବା ଜଣାପଡିଛି । ଦୁର୍ବୃତ୍ତଙ୍କ ଆକ୍ରମଣରେ ସୁନା ବ୍ୟବସାୟୀ ଓ ତାଙ୍କ ସ୍ତ୍ରୀ ଆହାତ ହୋଇଥିବା ବେଳେ ସେମାନଙ୍କୁ ଛତ୍ରପୁର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସେପଟେ ଘଟଣାର ଖବର ପାଇ ଛତ୍ରପୁର ଏସଡିପିଓ ଗୌତମ କିଷାନ ଓ ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଲୁଟ୍ ହୋଇଥିବା ସୁନା ଅଳଙ୍କରର ମୂଲ୍ୟ ପ୍ରାୟ ୭୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା