ସରଭର ଝିଅଙ୍କ ବାହଘର ହେବାର ଅଛି । ନିଜେ ଆଳସୁଆ ଗୁଣରୁ କୌଣସି କାମ ନ କରି ହାତଟେକା ଖାଇବା ଧନ ହିଁ ଖାଉଛି । ସରକାରଙ୍କ ହୃଦୟ ଖୋଲା ଯାଚିତ ଧନ ଯଥା-ଘର, ଚାଉଳ ଓ ଭତ୍ତାରେ ସରଭର ଜୀବନ ଚଳି ଯାଉଥିଲା । ଆଜି କିନ୍ତୁ ଝିଅ ବଡ଼ ହେଲାଣି ବିବାହ ପାଇଁ ଭଲ ପ୍ରସ୍ତାବ ଆସିଛି । ହାତଛଡା କରିଦେଲେ ଆଗକୁ ବିପଦ ଆସିପାରେ । ସରଭ ପ୍ରସ୍ତାବକୁ ସ୍ୱୀକାର କଲା । ବିବାହ ଦିନ ଧାର୍ଯ୍ୟ ହେଲା । ସବୁ ଠିକଠାକ୍ ଭିତରେ ଅର୍ଥର ଅଭାବ ଅନୁଭବ କଲା । ସେ ତ ଅକର୍ମା କାମ ନ କରି ସରକାରଙ୍କ ଯାଚିତ ଧନକୁ ଅନେଇ ବସିଛି । ସରକାର ବି ସବୁ ସାହାଯ୍ୟ ସହଯୋଗ ଭିତରେ ଏ ବିବାହ ପାଇଁ କୌଣସି ବ୍ୟବସ୍ଥା କଲେ ନାହିଁ ତ ସରଭ ସରପଞ୍ଚଙ୍କ ପାଖକୁ ଯାଇ ହାତପାତି ଠିଆହେଲା । ତା’ ଝିଅର ଆସନ୍ତା ଶ୍ରୀ ପଞ୍ଚମୀ ଦିନ ବିବାହ ସକାଶେ ତାଙ୍କୁ କୋଡି଼ଏ ହଜାର ମାଗିଲା ହେଲେ ଏତେ ଅର୍ଥ ସରପଞ୍ଚ ଦେବେ ବା କାହିଁକି ? ସେ ନାହିଁ କରିଦେଇ ଘର ଭିତରକୁ ପଶିଗଲେ । ସରଭ କୌଣସି ଉପାୟ ନ ପାଇ ଠିଆ ହୋଇଥିବା କାନ୍ଥରେ ମୁଣ୍ଡ ବାଡେ଼ଇ ଜୋରରେ ଚିତ୍କାର କରି କାନ୍ଦିଲା । ସରପଞ୍ଚ ଭିତରୁ ବାହାରି ଦେଖିଲେ ସରଭ ମୁଣ୍ଡଫାଟି ଯାଇଛି ରକ୍ତର ଛିଟା ଚାରିଆଡେ଼ । ତାକୁ ଡାକ୍ତରଖାନା ନେବାକୁ ଚାହିଁଲେ ତ ସରଭ କହିଲା,”ଆଜ୍ଞା ! ଯଦି ଆପଣ କୋଡି଼ଏ ହଜାର ନ ଦେଉଛନ୍ତି ମୁଁ ଡାକ୍ତରଖାନା ଯିବି ନାହିଁ । ଏଠି ଆପଣଙ୍କ ଘରେ ମରିକି ହିଁ ରହିବି ।” ସରପଞ୍ଚ ବଡ଼ ଅଡୁଆରେ ପଡି଼ଗଲେ । ସେ ସରଭଙ୍କୁ ଆଶ୍ବାସନା ଦେଇ ଆଗ କୋଡି଼ଏ ହଜାର ଧରାଇ ଦେଇ ତାଙ୍କୁ ଡାକ୍ତରଖାନା ନେଇ ଭଲ କରେଇଲେ । ସରଭ ଏହାରି ଭିତରେ ବହୁତ ଅର୍ଥଥିବା ଲୋକଙ୍କ ପାଖକୁ ଯାଇ ସେହି ଗୋଟିଏ କଥା କହିଛି, “ଦେଖନ୍ତୁ ଆଜ୍ଞା ! ମୋ’ର ଅବସ୍ଥା ସାଂଘାତିକ କେତେବେଳେ ବି କିଛି ଅଘଟଣ ହୋଇପାରେ । ଆପଣଙ୍କୁ ବିନୟର ସହ ଅନୁରୋଧ କରୁଛି କି ଯଦି ନ ଦେବ ତ ଏବେ ଏଇଠି ହିଁ ମରିବାକୁ ଯାଉଛି ।” ବାସ ! ସେତିକି କହି ମୁଣ୍ଡ ପିଟିବା ଆରମ୍ଭ କରନ୍ତେ ଧନୀକ ଶ୍ରେଣୀର ଲୋକେ ନ ଦେଇ ରହି ପାରନ୍ତି ନାହିଁ ଯଦି ତା’ର ଘରେ ଆତ୍ମହତ୍ୟା କରିବ ତ ସବୁ ଦୋଷ ତା’ରି ଆଡ଼କୁ ଯିବ ଏହି ଭୟରେ ଅର୍ଥରାଶି ପୈଠ କରି ଦିଅନ୍ତି । ଆଜି ସରଭ ଦଶ ପନ୍ଦର ଲୋକଙ୍କ ଠାରୁ ଏପରି ଲୁହ, ଅଭିନୟ ଓ ଛଳନା ମାଧ୍ୟମରେ ହାତେଇ ସାରି ଭଲରେ ଝିଅର ଶୁଭ ବିବାହ କରିଦେଲା । ଶ୍ରୀ ପଞ୍ଚମୀ ତଥା ବିବାହ ପରେ ସଭିଏଁ ଆସି ସରଭଙ୍କୁ ନିଜ ନିଜର ଅର୍ଥରାଶି ମାଗିଲେ ହେଲେ ସରଭ ତ କୁଢି଼ ଅଳସୁଆ । ପର ହାତଟେକା ଧନକୁ ଅନେଇଥାଏ । ସେ ସଭିଙ୍କୁ ରୋକଠୋକ୍ ମନା କରିଦେଇ କହିଲା, “ଆଜ୍ଞା ! ଦେଖନ୍ତୁ ମୁଁ ଆପଣଙ୍କ ପାଖରୁ କୌଣସି ଅର୍ଥରାଶି ଆଣିଛି ବୋଲି କିଛି ପ୍ରମାଣ ଅଛି କି ? ଯଦି ନାହିଁ ତ ଆପଣମାନେ ଶୀଘ୍ର ଚାଲିଯାନ୍ତୁ ଅନ୍ୟଥା ମୋତେ ଆପଣଙ୍କ ସାମ୍ନାରେ ଆତ୍ମହତ୍ୟା କରିବାକୁ ପଡି଼ବ ।” ଏ ଆତ୍ମହତ୍ୟା, ଲୁହ, ଅଭିନୟ ଓ ଛଳନା ସରଭ ପାଇଁ ଆଣି ଦେଇଛି ଅପାର ସୁବର୍ଣ୍ଣ ସୁଯୋଗ । ଯାହା ସେ କରିକି ଦେଖେଇ ଦେଇଛି ଓ ସଫଳତା ବି ହାସଲ କରିଛି । ଏଥର ସଭିଏଁ ନିଜନିଜ ଘରକୁ ଚାଲିଗଲେ । ସରଭଙ୍କୁ କିଛି କହିବା ତ ବିପଦ ଏ ଦେହକୁ ଚାଲି ଆସିବ । ଶୀତ ଗୋଟିଏ ମାସରେ ଯାଏ ନାହିଁ । ଏହି ମର୍ମରେ ସରଭର ଦ୍ଵିତୀୟ ଝିଅକୁ ବିବାହ କରିବାକୁ ପଡି଼ବ । ଏଥର ବି ସରଭ ଅନ୍ୟମାନେ ଯିଏ କି ପୂର୍ବରୁ କୌଣସି ଅର୍ଥରାଶି ଆଣି ନାହିଁ ସେପରି ଲୋକଙ୍କ ପାଖକୁ ଯାଇ ସେଇ ଏକା ଲୁହ, ଅଭିନୟ ଓ ଛଳନା କଲା ହେଲେ ପୂର୍ବରୁ ଏହିକଥା ପ୍ରଚାର ଓ ପ୍ରସାର ହୋଇ ସାରିଥିଲା ତ ସଭିଏଁ ସେହି ଗୋଟିଏ କଥା କହିଲେ, “ସରଭ ! ତୁମେ ମରିବାକୁ ଯିବ ତ ଯାଅ । ଆମେ ଦେଖୁଛୁ କି ତୁମେ କେମିତି ମରୁଛ ? ତୁମେ ମୁଣ୍ଡ ପିଟିଦେବ, ଛାତିରେ କାତି ଲଗେଇ ଦେବ ତ ଦିଅ । ଆମେ ତ ସଭିଁଏ ଭିଡି଼ଓ ଓ ଓଡି଼ଓ କରୁଛୁ । ଏଥର ମରିବ ତ ତୁମକୁ ପୁରସ୍କାର ବି ମିଳିବ । ସରଭ ଦେଖିଲା ସଭିଏଁ ସେହି ଗୋଟିଏ କଥା କହିଲେ ଓ କାଣି କଉଡିଟିଏ ଦେଲେ ନାହିଁ ତ ସରଭ ନିଜକୁ ହେଜିଲା । ଅଳସୁଆ ସତରେ ଏମିତି ଦୁଃଖ ପାଏ । ଯଦି ନିଜର ବିବାହ କାଳରୁ ଆଜିଯାଏ କର୍ମରେ ଲାଗି ସଞ୍ଚୟ କରିଥାନ୍ତି ତ ଆଜି ଏପରି ଦିନ ଭୋଗିବାକୁ ପଡି଼ ନ ଥାନ୍ତା । ସରଭ ଘରକୁ ଫେରି ଆସି କାନ୍ଦିବାରେ ଲାଗିଲା । ଏହା କୌଣସି ଅଭିନୟ କି ଛଳନା ନ ଥିଲା । ହଠାତ ଦ୍ଵିତୀୟ ଝିଅକୁ ବିବାହ ପାଇଁ ଜ୍ୱାଇଁ ଘର ଲୋକ ଆସି ଡାଉରୀ ମାଗିଲେ ତ ସରଭ ଦେଇ ପାରିଲା ନାହିଁ । ଜ୍ଜାଇଁଘର ଲୋକେ ଫେରିଗଲେ ଓ ବିବାହ ହୋଇ ପାରିଲା ନାହିଁ । ଆଜି ସରଭରଙ୍କ ଆହୁରି ଦଶଝିଅ ଅଭିଆଡ଼ ହୋଇ ରହିଗଲେ । ସଭିଏଁ ପ୍ରାୟତଃ ଦରବୁଢୀ଼ । ସରଭ କୌଣସି କିଛି ଭବିଷ୍ୟତକୁ ସାଖି ଆଗରେ ନ ରଖି ଗୋଟିଏ ଫୁଟବଲ ଟିମ୍ ଗଠନ କରିଥିଲା । ଏବେ ସଭିଏଁ ନିଜ ବାପାଙ୍କ ହୃଦୟକୁ ଚିରି ଖାଇ ଯାଉଛନ୍ତି । କିଏ କହୁଛି ଏଇଟା ଦିଅ କିଏ କହୁଛି ସେଇଟା ଦିଅ ହେଲେ ଅପାରଗ ସରଭ ଦେଇ ନ ପାରି ଲୁହ ଓ କୋହରେ ଭିଜୁଛି । ସରଭ ଲୁହ, ଅଭିନୟ ଓ ଛଳନା କୌଣସି କାମରେ ଆସିଲା ନାହିଁ ତ ଦିନେ ବେକରେ ଦଉଡି଼ ଲଗେଇ ଆତ୍ମହତ୍ୟା କଲା । ଆଜି ଗାଁ’ରେ ହଇଚଇ କି ଗୋଟିଏ ଛଳନାର ଯୁଗ ଅନ୍ତ ହୋଇଗଲା ।
ସୁକାନ୍ତ ଖଣ୍ଡା, ଶିକ୍ଷକ
ମକାଶୁଖିଲା ପ୍ରାଥମିକ ବିଦ୍ୟାଳୟ
ପୋ-ଚକ୍ରଧରପୁର
ଭା-ହରିଚନ୍ଦନପୁର
ଜି-କେନ୍ଦୁଝର
ପି-୭୫୮୦୨୮