ଲୈ।ହମାନବୀ ସରଳା ଦେବୀଙ୍କ ଜୟନ୍ତୀ: କବୀ ଡ଼ା ଜ୍ୟୋତିର୍ମୟୀ ଜେନା ଓ ସୋଫିଆ ଫିରଦୋଷଙ୍କୁ ସରଳା ଦେବୀ ସମ୍ମାନ

ରାଉରକେଲା(ସମୃଦ୍ଧଓଡିଶା)ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ ସରଳା ଦେବୀ ସ୍ମୃତି ସଂସଦର ମିଳିତ ଆନୁକୂଲ୍ୟରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଓ ପ୍ରସିଦ୍ଧ ଲେଖିକାଲୈ।ହମାନବୀ ସରଳା ଦେବୀଙ୍କ ୧୨୦ ତମ ଜୟନ୍ତୀ କଟକର ସାରଳା ଭବନଠାରେ ପାଳିତ ହୋଇଯାଇଛି।
ସଂସଦର ସଭାପତି ଇଂ ପ୍ରଭାକର ସ୍ବାଇଁ ଙ୍କ ଅଧ୍ୟକ୍ଷତା ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶା ବିଧାନସଭାର ବାଚସ୍ପତି ସୁରମା ପାଢୀ ଉଦଘାଟକ ତଥା ମୁଖ୍ୟ ଅତିଥି, ପ୍ରାକ୍ତନ ପ୍ରଶାସକ ତଥା ସମାଜସେବୀ ସମ୍ବିତ ତ୍ରିପାଠୀ ସମ୍ମାନିତ ଅତିଥି, ପ୍ରାକ୍ତନ ପ୍ରଶାସକ ତଥା ସଂଗଠକ ସ୍ମୃତି ପଟ୍ଟନାୟକ ବରେଣ୍ୟ ଅତିଥି ଓ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଡ ସଚ୍ଚିଦାନନ୍ଦ ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ଏହି ଅବସରରେ ମୁଖ୍ୟଅତିଥି ବାଚସ୍ପତି ଶ୍ରୀମତୀ ପାଢ଼ୀ ତାଙ୍କ ବକ୍ତବ୍ୟରେ କହିଲେ ଯେ ଭାରତୀୟ ମୁକ୍ତି ସଂଗ୍ରାମକୁ ସରଳା ଦେବୀଙ୍କ ଅବଦାନ ଅବିସ୍ମରଣୀୟ। ସେ ଥିଲେ ଜଣେ ବାଗମୟୀ ସାହିତ୍ୟିକ, ସମାଜସେବା କ୍ଷେତ୍ରରେ ସଶ୍ରଦ୍ଧ ଉଚ୍ଚାରଣ। ଜଣେ ସମୃଦ୍ଧ ଲେଖିକା ଭାବେ ସେ ପ୍ରତ୍ୟେକ ମହିଳାଙ୍କ ମଧ୍ୟରେ ଅଗ୍ନିର ସ୍ଫୃଲିଙ୍ଗ ଟିଏ ସୃଷ୍ଟି କରିପାରିଥିଲେ। ତେବେ ତାଙ୍କୁ ସମ୍ମାନ ଜଣାଇ ତାଙ୍କ ନାମରେ ଏକ ପ୍ରମୁଖ ମାର୍ଗକୁ ସରଳାଙ୍କ ନାମରେ ନାମିତ କରିବାକୁ ପ୍ରତିଶୃତି ଦେଇଥିଲେ। ସମ୍ମାନିତ ଅତିଥି ଶ୍ରୀ ତ୍ରିପାଠୀ ତାଙ୍କ ବକ୍ତବ୍ୟରେ କହିଲେ ଯେ ସରଳାଦେବୀ ଥିଲେ ବିଂଶ ଶତାବ୍ଦୀର ବିସ୍ମୟ ଏବଂ ତାଙ୍କର ସାରସ୍ଵତ ସୃଷ୍ଟି କାଳଜୟୀ। ଜଣେ ସ୍ବାଧୀନଚେତା, ସ୍ବାଭିମାନୀ ନାରୀ ଭାବେ ସୁପରିଚିତା। ଓଡିଶା ସରକାରଙ୍କ ତରଫରୁ ତାଙ୍କ ସମ୍ପର୍କରେ ୱେବ ସିରିଏଲ ଟିଏ କରାଗଲେ ତାହା ବେଶି ଲୋକାଦୃତ ହୋଇପାରିବ ବୋଲି ମତ ରଖିଥିଲେ। ବରେଣ୍ୟ ଅତିଥି ଶ୍ରୀମତୀ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଲେ ଯେ ସରଳାଦେବୀ ଅସହଯୋଗ ଆନ୍ଦୋଳନରେ ଯୋଗ ଦେବାରେ ଥିଲେ ପ୍ରଥମ ଓଡିଆ ନାରୀ। ଲୈ।ହମାନବୀ କହିଲେ ତାଙ୍କୁ ହିଁ ବୁଝାଏ। ତତ୍କାଳୀନ ସମୟରେ ସେ ଯେଉଁ କାର୍ଯ୍ୟ କରିଛନ୍ତି ତାହା ଅନନ୍ୟ। ପଣ୍ଡିତ ଗୋଦାବରୀଶ ତାଙ୍କୁ ଉତ୍କଳ ଜନନୀର ମାନ୍ୟତା ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ପ୍ରଫେସର ମହାନ୍ତି ତାଙ୍କ ବକ୍ତବ୍ୟରେ କହିଲେ ଯେ ସରଳାଦେବୀ ଜଣେ କ୍ରାନ୍ତିକାରୀ ସାରସ୍ଵତ ସ୍ରଷ୍ଟା ଓ ବିପ୍ଳବିନୀ ନାରୀ ନେତ୍ରୀ ଥିଲେ। ସେ କବିତା,ଗଳ୍ପ, ପ୍ରବନ୍ଧ, ସମାଲୋଚନା, ଉପନ୍ୟାସ ଓ ଅନୁବାଦ ପ୍ରଭୃତି ସାହିତ୍ୟରେ ଲେଖନୀ ଚାଳନା କରି ସେ ସିଦ୍ଧି ଲାଭ କରିଛନ୍ତି। ତାଙ୍କ ରଚିତ ଭାରତୀୟ ମହିଳା ପ୍ରସଙ୍ଗ,ବିଶ୍ବ ବିପ୍ଳବିନୀ,ନାରୀ ରମଣ ପ୍ରଭୃତି ୪୦ଖଣ୍ଡ ଗ୍ରନ୍ଥ ଓଡ଼ିଆ ସାହିତ୍ୟର ଅମୂଲ୍ୟ ସମ୍ପଦ। ଏହା ସହ ୩ ବିଦୁଷୀ ମହିଳା କୁନ୍ତଳାକୁମାରୀ,ସରଳା ଦେବୀ ଓ ବିଦ୍ୟୁତପ୍ରଭା ଦେବୀଙ୍କ ସମ୍ପର୍କରେ ଆଲୋଚନା କରି କହିଲେ ଯେ ଯେଉଁ ଜାତି ମହିଳାଙ୍କୁ ଚିହ୍ନି ନପାରେ, ସେ ଜାତି କେବେ ଉନ୍ନତି କରିପାରିବ ନାହିଁ। ସ୍ବାଧୀନତା ଆନ୍ଦୋଳନ,କୃଷକ ଆନ୍ଦୋଳନ,ହରିଜନ ଆନ୍ଦୋଳନ,ନିଶା ନିବାରଣ,ପରଦା ପ୍ରଥାର ଉଛେଦ,ନାରୀ ଶିକ୍ଷା କ୍ଷେତ୍ରରେ ସରଳା ଦେବୀଙ୍କ ବଳିଷ୍ଠ ଆଭିମୁଖ୍ୟ ଥିଲା ଅତ୍ୟନ୍ତ ସ୍ପଷ୍ଟ ଓ ଶାଣିତ। ପ୍ରାରମ୍ଭରେ ସଭାପତି ଇଂ ସ୍ବାଇଁ କାର୍ଯ୍ୟକ୍ରମର ଆଭିମୁଖ୍ୟ, ଉପସଭାପତି ରୁମଝୁମ ନାୟକ ସ୍ବାଗତ ଅଭିଭାଷଣ ଓ ସମ୍ପାଦକ ଲକ୍ଷ୍ମୀ ପ୍ରକାଶ ମହାପାତ୍ର ସମ୍ପାଦକୀୟ ବିବରଣୀ ଓ ବିଗତ ଦିନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ଅତିଥିମାନଙ୍କ ଦ୍ଵାରା ସ୍ମରଣିକା ‘ ଉତ୍କଳ ପ୍ରତିଭା ‘ କୁ ଲୋକାର୍ପିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଚଳିତବର୍ଷ ର ମର୍ଯ୍ୟାଦାଜନକ ସରଳା ଦେବୀ ସାରସ୍ଵତ ସମ୍ମାନ କବୀ ଡାକ୍ତର ଜ୍ୟୋତିର୍ମୟୀ ସାହୁଙ୍କୁ ପ୍ରଦାନ କରିବା ସହ ନଗଦ ୧୫ହଜାର ଟଙ୍କାର ଅର୍ଥରାଶି ସହ ମାନପତ୍ର ଓ ଉପଢୌକନ ତଥା ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କଟକ ବାରବାଟି ବିଧାୟିକା ସୋଫିଆ ଫିରଦୋଷ ଙ୍କୁ ସରଳା ଦେବୀ ସେବା ସମ୍ମାନରେ ସମ୍ମାନିତ କରାଯାଇଥିଲା। ସମ୍ବର୍ଦ୍ଧିତ ପ୍ରତ୍ୟୁତ୍ତରରେ ଉଭୟ ସମ୍ବର୍ଦ୍ଧିତ ବ୍ୟକ୍ତିତ୍ବ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ହେବ ବୋଲି ମତ ରଖିଥିଲେ। ଛବିରାଣୀ ପତି ଓ ବିଶ୍ବମିତ୍ରା ମିଶ୍ର ମାନପତ୍ର ପଠନ କରିଥିବା ବେଳେ ଟ୍ରଷ୍ଟ ର ପ୍ରତିଷ୍ଠାତା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କ୍ୟାପଟେନ ମନ୍ମଥ ରାଉତରାୟ ଓ ବିଜୟ କୁମାର ଦାସଙ୍କୁ ଅନୁଷ୍ଠାନର ଉପଦେଷ୍ଟା ଭାବେ ଗ୍ରହଣ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ବିଶ୍ବଜିତ ପାଣି, ଜଗନ୍ନାଥ ମହାନ୍ତି, କବିତା ମହାପାତ୍ର, ଗୀତାଞ୍ଜଳି ବେହୁରା, ଦେବୀପ୍ରସନ୍ନ ମହାପାତ୍ର, ପତିତପାବନ ମହାପାତ୍ର, ସସ୍ମିତା ପଟ୍ଟନାୟକ, ସସ୍ମିତା ପ୍ରଧାନ, ଅସିତ ଜେନା, ବିଜ୍ଞାନ ଦାସ ଓ କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।ରିପୋର୍ଟ : ରଜତ ମହାପାତ୍ର