ବ୍ରହ୍ମପୁର (ସମୃଦ୍ଧ ଓଡିଶା) କର୍ପୋରେସନ ରୋଡ ସ୍ଥିତ ଗୋପବନ୍ଧୁ ଭବନ ପରିସରରେ ଲୋକସେବକ ମଣ୍ଡଳ ବ୍ରହ୍ମପୁର କେନ୍ଦ୍ର ପକ୍ଷରୁ ରବିବାର ମାଗଣା ମଧୁମେହ ସଚେତନତା ଶିବିର ରବିବାର ସକାଳି ଅନୁଷ୍ଠିତ ହୋଇଯାଇଛି । ଶିବିରରେ ଖାଜା ସାହି, ପାତ୍ରପେଟା ସାହି, ଧୋବା ସାହି, ଗୋଲୀଳା ସାହି, ମୋଚି ସାହି ସମେତ ଆଖପାଖ ଅଞ୍ଚଳର ୩୦୦୦ରୁ ଉର୍ଦ୍ଧ ଜଣ ନିଜର ରକ୍ତ ପରୀକ୍ଷା କରାଇବା ସହ ଡାକ୍ତରଙ୍କ ଠାରୁ ଆବଶ୍ୟକୀୟ ପରାମର୍ଶ ଗ୍ରହଣ କରିଛନ୍ତି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ସକାଳେ ୮ଟାରୁ ଗୋପବନ୍ଧୁ ଭବନ ଠାରେ ଶିବିରକୁ ଉଦଘାଟନ ହୋଇଥିଲା । ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ସହକାରୀ ପ୍ରଫେସର ତଥା ବିଶିଷ୍ଟ ମଧୁମେହ ରୋଗ ବିଶେଷଜ୍ଞ ଡାକ୍ତର ପି. ରବି କୁମାର ଓ ତାଙ୍କ ଟିମ ଯୋଗଦେଇ ଶିବିରକୁ ଆସିଥିବା ଲୋକଙ୍କୁ ମଧୁମେହ ରୋଗ ସମ୍ପର୍କରେ ସଚେତନ କରାଇବା ସହ ବିଭିନ୍ନ ପରାମର୍ଶ ଦେଇଥିଲେ । ଦୁଇଟି ଷ୍ଟଲ ଖୋଲାଯାଇ ଲୋକଙ୍କ ମଧୁମେହ, ରକ୍ତଚାପ ଓ ୟୁରିକ ଏସିଡ ପରୀକ୍ଷା କରାଯାଇଥିଲା । ଶତାଧିକ ମହିଳାଙ୍କ ସମେତ ୩୦୦ରୁ ଉର୍ଦ୍ଧ ଲୋକଙ୍କ ରକ୍ତ ପରୀକ୍ଷା କରାଯାଇଥିଲା । ଲୋକ ସେବକ ମଣ୍ଡଳର ଆଜୀବନ କର୍ମୀ ରାଜେନ୍ଦ୍ର କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶିବିରରେ ଯୋଗ ଦେଇଥିବା ଲୋକଙ୍କୁ ସଚେତନ କରାଇବାକୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ଡା. ରବି କୁମାରଙ୍କ ସହ ଲୋକ ସେବକ ମଣ୍ଡଳର ଆସୋସିଏଟ ହରିକୃଷ୍ଣ କୋଠିଆ, ମାରୁତି ୱାର୍କରସ କ୍ଲବର ସମ୍ପାଦକ ଏ. କେଶବ ରେଡ୍ଡୀ ମଞ୍ଚାସିନ ଥିଲେ । ଲୋକସେବକ ମଣ୍ଡଳ ପକ୍ଷରୁ ସାରା ଦେଶରେ ଏଭଳି ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ବୋଲି ଶ୍ରୀ ଜେନା ନିଜ ବକ୍ତବ୍ୟରେ କହିଥିଲେ । ‘ସମାଜ’ ରିଲିଫ ପାଣ୍ଠିରୁ ପ୍ରତ୍ୟେକ ଦିନ ଅସହାୟ ଓ ଗରିବ ଲୋକ ତଥା ରୋଗୀଙ୍କୁ ଲକ୍ଷ ଲକ୍ଷ ଟଙ୍କା ସାହାର୍ଯ୍ୟ କରାଯାଉଛି । ଆଗାମୀ ଦିନରେ ଲୋକସେବକ ମଣ୍ଡଳ ପକ୍ଷରୁ ଭେଷଜ ଚିକିତ୍ସା ଶିବିର ତଥା ଚକ୍ଷୁ ଚିକିତ୍ସା ସଚେତନତା ଶିବିର ଆୟୋଜନ କରାଯିବାର ଯୋଜନା ରହିଥିବା ଶ୍ରୀ ଜେନା ଏଠାରେ ସୂଚନା ଦଇଥିଲେ । ପରେ ଡା. ରବି କୁମାର ଶିବିରରେ ଯୋଗ ଦେଇଥିବା ଲୋକଙ୍କୁ ମଧୁମେହ ରାଗ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ । ମଧୁମେହର କାରଣ ଓ ନିରାକରଣ ବିଷୟରେ ବୁଝାଇବା ସହ ଏଥିରେ ଆକ୍ରାନ୍ତ ହେଲେ ମନୁଷ୍ୟ ଶରୀରରେ ଦେଖାଯାଉଥିବା ଲକ୍ଷଣ ବିଷୟରେ କହିଥିଲେ । ରୋଗୀମାନେ ଡାକ୍ତରଙ୍କ ପରାମର୍ଶ ନେବା ସହ ନିୟମିତ ବ୍ୟବଧାନରେ ରକ୍ତ ପରୀକ୍ଷା କରାଇ ସେହି ଅନୁସାରେ ଔଷଧ ସେବନ କରିବା ଉଚିତ ବୋଲି ପରାମର୍ଶ ଦେଇଥିଲେ । ସନ୍ତୁଳିତ ଖାଦ୍ୟ ସହ ନିୟମିତ ଯୋଗ ଓ ବ୍ୟାୟାମ କରିବାକୁ ଲୋକଙ୍କୁ କହିଥିଲେ । ସେହିପରି ମଧୁମେହର ଆକ୍ରାନ୍ତ ଲୋକମାନେ ସେମାନଙ୍କ ମନରେ ଥିବା ବିଭିନ୍ନ ସନ୍ଦେହକୁ ନେଇ ଡା. ରବି କୁମାରଙ୍କୁ ବିଭିନ୍ନ ପ୍ରଶ୍ନ କରିଥିଲେ । ସେହିପରି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ପ୍ରାକୃତିକ ଚିକିତ୍ସା ବିଶେଷଜ୍ଞ। ସରିତା ପଣ୍ତା ଯୋଗଦେଇ ଉପସ୍ଥିତ ଲୋକଙ୍କୁ ବିଭିନ୍ନ ରୋଗର ପ୍ରାକୃତିକ ଚିକିତ୍ସା ଓ ଦିନଚର୍ଯ୍ୟା ବିଷୟରେ ବୁଝାଇଥିଲେ । ଶିବିରରେ ଲୋକସେବକ ମଣ୍ଡଳର ଏସଡ଼ିଏଟ ଡ. ଶଙ୍କର ମାଝୀଙ୍କ ସମେତ ସହଯୋଗୀ ଡ଼. ରମେଶ ଚନ୍ଦ୍ର ପ୍ରଧାନ, ଅଶୋକ କୁମାର ସାମନ୍ତ, ପଲ୍ଲବ ଦାସ, ମାରୁତି ୱାର୍କରସ କ୍ଲବର ସଭାପତି ହରିକୃଷ୍ଣ ପାଢ଼ୀ, ସଞ୍ଜୟ କୁମାର ସାହୁ, ରାଜ କିଶୋର ସ୍ୱାଇଁ, ସ୍ଥାନୀୟ ଅଞ୍ଚଳର ସେଖ ଇକବାଲ, ଏମଡି ଇଦରିସ, ଅବଦୁଲ ସିତାର ପ୍ରମୁଖ ଉପସ୍ଥିତ ଥିଲେ।ଆରକେ ଡାଇବେଟିକସ ଆଣ୍ଡ ଏଣ୍ଡୋକ୍ରାଇଣ୍ଡ କ୍ଲିନିକର କର୍ମଚାରୀଙ୍କ ସମେତ କିଶୋର, ଅଜିତ, ଚିନ୍ମୟ, ଖାଜା, ସନ୍ତୋଷ, କିରଣ, ଅମିତ, ସୋରେନ, ଶିବ, ରବି ପ୍ରମୁଖ ଲୋକଙ୍କ ମଧୁମେୟ, ରକ୍ତଚାପ ଓ ୟୁରିକ ଏସିଡ ପରୀକ୍ଷା କରିଥିଲେ । ଗୁଲାମ ରସୁଲ ଓ ରାମସାଗର ବିଷୋୟୀ ପରିଚାଳନାରେ ସହଯୋଗ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା