———-ଶକ୍ତି ପୂଜାର ପ୍ରାସଙ୍ଗିକତା———-

ଭାରତୀୟ ସଂସ୍କୃତିରେ ହେଉ, କିମ୍ବା ଓଡ଼ିଶାର ମହାନ ସଂସ୍କୃତି ତଥା ପରମ୍ପରାରେ ଶକ୍ତି ଉପାସନାର ପ୍ରାଚୀନତା ବହୁଳ ଭାବରେ ଦୃଷ୍ଟିଗୋଚର ହୋଇଥାଏ । ବିଶ୍ୱ ବ୍ରହ୍ମାଣ୍ଡର ସୃଷ୍ଟି, ସ୍ଥିତି, ପାଳନ, ବିଲୟ ଓ ସମସ୍ତ ଜାଗତିକ କାର୍ଯ୍ୟ କେବଳ ଅଦୃଶ୍ୟ ଶକ୍ତି ଦ୍ୱାରା ହିଁ ନିୟନ୍ତ୍ରିତ ହୋଇଥାଏ; ତଥା ଶକ୍ତିର ଇଚ୍ଛାନୁଯାୟୀ ହିଁ ଜୀବଜଗତ ସମ୍ପୂର୍ଣ୍ଣ ପରିଚାଳିତ । ଏହି ସିଦ୍ଧାନ୍ତକୁ ଦୃଢତାର ସହ ଗ୍ରହଣ କରି ସମଗ୍ର ମାନବ ସମାଜ ଶକ୍ତି ଉପାସନାକୁ ଶ୍ରଦ୍ଧା, ଭକ୍ତି ଓ ନିଷ୍ଠା ସହକାରେ କାହିଁ କେଉଁ ଆବହମାନ କାଳରୁ ଗ୍ରହଣ କରି ଆସିଛି । ଆମ ଓଡିଶା ପ୍ରଦେଶ ଏକ ବିଖ୍ୟାତ ତନ୍ତ୍ର ପୀଠ କହିଲେ ଅତ୍ୟୁକ୍ତି ହେବ ନାହିଁ । ସମଗ୍ର ଭାରତ ବର୍ଷରେ ଓଡ଼ିଶାର ଏକ ବିଶିଷ୍ଟ ସ୍ଥାନ ରହି ଥିବା ବିଷୟରେ ବିଭିନ୍ନ ପୋଥି, ପୁରାଣରୁ ଜଣାଯାଏ । ଓଡ଼ିଶାର କୋଣେ ଅନୁକୋଣେ ବିଭିନ୍ନ ଗ୍ରାମଠାରୁ ସହର ପର୍ଯ୍ୟନ୍ତ ଅସଂଖ୍ୟ ଦେବୀ ପୀଠ ଦେଖିବାକୁ ମିଳେ । ଯାହା ଫଳରେ ଓଡିଶା ଏକ ତନ୍ତ୍ରପୀଠ ଭାବରେ ପରିଗଣିତ ହୋଇ ତାର ସ୍ୱତନ୍ତ୍ରତା ବଜାୟ ରଖି ପାରିଛି । ଏହି ପବିତ୍ର ମାଟିରେ ବିଭିନ୍ନ ସମୟରେ ଅନେକ ସାଧୁ, ସନ୍ୟାସୀ, ତାନ୍ତ୍ରିକ ସେମାନଙ୍କର ଶୁଦ୍ଧ ସାଧନା ବଳରେ ସିଦ୍ଧି ପ୍ରାପ୍ତ କରି ସମଗ୍ର ବିଶ୍ୱକୁ ଶକ୍ତିଙ୍କ ଶ୍ରେଷ୍ଠତା ସମ୍ବନ୍ଧରେ ଅନେକ ପ୍ରାମାଣିକ ତଥ୍ୟ ପ୍ରଦାନ କରି ଯାଇଛନ୍ତି । ଯାହାଦ୍ୱାରା ଜୟ କରିବାର ଶକ୍ତି ଅର୍ଜନ କରାଯାଏ ତାହା ହିଁ ଶକ୍ତି । ଶକ୍ତି ହେଉଛନ୍ତି ଆଦି ଜନନୀ, କରୁଣାମୟୀ, ସକଳ ସଂକଟହାରିଣୀ ମା’ । ସେ ଦି’ ଭୁଜା, ଚତୁର୍ଭୁଜା, ଅଷ୍ଟଭୁଜା ଦଶଭୁଜା ଓ ସହସ୍ର ଭୁଜା ରୂପେ ପୂଜିତ । ସେ ସିଂହବାହିନୀ ଓ ବ୍ୟାଘ୍ରଦେବୀ ମଧ୍ୟ । ଶକ୍ତି ଯୋଗମାୟା, ଯୋଗେଶ୍ୱରୀ, ଦୁର୍ଗା, କାଳୀ, ଚଣ୍ଡୀ, କମଳା, ବିମଳା, ଆଦିରୂପା, କାତ୍ୟାୟନୀ, କାଳରାତ୍ରି । ଏହିପରି ସହସ୍ର ନାମ ଧାରିଣୀ ଦେବୀ ମା’ । ଏତଦ ବ୍ୟତୀତ ଦେବୀଙ୍କୁ ସୂର୍ଯ୍ୟଙ୍କ ପତ୍ନୀ ଛାୟା, ଚନ୍ଦ୍ରଙ୍କ ପତ୍ନୀ ରୋହିଣୀ, ଇନ୍ଦ୍ରଙ୍କର ଶଚୀଦେବୀ ଓ କାମଦେବଙ୍କ ପତ୍ନୀ ରତିଦେବୀ ଭାବରେ ବିଭିନ୍ନ ପୁରାଣରେ କବି ମାନେ ବର୍ଣ୍ଣନା କରି ଅଛନ୍ତି । ଗୃହରେ ଗୃହଲକ୍ଷ୍ମୀ ଓ ରାଜ୍ୟରେ ରାଜ୍ୟଲକ୍ଷ୍ମୀ ଭାବେ ମା’ ଆରାଧିତା ହେବା ସହ ଘୋର ବନସ୍ତରେ ସେ ମଧ୍ୟ ବନଦୁର୍ଗା, ଶ୍ମଶାନରେ ଶ୍ମଶାନ କାଳୀ । ଶକ୍ତି ଆଦିଜନନୀ ଭାବରେ ସର୍ବତ୍ର ପୂଜିତ, ଆରାଧିତା । ଶ୍ରୀଦୁର୍ଗା ହେଉଛନ୍ତି ସ୍ୱୟଂ ଶକ୍ତି । ଅସୁର ନିଧନ ଉଦ୍ଦେଶ୍ୟରେ ଦେବୀ ଦୁର୍ଗାଙ୍କ ଆବିର୍ଭାବ ବିଷୟ ପୁରାଣରେ ବର୍ଣ୍ଣିତ ହୋଇଥିଲେ ସୁଦ୍ଧା ସାମ୍ପ୍ରତିକ ଯୁଗରେ ମନୁଷ୍ୟମାନଙ୍କର ମଧ୍ୟରେ ଥିବା ଆସୁରିକ ପ୍ରବଣତାର ବିଲୋପ ସକାଶେ ମନୁଷ୍ୟ, ଦେବୀ ମା’ଙ୍କୁ ଆବାହନ ପୂର୍ବକ ଶିଶୁଟିଏ ପରି ଅଲି ଅର୍ଦ୍ଦଳି ପ୍ରକାଶ କରି ତାର ଯାବତୀୟ ଦୁଃଖ ଜଣାଇଥାଏ । ଗବେଷକମାନଙ୍କ ମତାନୁସାରେ ଉନ୍ନବିଂଶ ଶତାଦ୍ଦୀରେ ବଙ୍ଗୀୟ ସଂସ୍କୃତିରୁ ଆମ ଓଡ଼ିଶାରେ ପ୍ରଥମେ ଦେବୀ ଶକ୍ତିଙ୍କ ମୃଣ୍ମୟୀ ପ୍ରତିମା ପୂଜା ପ୍ରଚଳନ ଆରମ୍ଭ ହୋଇଛି । ଏହାର ପୂର୍ବବ ସମୟରେ ଜନସାଧାରଣ ବିଭିନ୍ନ ବୃକ୍ଷ ଲତା, ପ୍ରସ୍ତର ଇତ୍ୟାଦିକୁ ଦେବୀଙ୍କ ମାନ୍ୟତା ଦେଇ ଉପାସନା କରୁଥିଲେ । ବୃକ୍ଷମୂଳ, ପାହାଡ଼ ଗୂମ୍ପା ପ୍ରଭୃତିରେ ମଧ୍ୟ ଦେବୀଙ୍କ ସ୍ଥାନ ରହିଥିଲା । ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ନାମରେ ଦେବୀ ଶକ୍ତି ଉପାସିତା । ଆଦିକବି ସାରଳା ଦାସ ଚଣ୍ଡୀ ପୁରାଣରେ ଦୁର୍ଗା ନାମର ସାର୍ଥକତା ପ୍ରତିପାଦନ କରିବାକୁ ଯାଇ ଲେଖିଛନ୍ତି -”ଦୁର୍ଗତିରୁ ଯେଣୁ କରିପାରନ୍ତି ସେ ଦୂର, ତେଣୁ କରି ଦୁର୍ଗା ନାମ ଅଟଇ ତାଙ୍କର ” ଅର୍ଥାତ ମା’ଦୁର୍ଗା ହେଉଛନ୍ତି ସକଳ ଦୁର୍ଗତି ନିବାରିଣୀ । ତାଙ୍କ ଚରଣାଶ୍ରିତ ପ୍ରତ୍ୟେକ ଜୀବ ସକାଶେ ଝରି ପଡେ ଅନନ୍ତ କୃପା ବାରି । ଚଣ୍ଡୀ ଗ୍ରନ୍ଥର ଅନ୍ୟ ଏକ ପୌରାଣିକ କାହାଣୀରୁ ଜଣାଯାଏ ଯେ, ଦୁର୍ଗମ ନାମକ ଏକ ଅସୁରକୁ ନିପାତ କରିଥିବା ଯୋଗୁଁ ଦେବୀ ହେଉଛନ୍ତି ‘ଦୁର୍ଗା’ । ସାରଳା ଦାସଙ୍କ ଦ୍ୱାରା ରଚିତ ବିଲଙ୍କା ରାମାୟଣ, ମହାଭାରତ ଓ ଚଣ୍ଡୀ ପୁରାଣରୁ ଶକ୍ତି ଉପାସନାର ଯଥେଷ୍ଟ ପ୍ରମାଣ ମିଳେ । ଏହି ସମସ୍ତ ଶକ୍ତି ଗ୍ରନ୍ଥର ନାରୀ ଚରିତ୍ରମାନେ ହେଉଛନ୍ତି ଶକ୍ତି ସ୍ୱରୂପା ଯଥା, ଦେବୀ ସୀତା ମହାମାୟା ମାହେଶ୍ୱରୀ ଓ ଦ୍ରୌପଦୀ, ଦେବୀ କେତୁକା ନାମରେ ଅଭିହିତା । ଚଣ୍ଡୀ ପୁରାଣରେ କବି ମୁକ୍ତ କଣ୍ଠରେ ଦେବୀ ଦୁର୍ଗାଙ୍କ ମହିମା ଗାନ କରି ଅଛନ୍ତି । ଏହି ପୁରାଣରେ ମଧ୍ୟ ଦୁର୍ଗା ଦେବୀଙ୍କ ଠାରୁ ନବକୋଟି କାତ୍ୟାୟନୀ ଓ ଚଉଷଠି ଯୋଗିନୀଙ୍କର ଆବିର୍ଭାବ ବିଷୟ ଉଲ୍ଲେଖ ରହିଛି । ଓଡ଼ିଆ ସାହିତ୍ୟରେ ଶକ୍ତି ପୂଜାର ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳିଥାଏ । କବି ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣରେ ”ଲକ୍ଷ୍ମୀ ପୂଜା” ପ୍ରସଙ୍ଗରେ ବର୍ଣ୍ଣିତ ହୋଇଛି ଯେ, ଲକ୍ଷ୍ମୀ ଛଡା ପୁରୁଷର କେହି ସହାୟ ନୁହନ୍ତି । ଅର୍ଥାତ ସେ ଯିଏ ହୁଅନ୍ତୁ ନା କାହିଁକି ତାକୁ ମା’ ଶକ୍ତିଙ୍କ ଶରଣାପନ୍ନ ହେବାକୁ ହିଁ ପଡିଥାଏ; ଯେ ହେତୁ ମହାଲକ୍ଷ୍ମୀ ହେଉଛନ୍ତି ସ୍ୱୟଂ ଶକ୍ତିରୂପିଣୀ । ସ୍ୱୟଂ ଶୁଦ୍ରମୁନି ସାରଳା ଦାସ ମା’ ସାରଳାଙ୍କ ଅଶେଷ କୃପାରୁ ହିଁ କବିତ୍ୱର ଅଧିକାରୀ ହୋଇ ନିଜ ନାମକୁ ସାର୍ଥକ କରିପାରିଛନ୍ତି । ଏହା ତାଙ୍କର ମୁଖ ନିଃସୃତ ଅଟେ । ଏଠାରେ କବିଙ୍କ ଦୃଷ୍ଟିରେ ଦେବୀ ସାରଳା ହେଉଛନ୍ତି ସ୍ୱୟଂ ବିଦ୍ୟା ଦାୟିନୀ ମା’ ସରସ୍ୱତୀ । ସେହପରି ମା’ ଶାରଦାଙ୍କ ଅନନ୍ତାଶିର୍ବାଦରୁ ଜଣେ ଦିବ୍ୟ ପୁରୁଷ ଭାବରେ ସ୍ୱାମୀ ବିବେକା ନନ୍ଦ ଜଣେ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ଭାବରେ ପ୍ରତିଷ୍ଠିତ ହୋଇପାରିଥିଲେ । ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ସଫଳାତାପୂର୍ଣ୍ଣ ଜୀବନରେ ମା’କାଳୀଙ୍କ କୃପା ଦୃଷ୍ଟିର ପଟାନ୍ତର ନାହିଁ । ଆଜନ୍ମ ନିର୍ବୋଧ, ଅଜ୍ଞାନ ଅନ୍ଧକାରାଚ୍ଛନ୍ନ କାଳିଦାସଙ୍କ ପରବ ଜୀବନ ମଧ୍ୟ ସେଇ କରୁଣାମୟୀ ଶକ୍ତି ସରସ୍ୱତୀଙ୍କ କରୁଣାରୁ ହିଁ ଅସୀମାଲୋକରେ ଉଦ୍ଭାସିତ ହୋଇ ଉଠିଥିଲା । ଯାହାଫଳରେ ସେ ଜଣେ ବିଦ୍ୱାନ ଓ ବିଖ୍ୟାତ କବି ଭାବରେ ଶ୍ରେଷ୍ଠତା ଅର୍ଜନ କରି ପାରିଥିଲେ । ଦେବୀଙ୍କ ଅଭୟରୁ ଯେକୌଣସି ଅସମ୍ଭବ କାର୍ଯ୍ୟ ମଧ୍ୟ ସମ୍ଭବ ହୋଇପାରେ ଏହା ପ୍ରମାଣିତ ହୁଏ । ମନୁଷ୍ୟର ପ୍ରତ୍ୟେକ କାର୍ଯ୍ୟ ଶକ୍ତିଙ୍କ ଦ୍ୱାରା ସମ୍ପାଦିତ ହୋଇଥାଏ । ଆମ ଓଡିଶା ପ୍ରଦେଶର କୋଣେ ଅନୁକୋଣେ ଶକ୍ତି ଉପାସନାର ସ୍ପଷ୍ଟ ଚିତ୍ର ବାରି ହୋଇଯାଏ । ପୂର୍ବେ ରାଜା ମହାରାଜାମାନଙ୍କ ରାଜୁତି ସମୟରେ ସେମାନଙ୍କର ଗଡ ଦେବୀ ଥିଲେ ମା’ଶକ୍ତି । ଅନେକ ସ୍ଥାନରେ ଶକ୍ତି ”ଗଡ଼ଚଣ୍ଡୀ” ରୂପେ ଉପାସିତା ହେଉଥିଲେ । ସେ ସମସ୍ତ ପ୍ରକାର ଆପଦ ବିପଦରୁ ରାଜ୍ୟକୁ ରକ୍ଷା କରୁଥିଲେ । ନୌବାଣିଜ୍ୟ ସମରସଜ୍ଜା, ଯୁଦ୍ଧ ଯାତ୍ରାରେ ଦେବୀ ଆରାଧନା ଏକ ପ୍ରମୁଖ ଅଙ୍ଗ ଥିଲା । ଓଡ଼ିଶାର ଅଧିକାଂଶ ଗୃହରେ ଆଜି ସୁଦ୍ଧା ଇଷ୍ଟଦେବୀ ଭାବରେ ଦେବୀ ଶକ୍ତି ଉପାସିତା ହୁଅନ୍ତି । ଗୃହରେ ଚଉରାରେ ପୂଜିତ ହେଉଥିବା ତୁଳସୀ ମଧ୍ୟ ଦେବୀ ଶକ୍ତି ଅଟନ୍ତି । ଗ୍ରାମାଞ୍ଚଳରେ ଗ୍ରାମଦେବତୀ କହିଲେ ବୁଝାଯାଏ ସେ ହିଁ ମା’ଶକ୍ତି । ଓଡ଼ିଶାର ଘରେ ଘରେ ପାଳନ କରାଯାଉଥିବା ମଙ୍ଗଳା ପୂଜା, ଖୁଦୁରୁକୁଣୀ ଓଷା, ଭାଲୁକୁଣି ଓଷା ଓ ତଅପୋଇ ଓଷା ପ୍ରଭୃତିରେ ଦେବୀଙ୍କର ପ୍ରାଧାନ୍ୟତା ଦେଖିବାକୁ ମିଳିଥାଏ । ଏହାଛଡା ଡାହାଣୀ, ଭୁତ, ପ୍ରେତ ତଥା ବିଭିନ୍ନ ସଂକ୍ରାମକ ରୋଗ ଦାଉରୁ ରକ୍ଷା ପାଇବା ସକାଶେ ମନୁଷ୍ୟ ଶକ୍ତିଙ୍କଠାରେ ଶରଣାପନ୍ନ ହୋଇଥାଏ । ଗ୍ରାମାଞ୍ଚଳରେ ପ୍ରଚଳିତ ଝଡାଫୁଙ୍କା, ଗୁଣିଗାରେଡି ଓ ତନ୍ତ୍ର ସାଧନା ଇତ୍ୟାଦିରେ ଶକ୍ତିଙ୍କୁ ଅତ୍ୟନ୍ତ ନିଷ୍ଠାର ସହ ଆରାଧନା କରାଯାଇଥାଏ । ଗୃହର ସୁଖ ସମୃଦ୍ଧି କାମନା କରି ତଥା ନିଜ ପ୍ରିୟଜନମାନଙ୍କ ମଙ୍ଗଳ ମନାସି ଯେଉଁ ”ଚଣ୍ଡୀପାଠ” କରାଯାଏ, ତାହା ମଧ୍ୟ ଶକ୍ତି ଆରାଧନା । ଜୀବନର ପ୍ରତିଟି ସୋପାନରେ ମନୁଷ୍ୟ ମା’ଶକ୍ତିଙ୍କର ଆଶିଷ କାମନା କରିଥାଏ । ଶକ୍ତି ବିହୁନେ ତାର ସ୍ଥିତି ଅସମ୍ଭବ । ମନୁଷ୍ୟ ଶକ୍ତିଙ୍କର ସଦା ଆଶ୍ରିତ ସେ ଗତି ସେ ହିଁ ମୁକ୍ତି । ଶାରଦୀୟ ଦୁର୍ଗା ପୂଜା ଅବସରରେ ଆମ ସାଂସ୍କୃତିକ ପ୍ରାଣକ୍ଷେତ୍ର ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମା’ ବିମଳାଙ୍କ ଷୋଡଶ ପୂଜା ତଥା ନବଦିନ ବ୍ୟାପି ”ନବରାତ୍ର” ପୂଜାର ମଧ୍ୟ ବୈଶିଷ୍ଟ୍ୟତା ରହିଛି । ସ୍କନ୍ଦ ପୁରାଣର ବର୍ଣ୍ଣନା ଅନୁଯାୟୀ ଶ୍ରୀକ୍ଷେତ୍ର ପୁରୀର ଅଷ୍ଟଦିଗରେ ଅର୍ଥାତ ଚାରି ଦିଗ ଓ ଚାରି କୋଣରେ ଅଷ୍ଟ ଶକ୍ତି ବିରାଜମାନ କରି ଅଛନ୍ତି । ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମା’ ବିମଳାଙ୍କୁ ମହାଲକ୍ଷ୍ମୀ ଓ ମହାସରସ୍ୱତୀଙ୍କ ନାମରେ ପୂଜାର୍ଚ୍ଚନା କରାଯାଇଥାଏ । ଦଶହରା ସମୟରେ ବିମଳା, ଭଦ୍ରକାଳୀ ରୂପେ ପୂଜା ପାଇଥାଆନ୍ତି । ବିମଳାଙ୍କ ନିକଟରେ ପ୍ରସାଦ ଅର୍ପଣ କରିବା ପରେ ଯାଇ ତାହା ମହାପ୍ରସାଦର ମାନ୍ୟତା ପାଇଥାଏ ଏହା ଅତୀବ ତାତ୍ପର୍ଯ୍ୟପୂର୍ଣ୍ଣ । ବାହୁଡା ଦଶମୀ ତିଥିରେ ମହାପ୍ରଭୁ ଶ୍ରୀଶ୍ରୀ ଜଗନ୍ନାଥ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବା ସମୟରେ ଗଜପତି ମହାରାଜାଙ୍କ ଦ୍ୱାରା ଲକ୍ଷ୍ମୀନାରାୟଣ ଭେଟ ଅନୁଷ୍ଠିତ ହୋଇଥାଏ । ଏଥିରୁ ପ୍ରାଞ୍ଜଳ ଭାବେ ବୁଝା ପଡେ ଯେ, ଶ୍ରୀଜଗନ୍ନାଥଙ୍କ ଉପାସନା ସହିତ ଶକ୍ତି ସ୍ୱରୂପିଣୀ ମହାଲକ୍ଷ୍ମୀଙ୍କ ସମ୍ପର୍କରେ ବିଶେଷ ଘନିଷ୍ଠତା ରହିଛି । ରାମାୟଣ ଗ୍ରନ୍ଥରୁ ଜଣାଯାଏ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ମଧ୍ୟ ଦେବୀ ଦୁର୍ଗାଙ୍କୁ ଆରାଧନା କରି ଲଙ୍କା ଜୟ କରିଥିଲେ । ବ୍ରଜପୁର ଗୋପିକାମାନେ ଶ୍ରୀକୃଷ୍ଣଙ୍କୁ ପତି ରୂପେ ପାଇବା ପାଇଁ ଯେଉଁ ଗୌରୀ ପୂଜା କରିଥିଲେ ତାହା ମଧ୍ୟ ଶକ୍ତି ପୂଜାର ଜ୍ଵଳନ୍ତ ଉଦାହରଣ । ସକଳ ଦୁର୍ଗତିର ବିନାଶ କରି ସନାତନୀ ଆତ୍ମାର ବିକାଶ ଉଦ୍ଦେଶ୍ୟରେ ଯୁଗେ ଯୁଗେ ଭକ୍ତ, କବି, ଲେଖକ, ସାଧୁ, ସନ୍ଥ ସନ୍ୟାସୀ ଠାରୁ ଆରମ୍ଭ କରି ପ୍ରତ୍ୟେକ ବର୍ଗର ଜନସାଧାରଣ ସିଂହବାହିନୀ ମା’ ଦୁର୍ଗାଙ୍କ ଆରାଧନା କରି ଆସୁଛନ୍ତି । ସାମ୍ପ୍ରତିକ ଯାନ୍ତ୍ରିକ ଯୁଗରେ ମଧ୍ୟ ଶକ୍ତି ସ୍ୱରୂପିଣୀ ମା’ଙ୍କର ଉପାସନା ଗାଁ, ସହର, ବଜାର, ଗଳି, କନ୍ଦି ସମସ୍ତ ସ୍ଥାନରେ ଅତ୍ୟନ୍ତ ଆନନ୍ଦ, ଉତ୍ସାହ ଉଦ୍ଦୀପନା ଓ ନିଷ୍ଠାର ସହ ପାଳନ କରାଯାଉଛି । ଶାରଦୀୟ ଅବସରରେ ମା’ଙ୍କ ଆଗମନା ସକାଶେ ମନରେ, ହୃଦୟରେ ଆପେ ଆପେ ଏପରି ଅପୂର୍ବ ଭାବାବେଗ ସୃଷ୍ଟି ହୋଇଯାଏ, ଯାହା କି ଜନନୀ ଓ ସନ୍ତାନର ନୀବିଡତାକୁ ସୂଚିତ କରାଏ । ଏହିପରି ଭାବରେ ସମସ୍ତ ଦୃଷ୍ଟିରୁ ବିଚାର କଲେ ଜଣାଯାଏ ଯେ, ଶକ୍ତି ପୂଜା ତଥା ଶାରଦୀୟ ଦୁର୍ଗାପୂଜାର ପ୍ରାସଙ୍ଗିକତା ଓ ଗୁରୁତ୍ୱ ଯଥେଷ୍ଟ ବେଶୀ । ଏଥିରେ ତିଳେ ହେଲେ ସନ୍ଦେହ ନାହିଁ ।

କରୁଣାମୟୀ, ଦୟାମୟୀ ମାଗୋ
ଆଦିଶକ୍ତି ଜଗତ ଜନନୀ
ତୋର ଆଶିଷ ବରଷାରେ ଧୋଇ
ଦେ’ମା ଯେତେ ନୈରାଶ୍ୟ, ଗ୍ଲାନି

ରିପୋର୍ଟ : (ସମୃଦ୍ଧ ଓଡିଶା) ଲେଖକ ବିରଜା ମୋହିନୀ ତ୍ରିପାଠୀ, ଅଇଁଠାପାଲି, ସମ୍ବଲପୁର