ଶହେ, ଦୁଇ ଶହ ମହିଳା ଏସୀୟ ଦୌଡରେ ଦୂତିଙ୍କୁ ଚାନ୍ଦି..

ଇଣ୍ଡୋନେସିଆର ଜାକର୍ତା ଠାରେ ଚାଲିଥିବା ଏସୀୟ କ୍ରୀଡାରେ ଶହେ ଓ ଦୁଇ ଶହ ମିଟର ମହିଳା ଦୌଡ ପ୍ରତିଯୋଗିତାରେ ଓଡ଼ିଆ ଆଥେଲେଟ୍ ଦୂତି ଚାନ୍ଦ୍ ଚାନ୍ଦିର ପଦକ ଲାଭ କରି ଦେଶ ତଥା ରାଜ୍ୟକୁ ଗୌରାବାନ୍ୱିତ କରିଛନ୍ତି । ବୁଧବାର ଅନୁଷ୍ଠିତ ୨୦୦ ମିଟର ଦୌଡ ପ୍ରତିଯୋଗିତାରେ ସେ ୨୩.୨୦ ସେକେଂଡରେ ନିର୍ଦ୍ଧାରିତ ଦୂରତ୍ୱ ଅତିକ୍ରମ କରି ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ପୂର୍ବରୁ ରବିବାର ଦିନ ଅନୁଷ୍ଠିତ ୧୦୦ ମିଟର ଗ୍ଲାମର ଇଭେଂଟରେ ରୌପ୍ୟ ପଦକ ହାସଲ କରି ସାରିଥିଲେ । ଭୁବନେଶ୍ୱରରେ ଅନୁଷ୍ଠିତ ଏସିଆନ୍ ଆଥେଲେଟିକ୍ସ ଚାଂପିଅନସିପ୍ ରେ ସେ ବ୍ରୋଂଜ୍ ପଦକ ପାଇ ଥିଲେ । ଜାକର୍ତା ଏସୀୟ କ୍ରୀଡାରେ ମହିଳା ବିଭାଗ ୧୦୦ ଓ ୨୦୦ ମିଟର ଦୌଡରେ ଦୁଇଟି ଚାନ୍ଦି ବା ରୌପ୍ୟ ପଦକ ହାସଲ କରିବା ସେ ଦେଶକୁ ଗୌରାବାନ୍ୱିତ କରିବା ସହ ୩୨ ବର୍ଷ ତଳେ ଦୌଡରାଣୀ ତଥା ପୂର୍ବତନ ସ୍ପ୍ରିଂଟର ପି.ଟି. ଉଷାଙ୍କ ରେକର୍ଡ ସମକକ୍ଷ ହୋଇ ପାରିଛନ୍ତି।

ଦୂତି ରବିବାର ଅନୁଷ୍ଠିତ ୧୦୦ ମିଟର ଦୌଡରେ ନିର୍ଦ୍ଧାରିତ ଦୂରତାକୁ ୧୧.୩୨ ସେକେଂଡରେ ଅତିକ୍ରମ କରି ଜାକର୍ତା ଏସୀୟ କ୍ରୀଡାରେ ଦୌଡ ପ୍ରତିଯୋଗିତାରେ ପ୍ରଥମ ରୌପ୍ୟ ପଦକ ହାସଲ କରିଥିଲେ । ଦୂତି ମାତ୍ର ଦୁଇ ମାଇକ୍ରୋ ସେକେଂଡରୁ ସ୍ୱର୍ଣ୍ଣ ପଦକରୁ ବଂଚିତ ହୋଇ ଥିଲେ । ବୁଧବାର ଅନୁଷ୍ଠିତ ୨୦୦ ମିଟର ଦୌଡରେ ସେ ସ୍ୱର୍ଣ୍ଣ ପଦକ ପାଇବା ଲକ୍ଷ୍ୟ ରଖି ଥିଲେ ମଧ୍ୟ ୨୩.୨୦ ସେକେଂଡରେ ଦୂରତା ଅତିକ୍ରମ କରି ଦ୍ୱିତୀୟ ସ୍ଥାନରେ ରହି ଥିଲେ । ସେମିଫାଇନାଲରେ ସେ ୨୩ ସେକେଂଡରେ ଏହି ଦୂରତା ଅତିକ୍ରମ କରି ତାଲିକାରେ ଶୀର୍ଷରେ ଥିଲେ ମଧ୍ୟ ଫାଇନାଲରେ ତାହା ଦୋହରାଇ ପାରି ନ ଥିଲେ । ବାହାରିନର ଓଡ଼ିଅଙ୍ଗ ଏଡିଡିଆଙ୍ଗ ୨୦୦ ମିଟର ମହିଳା ଦୌଡ ପ୍ରତିଯୋଗିତାର ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି ।

୧୯୮୬ ଏସିଆଡ୍ ରେ ଦୌଡରାଣୀ ପି.ଟି. ଉଷା ୧୦୦ ମିଟର ଦୌଡରେ ରୌପ୍ୟ ଏବଂ ୨୦୦ ଓ ୪୦୦ ମିଟର ଦୌଡରେ ସ୍ୱର୍ଣ୍ଣ ପଦକ ହାସଲ କରି ରେକର୍ଡ ସୃଷ୍ଟି କରିଥିଲେ । ଉଷା ୧୦୦ ମିଟର ଦୂରତାକୁ ୧୧.୬୭ ସେକେଂଡରେ ଅତିକ୍ରମ କରିଥିବା ବେଳେ ୨୦୦ ମିଟରକୁ ୨୩.୪୪ ସେକେଂଡରେ ଅତିକ୍ରମ କରିଥିଲେ । ସେ ୧୯୮୨ ଦିଲ୍ଲୀ ଏସିଆଡରେ ମଧ୍ୟ ୧୦୦ ଓ ୨୦୦ ମିଟର ଦୌଡରେ ରୌପ୍ୟ ପଦକ ଜିତି କ୍ରମାଗତ ଦୁଇ ଥର ୧୦୦ ଓ ୨୦୦ ମିଟର ଦୌଡରେ ଏସିଆଡ୍ ପଦକ ବିଜେତା ହୋଇ ଥିଲେ । ୨୨ ବର୍ଷିୟ ଓଡ଼ିଆ ଆଥେଲେଟ୍ ଦୂତି ଚାନ୍ଦ୍ ୨୦୧୮ ଏସିଆଡରେ ୧୦୦ ଓ ୨୦୦ ମିଟର ଦୌଡରେ ଦୁଇଟି ରୌପ୍ୟ ପଦକ ଜିତି ପି.ଟି. ଉଷାଙ୍କ ଭଳି ରେକର୍ଡ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି । ଏହି ସଫଳତା ଓଡ଼ିଶାକୁ ଗୌରାବାନ୍ୱିତ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୂତିଙ୍କୁ ଅଭିନନ୍ଦନ ଜଣାଇବା ସହ ଦେଢ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରି ସାରିଛନ୍ତି ।