ଜଳେଶ୍ୱର (ସମୃଦ୍ଧ ଓଡିଶା) ସମାଜରେ ମହିଳା ଓ ଶିଶୁ ମୃତ୍ୟୁହାର ରୋକିବା ଓ ସେମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବାଲାଗି ସରକାର ବହୁ ପ୍ରକଳ୍ପ କରିଥିଲେ ମଧ୍ୟ ବିଶେଷ କରି ମହିଳା ଓ ଶିଶୁ ମାନଙ୍କର ପୋଷଣର ଅଭାବ ପରିଲକ୍ଷିତ ହେଉଥିବାରୁ ସେମାନେ ଦୁର୍ବଳ, ଅସୁସ୍ଥ କିମ୍ବା ମୃତ୍ୟୁ ମୁଖରେ ପଡୁଛନ୍ତି । ତେଣୁ ସରକାର ଅଙ୍ଗନୱାଡିକେନ୍ଦ୍ର ମାଧ୍ୟମରେ ସଚେତନ କରାଇବା ସହ ଶିଶୁ ଓ ମହିଳ ମୃତ୍ୟୁହାର କମାଇବା ଲାଗି ପୋଷଣ ଖାଦ୍ୟ (ନ୍ୟୁଟ୍ରେସନ) ଯୋଗାଇବାର ବ୍ୟବସ୍ଥା କରିଛନ୍ତି । ଆଜି ବିଶ୍ୱ ପୋଷଣ ଦିବସ ଅବସରରେ ଜଳେଶ୍ୱର ପୌରପରିଷଦ ଅନ୍ତର୍ଗତ ଶାନ୍ତିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଥିଲାଗି ଏକ ସଚେତନତା ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବନଜା ଦାସ ସଭାପତିତ୍ୱ କରିଥିବା ବେଳେ ନୂତନ ଭାବେ ଯୋଗ ଦେଇଥିବା ସିଡିପିଓ ଦିପ୍ତିମୟୀ ପୋଥାଳ ଉଦଘାଟନ କରି ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ ବୋଲି କହିଥିଲେ । ତେଣୁ ଶିଶୁ ଓ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ସମ୍ବଦ୍ଧରେ ବହୁ ଉପାଦେୟ ତଥ୍ୟ ପ୍ରକାଶ କରିଥିଲେ । ଡା ବିପ୍ଲବ କୁମାର ପ୍ରଧାନଓ ଡା. ମୋହନଲାଲ ମହାନ୍ତି ଏଥିରେ ଯୋଗ ଦେଇ ଶିଶୁ ଓ ମହିଳାଙ୍କ ଯତ୍ନନେବା ସହିତ ଏବେ ଡେଙ୍ଗୁ ଓ ମେଲେରିଆରୁ ମୁକ୍ତ ରହିବା ପାଇଁ ସଚେତନ କରାଇଥିଲେ । ସୁପରଭାଇଜର ବିନତାମଣି ସିଂ ଅଙ୍ଗନୱାଡି କର୍ମୀଙ୍କର କାର୍ଯ୍ୟ ଓ ଦାୟିତ୍ୱ ସଂପର୍କରେ ଆଲୋକପାତ କରିଥିଲେ । ଏଥିରେ ୨୧ଟି ଅଙ୍ଗନୱାଡି କେନ୍ଦ୍ରର ବହୁ କର୍ମୀମାନେ ଯୋଗ ଦେଇଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡ଼ା