ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ସବଡିଭିଜନାଲ୍ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ସନ୍ତୋଷ କୁମାର ପାଣିଗ୍ରାହୀ, ମଙ୍ଗଳବାର ଦିନ ଶାଶୁ ଶଶୁରଙ୍କୁ ମାଡ଼ ମାରିବା ଅଭିଯୋଗରେ ରୁକୁଣୀ ଗ୍ରାମ, ଛତ୍ରପୁର ଥାନାର ଛବି ପ୍ରଧାନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି | ପ୍ରକାଶ ଯେ, ୧୩ବର୍ଷ ତଳେ ଅର୍ଥାତ ଗତ ୦୭-୦୩-୨୦୦୬ ମସିହାରେ, ଦିନ ୧୨ଟା ସମୟରେ ଏତଲାକାରୀ ଭୁଜ ପ୍ରଧାନଙ୍କ ପୁଅ ୰ତ୍ରିନାଥ ପ୍ରଧାନ ଓ ବୋହୁ ଛବି ପ୍ରଧାନ, ଏତଲାକାରୀଙ୍କ ଘରେ ପଶି ତାଙ୍କୁ କାହିଁକି ଭୁଜ ପ୍ରଧାନଙ୍କ ନାତୁଣୀର (ଝିଅର ଝିଅ) ଜନ୍ମଦିନ ଭୋଜିରେ ନ ଡାକିଲେ କହି ଏତଲାକାରୀଙ୍କୁ ମାଡ଼ ମାରିବା ଆରମ୍ଭ କଲେ। ପରେ ସେମାନେ ମିଶି ଭୁଜ ପ୍ରଧାନଙ୍କ ସ୍ତ୍ରୀଙ୍କୁ ମଧ୍ୟ ଆକ୍ରମଣ କରିବାରୁ ପଛାଇ ନଥିଲେ ଓ ତାଙ୍କ ଝିଅ ମାନସୀ ପ୍ରଧାନ ଏହାକୁ ବିରୋଧ କରିବାକୁ ଆସି ମାଡ଼ରୁ ରକ୍ଷା ପାଇ ପାରିନଥିଲେ | ତେଣୁ ଏହି ସଙ୍କ୍ରାନ୍ତରେ ଏତାଲାକାରୀ ଭୁଜ ପ୍ରଧାନ ଥାନାରେ ପହଞ୍ଚି ଗତ ୦୯-୦୩-୨୦୦୬ ରିଖ ଦିନ ଏତଲା ଦେଇଥିଲେ | କେସ୍ ନମ୍ବର୍ ୫୫/୨୦୦୬ରେ ମାମଲା ରୁଜୁ କରି ଛତ୍ରପୁର ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ୍ ଚାଲାଣ କରିଥିଲେ | ମାମଲା ବିଚରାଧୀନ ଥିବା ସମୟରେ ଅନ୍ୟ ଅଭିଯୁକ୍ତ ତ୍ରିନାଥ ପ୍ରଧାନଙ୍କର ମୃତ୍ୟୁ ହୋଇଥିଲା । ତେଣୁ କେବଳ ତାଙ୍କ ସ୍ତ୍ରୀଙ୍କ ବିପକ୍ଷରେ ଥିବା ଅଭିଯୋଗକୁ ଆଧାର କରି କୋର୍ଟରେ ବିଚାର କରାଯାଇଥିଲା। ବିଭିନ୍ନ ସାକ୍ଷ୍ୟ ପ୍ରମାଣକୁ ବିଚାର କରି ୧୩ ବର୍ଷ ପରେ ବିଚାରପତି ଆଜି ତା ୧୪-୦୫-୨୦୧୯ ଦିନ, ଅଭିଯୁକ୍ତଙ୍କୁ ସେକ୍ସନ ୩ ପ୍ରୋବେସନ ଅଫ ଅଫଣ୍ଡରସ ଆକ୍ଟରେ ଭର୍ତ୍ସନା କରି ଚେତାବନି ଦେଇ ଘଟଣାର ପୁନରାବୃତ୍ତି ନ କରିବାକୁ କହିଛନ୍ତି | ସରକାରଙ୍କ ପକ୍ଷରୁ କ୍ୟାଡର୍ ଏପିପି ରାଜେଶ୍ କୁମାର୍ ମିଶ୍ର, ଏପିପି କୃଷ୍ଣଚନ୍ଦ୍ର ବେହେରା ଏହି ମାମଲା ପରିଚାଳନା କରିଥିଲେ |
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା