ଶିବାନନ୍ଦ ସ୍କୁଲ୍‌ ଶିକ୍ଷା ଓ ନୈତିକତାର ପ୍ରୟୋଗଶାଳା…

ଭୁବନେଶ୍ଵର (ସମୃଦ୍ଧ ଓଡିଶା) ଶିବାନନ୍ଦ ଶତବାର୍ଷିକ ବାଳକ ଉଚ୍ଚ ବିଦ୍ୟାଳୟ ଶିକ୍ଷା ଓ ନୈତିକତାର ପ୍ରୟୋଗଶାଳା । ଏଠୁ ଶିକ୍ଷା ଆହରଣ କରୁଥିବା ଛାତ୍ର କେବଳ ନିଜ ପାଇଁ ନୁହେଁ ସମାଜ ପାଇଁ ମଧ୍ୟ ତା’ର ଅବଦାନ ରଖିବ ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଦ୍ୟାଳୟର ନବ ନିର୍ମିତ ଏକାଡେମିକ୍‌ ବ୍ଲକ୍‌, ହଷ୍ଟେଲ୍‌ ବ୍ଲକ୍‌ ଓ ସ୍ୱାମୀ ଶିବାନନ୍ଦ ଆକ୍ଟିଭିଟି କେନ୍ଦ୍ର ଉଦ୍‌ଘାଟିତ କରିବା ସହ ଏଭଳି ବକ୍ତବ୍ୟ ରଖିଛନ୍ତି । ସାଂସଦ ଅପରାଜିତା ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ଛୋଟ ପିଲାମାନେ ବଡ଼ ବଡ଼ ସ୍ୱପ୍ନ ଦେଖନ୍ତୁ । ଏ ସ୍ବପ୍ନ ଦେଖିବା ପାଇଁ ସେମାନଙ୍କ ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି ହେଉ। ଅନୁଶାସନ, ଶିକ୍ଷାପଦ୍ଧତି ଓ ବାତାବାରଣ ଦୃଷ୍ଟିରୁ ଏହି ବିଦ୍ୟାଳୟ ଉଦାହରଣ ହୋଇଥିବାରୁ ଏହି ଅନୁଷ୍ଠାନରୁ ପିଲାମାନେ ଫାଇଦା ନିଅନ୍ତୁ ବୋଲି ସେ କହିଥିଲେ। ସ୍କୁଲ୍‌ ପରିଚାଳନା କମିଟି ଓ ଶାନ୍ତିପୀଠର ସଭାପତି ସ୍ୱାମୀ ନୀର୍ଲିପ୍ତାନନ୍ଦ ସରସ୍ୱତୀ ମହାରାଜ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ସ୍କୁଲ୍‌ରେ ପ୍ରଦାନ କରାଯାଉଥିବା ଶିକ୍ଷା ପଦ୍ଧତି ସମ୍ପର୍କରେ ଆଲୋକପାତ କରିଥିଲେ । ସ୍କୁଲ୍‌ ପରିଚାଳନା କମିଟିର ସମ୍ପାଦକ ସ୍ୱାମୀ ଶିବଚିଦାନନ୍ଦ ସରସ୍ୱତୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଯୁଗ୍ମ ସମ୍ପାଦକ ସ୍ୱାମୀ ଜଗନ୍ନାଥାନନ୍ଦ ସରସ୍ୱତୀ ଅଭିଭାଷଣରେ ନୈତିକ ଶିକ୍ଷାର ପ୍ରାସଙ୍ଗିକତା ସମ୍ବନ୍ଧରେ କହିଥିଲେ । ସ୍କୁଲ୍‌ ପରିଚାଳନା କମିଟିର ସଭ୍ୟ ସତ୍ୟେନ୍ଦ୍ର ନାରାୟଣ ତ୍ରିପାଠୀ, ରାଜୀବ ଶେଖର ସାହୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ପୂର୍ବରୁ ଏହି ଆବାସିକ ବିଦ୍ୟାଳୟରେ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପଢ଼ୁଥିବା ବେଳେ ଏବେ +୨ ବିଜ୍ଞାନ ଓ ବାଣିଜ୍ୟ ବିଷୟ ଅଧ୍ୟୟନ କରିବାର ସୁଯୋଗ ମିଳିବ । ୨୪୦ ପିଲାଙ୍କ ପାଇଁ ରହିବା ଓ ପଢ଼ିବାର ବନ୍ଦୋବସ୍ତ ହେବ । ଏହି ଅବସରରେ ନୂଆ ବିଲ୍‌ଡିଂ ନିର୍ମାଣରେ ସହାୟତା ଯୋଗାଇ ଦେଇଥିବା ‘ଓଏନ୍‌ଜିସି’ର ଅଧିକାରୀଙ୍କୁ ସମ୍ବର୍ଧିତ କରାଯାଇଥିଲା । ଏଥିସହ ବିଲ୍‌ଡିଂ ନିର୍ମାଣ କରିଥିବା ଏସ୍‌ପିଡି କନ୍‌ଷ୍ଟ୍ରକ୍ସନକୁ ସମ୍ବର୍ଧିତ କରାଯାଇଥିଲା । ଆର୍କିଟେକ୍ଟ ଭବାନୀ ଶଙ୍କର ମିଶ୍ର ପାୱାର ପଏଣ୍ଟ୍‌ ଉପସ୍ଥାପନା ସହ ଆଗାମୀ ଦିନରେ ସ୍କୁଲ୍‌ ପରିସରରେ ଏକ କ୍ରୀଡ଼ା କମ୍ପ୍ଲେକ୍ସ ନିର୍ମିତ ହେବା ନେଇ ସୂଚନା ଦେଇଥିଲେ ।

ରିପୋର୍ଟ : ଆକାଶ ମିଶ୍ର