ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ରୋକିବା ପାଇଁ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ଗଠନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଗଞ୍ଜାମ, ଆକ୍ସନଏଡ଼ ଓ ୟୁନିସେଫ ଓଡ଼ିଶାର ମିଳିତ ଆୟୋଜନ କ୍ରମେ ବେଟି ବଚାଓ ପଢ଼ାଓ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଏକ ଜିଲ୍ଲା ସ୍ତରୀୟ କମିଟି ଗଠନ ନିମନ୍ତେ ଜିଲ୍ଲାପଲ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ ବୈଠକ ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର କନଫରେନ୍ସ ହଲଠାରେ ଆୟୋଜନ କରାଯାଇଥିଲା । ଏହି ବୈଠକରେ ଶୁଶୁ ସୁରକ୍ଷା, ଶିଶୁର ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ ଓ କିଶୋର କିଶୋରୀମାନଙ୍କୁ ସଶକ୍ତ କରିବା ପାଇଁ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା । କମ ବୟସରେ ବାହାଘର ଯୋଗୁଁ କିଶୋରୀ ଜଣଙ୍କ ବିଭିନ୍ନ କ୍ଷେତ୍ରରେ ପଛୁଆ ରହୁଛି ଫଳରେ ତାହାର ବିକାଶ ବାଧାପ୍ରାପ୍ତ ହେଉଛି । ବାଲ୍ୟ ବିବାହ ରୋକିବା ପାଇଁ ଜିଲ୍ଲାରେ ମଧ୍ୟ ଏକ ନିର୍ଭୟା କଢି ନାମରେ ଏକ ଯୋଜନା କରାଯିବ । ଏହି ଯୋଜନାରେ ବାଲ୍ୟ ବିବାହ ବିରୋଧରେ ସଚେତନତା ସୃଷ୍ଟି କରାଯିବ ଏବଂ ବାଲ୍ୟ ବିବାହ ବିରୋଧରେ ନୀତି ନିର୍ଦ୍ଧାରଣ ଓ ପ୍ରଚଳିତ ଆଇନ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ପାଇଁ କାମ କରିବ । ଜିଲ୍ଲାରେ ମଧ୍ୟ ଅନେକ ଶିଶୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ସମାପ୍ତ କରୁନାହାନ୍ତି । ତେଣୁ ଅଧାରୁ ପାଠ ବନ୍ଦ ଯୋଗୁଁ ଶିଶୁ ଶ୍ରମିକ, ଶିଶୁ ଚାଲାଣ, କମ ବୟସରେ ବାହାଘର ଭଳି ସମସ୍ୟା ଦେଖା ଦେଉଛି । ଯେଉଁ ଶିଶୁମାନେ ନିୟମିତ ବିଦ୍ୟାଳୟକୁ ଆସୁନାହାନ୍ତି କିମ୍ବା ଅଧାରୁ ପାଠ ପଢ଼ା ବନ୍ଦ କରି ଦେଉଛନ୍ତି ତାହାର କାରଣ ଖୋଜି ନିୟମିତ ଉପସ୍ଥାନ ଉପରେ ଗୁରୁତ୍ୱ ଦେବା ନିମନ୍ତେ ଜିଲ୍ଲାପାଳ ମହୋଦୟ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ ଷଡ଼ଙ୍ଗୀ ସମସ୍ତଙ୍କୁ ସ୍ୱାଗତ କରିଥିଲେ ।ଆକ୍ସନଏଡ଼ର ଦେବବ୍ରତ ପାତ୍ର ରେଜିଓନାଲ ମ୍ୟାନେଜର ଏହି ବୈଠକରେ ବାଲ୍ୟ ବିବାହ କୁପରିନାମ ଓ ବାଲ୍ୟ ବିବାହ ଉଚ୍ଛେଦ ପାଇଁ ଉଦେଷ୍ଠ ଥିବା ଆଇନ ଉପରେ ଆଲୋକପାତ କରାଇଥିଲେ । ୟୁନିସେଫର ନେୟା ନାଇଡୁ ଚାଇଲଡ଼ ସ୍ପେସିଆଲିଷ୍ଟ କିଶୋରୀ ସଶକ୍ତିକରଣ ଓ ବାଲ୍ୟ ବିବାହ କିପରି ରୋକାଯାଇ ପାରିବ ସେଥିପ୍ରତି ଧ୍ୟାନ ଦେବା ପାଇଁ ବିଭିନ୍ନ କାର୍ଯ୍ୟ ଖସଡ଼ା ଉପରେ ଆଲୋଚନା କରିଥିଲେ । ଶେଷରେ ଜିଲ୍ଲାରେ ଶିଶୁ ସୁରକ୍ଷା, ଶିଶୁ ଶିକ୍ଷା, ଶିଶୁ ଶ୍ରମିକ ନିରୋଧ, କନ୍ୟାଭ୍ରୂଣ ହତ୍ୟା ରୋକିବା ଓ ବାଲ୍ୟ ବିବାହ ନିଷେଧ ପାଇଁ ଜିଲ୍ଲା ସ୍ତରୀୟ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହୋଇଥିଲା । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓଆକ୍ସନଏଡ଼ର କର୍ମକର୍ତ୍ତାମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା