

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସମଗ୍ର ରାଜ୍ୟ ଭଳି ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକରେ ଚାଲିଥିବା ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମ ସମୟରେ ବିଭିନ୍ନ ବ୍ଲକ୍ ଓ ଏନଏସିରୁ ସଂଗ୍ରହ ହୋଇଥିବା ଜନସାଧାରଣଙ୍କ ମତାମତକୁ ଏକ ସ୍ୱତନ୍ତ୍ର ଗାଡ଼ି ଯୋଗେ ଭୂବନେଶ୍ୱର ସ୍ଥିତ ବିଜେଡ଼ି କାର୍ଯ୍ୟାଳୟକୁ ପଠାଯାଇଛି । ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ସମୟରେ “ମତାମତ ଦିଅନ୍ତି ଆପଣ ପାଳନ କରନ୍ତି ନବୀନ” ସ୍ଲୋଗାନ ଦେଇ ମହିଳା କର୍ମକର୍ତା ଘରଘର ବୁଲି ନବୀନ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ଜନସାଧାରଣଙ୍କୁ ବୁଝାଇଥିଲେ । ସେହିଭଳି ଏହି ସମୟରେ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଓ ଯୋଜନା ଗୁଡ଼ିକ ସଂପର୍କରେ ମତାମତ ସଂଗ୍ରହ କରି ଜିଲ୍ଲା ବିଜେଡ଼ି କାର୍ଯ୍ୟାଳୟରେ ସୁରକ୍ଷିତ ଭାବେ ରଖାଯାଇଥିବା ବେଳେ ୧୫୦ ଟି ମତାମତ ବାକ୍ସ ବୁଧବାର ଏକ ସ୍ୱତନ୍ତ୍ର ଗାଡ଼ିରେ ବୁଧବାର ଭୂବନେଶ୍ୱର ପଠାଯାଇଥିଲା । ଏହି ମତାମତ ବ୍ରହ୍ମପୁର ମହାନଗର ସମେତ ଜିଲ୍ଲାର ହିଞ୍ଜିଳି, ଶେରଗଡ଼, କୁକୁଡ଼ାଖଣ୍ଡି, ଦିଗପହଣ୍ଡି, କୋଦଳାଏନଏସି, ଦିଗପହଣ୍ଡି ଏନଏସି, ଖଲ୍ଲିକୋଟ, ଛତ୍ରପୁର ସମେତ ବିଭିନ୍ନ ପଞ୍ଚାୟତରୁ ଆସିଥିବା ଜଣାପଡ଼ିଛି । ଏହି ବାକ୍ସଗୁଡ଼ିକୁ ଭୂବନେଶ୍ୱର ପଠାଯିବା ସମୟରେ ଜିଲ୍ଲା ମହିଳା ବିଜେଡ଼ି ସଭାନେତ୍ରୀ ସଂଘମିତ୍ରା ଦଳେଇ, ସୋନାଲି ଗନ୍ତାୟତ, ସଂଯୋଜିକା ମମତା ବିଷୋୟୀ, ରଶ୍ମିତା ପାତ୍ର, ଟି.ପ୍ରେମାଞ୍ଜଳୀ, ଏମ.ସୁଜାତା, ସଂଯୁକ୍ତା ବେହେରାଙ୍କ ସମେତ ବହୁ ମହିଳା ବିଜେଡ଼ି କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏହି ମତାମତକୁ ନେଇ ବିଜେଡ଼ିର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇବ ବୋଲି ସୂଚନା ମିଳିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁଚ ଚରଣ ପଣ୍ଡା

