

ଛତ୍ରପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ନିର୍ମାଣ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ସଂପର୍କିତ ଜିଲ୍ଲାସ୍ତରୀୟ ଆଲୋଚନା ବୈଠକ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟତଃ ଅଧିକରୁ ଅଧିକ ନିର୍ମାଣ ଶ୍ରମିକମାନଙ୍କୁ ପଞ୍ଜିକୃତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏଥିପାଇଁ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଓ ବ୍ଲକ ସ୍ତରରେ ମେଳା କରି ଶ୍ରମିକମାନଙ୍କୁ ପଞ୍ଜିକୃତ କରିବା, ସେମାନଙ୍କୁ ପ୍ରଦାନ କରାଯାଉଥିବା ବିଭିନ୍ନ ସହାୟତା ରାଶି ସଂପର୍କରେ ସଚେତନ କରାଇବା, ନିର୍ମାଣ ସ୍ଥଳରେ ନିର୍ମାଣ ଶ୍ରମିକ ନିରାପତ୍ତା କିପରୀ ରହିବ ସେଥୀ ପାଇଁ ଦୃଷ୍ଟି ଦେବା ଉପରେ ଜିଲ୍ଲାପାଳ କହିଥିଲେ । ଶିକ୍ଷା ବିଭାଗ ପକ୍ଷରୁ ପ୍ରତ୍ୟେକ ବିଦ୍ୟାଳୟ ସ୍ତରରେ ଗରୀବ ଓ ଶ୍ରମିକ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ତାଙ୍କ ପରିବାରମାନେ କିପରୀ ନିର୍ମାଣ ଶ୍ରମିକ ଭାବେ ପଞ୍ଜିକୃତ କରିବେ ସେଥି ନିମନ୍ତେ ଲିପଲେଟ୍ ବଣ୍ଟନ କରିବା ଓ ବିଦ୍ୟାଳୟରେ ଏସଂପର୍କରେ ସଚେତନ କରାଇବା ନିମନ୍ତେ କହିଥିଲେ । ବିଶେଷ କରି ଶିଶୁ ଶ୍ରମିକମାନଙ୍କ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରି ସେମାନଙ୍କ ଥଇଥାନର ବ୍ୟବସ୍ଥା କରିବା ସହ ସେମାନେ କାହିଁକି ଶିଶୁ ଶ୍ରମିକ ହେଲେ ତାର କାରଣ ଖୋଜି ବାହାର କରି ସେମାନଙ୍କ ପରିବାରକୁ ସଚେତନ କରିବା ସହିତ ଶିଶୁ ଶ୍ରମିକମାନଙ୍କୁ ଶିକ୍ଷା ପ୍ରଦାନ ବ୍ୟବସ୍ଥା କରିବା ଉପରେ ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ୨୨ଟି ବ୍ଲକରେ ୬୮୯୮୫ ଜଣ ପଞ୍ଜିକୃତ ନିର୍ମାଣ ଶ୍ରମିକ ଥିବା ବେଳେ ସହରାଞ୍ଚଳରେ ୧୩୮୧୯ ଜଣ ପଞ୍ଜିକୃତ ନିର୍ମାଣ ଶ୍ରମିକ ରହିଥିବାର ଜଣାପଡିଛି । ଜିଲ୍ଲାରେ ରହିଯାଇଥିବା ନିର୍ମାଣ ଶ୍ରମିକମାନଙ୍କୁ ପଂଜିକରଣ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ କଡା ନିର୍ଦ୍ଦେଶ ଦେବା ସହ ନିର୍ମାଣ ଶ୍ରମିକମାନଙ୍କ ନିମନ୍ତେ ରହିଥିବା ବିଭିନ୍ନ ହିତକର ଯୋଜନା ସଂପର୍କରେ ଆଲୋଚନା କରାଯାଇଥିଲ। । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡିଆଡିଏ ପିଡି ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଆସିଷ୍ଟାଣ୍ଡ ଲେବର କମିସନର (ବ୍ରହ୍ମପୁର) ଦିପ୍ତିରଂଜନ ମହାନ୍ତି, ଛତ୍ରପୁର ଜିଲ୍ଲା ଶ୍ରମ ଅଧିକାରୀ ଶିବ ନାରାୟଣ ସାହୁ, ବ୍ରହ୍ମପୁର ଜିଲ୍ଲା ଶ୍ରମ ଅଧିକାରୀ ବାବୁ ଚରଣ ପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡୀ, ଛତ୍ରପୁର ବିଇଓ ଅବିନାଶ ଶତପଥୀ , ଜିଲ୍ଲା ଶିଶୁ କଲ୍ୟାଣ ସମିତିର ସଦସ୍ୟଙ୍କ ସମେତ ସମସ୍ତ ବିଡିଓ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା
