ଶ୍ରମିକମାନେ ସ୍ଥାୟୀ ନିଯୁକ୍ତି ଦାବି ନେଇ ଆନ୍ଦୋଳନ କରୁଥିବା ବେଳେ ଗିରଫ କଲା ପୋଲିସ…

ଛତ୍ରପୁର (ସମୃଦ୍ଧ ଓଡିଶା) ଦୀର୍ଘ ଦିନ ହେଲା ପ୍ରକଳ୍ପ ପାଇଁ ଜମି ହରାଇଥିବା ବିସ୍ଥାପିତ ଶ୍ରମିକ କମ୍ପାନୀରେ ସ୍ଥାୟୀ ନିଯୁକ୍ତି ଦାବି କରି ଆସୁଥିବା ୭୮ ଜଣ ଶ୍ରମିକଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଟାଟା ପ୍ରକଳ୍ପ ପରିସରରୁ ଶ୍ରମିକମାନଙ୍କୁ ଗିରଫ କରି ପଦାକୁ ଆଣିବା ବେଳେ ପ୍ରକଳ୍ପ ମୁଖ୍ୟ ଫାଟକ ସମ୍ମୁଖରେ ଶ୍ରମିକମାନଙ୍କ ପରିବାର ଓ ପୋଲିସର ମୁହାଁମୁହିଁ ହୋଇଥିଲା । ଫଳରେ ପୋଲିସର ଆକ୍ରମଣରେ ଶ୍ରମିକଙ୍କ ପରିବାରର ୬ ଜଣ ମହିଳାଙ୍କ ସମେତ ୧୦ ଜଣ ଶିକାର ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟଯେ, ଟାଟା ପ୍ରକଳ୍ପ ପାଇଁ ଜମି ହରାଇବା ସହ ନିଜର ପିଲାମାନେ ପ୍ରକଳ୍ପରେ ସ୍ଥାୟୀ ଚାକିରୀ କରିବେ ବୋଲି କ୍ଷତିପୂରଣ ୭ ଲକ୍ଷ ଟଙ୍କା ଛାଡିଥିଲୁ । ଜମି ଯିବା ସହ ପିଲାମାନଙ୍କ ଭବିଷ୍ୟତ ମଧ୍ୟ ଅନ୍ଧକାର ହେବାକୁ ଯାଉଛି ବୋଲି ଶ୍ରମିକମାନଙ୍କ ପରିବାର ଅଭିଯୋଗ କରିଛନ୍ତି । ପୋଲିସ ଦୁଇଟି ଭ୍ୟାନରେ ଟାଟା ପ୍ରକଳ୍ପ ପରିସରରୁ ଶ୍ରମିକମାନଙ୍କୁ ଗିରଫ କରି ଛତ୍ରପୁର ସ୍ଥିତି ରିଜର୍ଭ କାର୍ଯ୍ୟାଳୟ ପରିସରରେ ରଖିଥିଲେ । ସେଠାରେ ଦୀର୍ଘ ସମୟ ଧରି ଶ୍ରମିକମାନେ ଭ୍ୟାନରୁ ଓହ୍ଲାଇନଥିଲେ । ପୋଲିସ ସେମାନଙ୍କୁ ପାଣି ପିଇବାକୁ ଦେଇଥିବା ବେଳେ ଶ୍ରମିକମାନେ ଆମକୁ ଯଦି ଦେବାର ଅଛି ବିଷ ଦିଅନ୍ତୁ ବୋଲି କହିଥିଲେ । ଟାଟା କଥାରେ ପଡି ଜିଲ୍ଲା ପ୍ରଶାସନ ଓ ପୋଲିସ ଆମ୍ଭର ଭିବଷ୍ୟତ ସହ ଖେଳ ଖେଳୁଛନ୍ତି । ଏହାକୁ ଆମେ କଦାପି ସହ୍ୟ କରିବୁନାହିଁ । ତୁରନ୍ତ ଆମକୁ ଜେଲରେ ମାର । ଆମର ଭବିଷ୍ୟତ ନଷ୍ଟ ହୋଇଗଲାଣି ଏଣୁ ଜେଲରୁ ବାହାରିବା ପରେ ଶ୍ରମିକ ହୋଇ ଆହୁ ରହିବୁ ନାହିଁ, ନିଜର ହକ୍ ପାଇବାରେ ଯେଉଁମାନେ ବାଧକ ସାଜିଛନ୍ତି ସେମାନଙ୍କ କଥା ନିଶ୍ଚିତ ଭାବେ ବୁଝିବୁ ବୋଲି ପୋଲିସକୁ ଶ୍ରମିକମାନେ ଚେତାବନୀ ଦେଇଥିଲେ । ଏହାର କିଛି ସମୟ ମଧ୍ୟରେ ଶ୍ରମିକମାନଙ୍କ ପରିବାର ରିଜର୍ଭ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ । ଦୀର୍ଘ ବର୍ଷ ହେଲା ପ୍ରକଳ୍ପରେ ବିସ୍ଥାପିତ ଶ୍ରମିକମାନେ ସ୍ଥାୟୀ ନିଯୁକ୍ତି ପାଇଁ ଦାବି କରି ଆସୁଥିଲେ ଟାଟା କର୍ତ୍ତୃପକ୍ଷ ଏବଂ ପୋଲିସ ଜୁଲମର ଶିକାର ହେବାକୁ ପଡୁଛି । କମ୍ପାନୀ ପକ୍ଷରୁ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପରିବର୍ତ୍ତେ ଶ୍ରମିକମାନେ ହକ୍ ପାଇଁ ଦାବି ସ୍ୱର ଉଠାଇଲେ ଶ୍ରମିକମାନଙ୍କୁ ପୋଲିସ ଓ ଜିଲ୍ଲା ପ୍ରଶାସନର ନାଲି ଆଖି ତଳେ ଦବାଇବାକୁ ଚେଷ୍ଟା କରାଯାଉଛି । ଅନ୍ୟପକ୍ଷରେ ଶ୍ରମିକମାନେ ନିଜର ହକ୍ ପାଇବା ନିମନ୍ତେ ମରିବାକୁ ମଧ୍ୟ ପଛାଇବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ବିସ୍ଥାପିତ ଶ୍ରମିକମାନେ ମଧ୍ୟ ସ୍ଥାୟୀ ନିଯୁକ୍ତି ଦାବି ସଂପର୍କିତ ନେଇ ଜିଲ୍ଲା ପ୍ରଶାସନର ପୌରହତ୍ୟିରେ ଏକ ତ୍ରିପାକ୍ଷିକ ବୈଠକ କରାଯିବ ବୋଲି ପ୍ରତିଶ୍ରୁତିକୁ ଦୀର୍ଘ ଦିନ ବିତିଯାଇଥିଲେ ସୁଦ୍ଧା କିଛି ପଦକ୍ଷେପ ନିଆଯାଇ ନଥିଲା । ଏହି ପରିପ୍ରେକ୍ଷୀରେ ଟାଟା ପ୍ରକଳ୍ପ ପରିସରରେ ସେମାନଙ୍କ ପୂର୍ବରୁ ଦାବି ସଂକ୍ରାନ୍ତରେ ଗତ ଶନିବାର ଠାରୁ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଚାଲୁ ରଖିଥିଲେ । ମଙ୍ଗଳବାର ସକାଳ ୯ ଘଣ୍ଟାରେ ପୋଲିସ ଓ ତହସିଲଦାର ଉଭୟ ଶ୍ରମିକମାନଙ୍କୁ ଟାଟା ପ୍ରକଳ୍ପ ପରିସରରୁ ହଟିବା ପାଇଁ ଧମକ ଦେଇଥିଲେ । ନଚେତ ପୂର୍ବରୁ ଶ୍ରମିକମାନଙ୍କ ବିରୁଦ୍ଧରେ ରହିଥିବା ମାମଲାର ୫୦ ଜଣଙ୍କୁ ଗିରଫ କରାଯିବ ବୋଲି ପୋଲିସ ଚେତାବନୀ ଦେଇଥିଲେ । ପୋଲିସର ଚେତାବନୀକୁ ସମସ୍ତ ଶ୍ରମିକମାନେ ପ୍ରତିବାଦ କରି ଯଦି ଗିରଫ କରାଯିବ ତେବେ ସମସ୍ତ ୮୦ ଜଣ ଶ୍ରମିକଙ୍କୁ ଗିରଫ କରାଯାଉ ବୋଲି ନାରା ଦେଇଥିଲେ । ପୋଲିସ ଶ୍ରମିକମାନଙ୍କ ମଧ୍ୟରେ ଗରିଫକୁ ନେଇ ଛକପଞ୍ଝା ଚାଲି ରହିଥିଲା । ଶେଷରେ ପୋଲିସର କାର୍ଯ୍ୟରେ ବାଧା ଦେଉଥିବା ୮୦ ଜଣଙ୍କୁ ପୋଲିସ ଟାଟା ପ୍ରକଳ୍ପ ପରିସରରୁ ଉଠାଇ ଆଣିଥିଲେ । ସୂଚନା ପାଇ ଶ୍ରମିକଙ୍କ ପରିବାର ଲୋକେ ଟାଟା ପ୍ରକଳ୍ପ ମୁଖ୍ୟ ଫାଚକ ସମ୍ମୁଖରେ ପୋଲିସକୁ ବିରୋଧ କରିଥିଲେ । ପୋଲିସ ଓ ଶ୍ରମିକଙ୍କ ପରିବାର ମଧ୍ୟରେ ମୁହାଁମୁହିଁ ହୋଇଥିଲା । ପୋଲିସର ଆକ୍ରମଣ ଶିକାର ହୋଇଥିଲେ ୬ ଜଣ ମହିଳାଙ୍କ ସମେତ ୧୦ ଜଣ ଆହତ ହୋଇଥିଲେ । ଟାଟା କଲୋନୀ ସିନ୍ଧିଗାଁର ଏନ୍.ଲକ୍ଷ୍ମୀ ରେଡ୍ଡି ନାମକ ଜଣେ ମହିଳାଙ୍କୁ ପୋଲିସ ଆକ୍ରମଣ କରିଥିବା ବେଳେ ତାଙ୍କରି ବେକରୁ ସୁନା ଚେନ୍ ଓ କାନଫୁଲ ଛିଣ୍ଡି କୁଆଡେ ପଡିଯାଇଥିଲା । ସେହିପରି ସେହି ଗାଁର ଚନ୍ଦ୍ରମା ବେହେରା, ଭାନୁମତୀ ରେଡ୍ଡି, ଇନ୍ଦିରା ରେଡ୍ଡି, ଏନ୍.ଏରେମା, ପି.ପାରାମ୍ମା ମହିଳାଙ୍କ ସମେତ ଦାନେସୁ ରେଡ୍ଡି, ମନୋଜ ବେହେରା, ପୁ.ତୁଳସେୟା ରେଡ୍ଡି, ରାଜେନ୍ଦ୍ର ମହାଙ୍କୁଡ ପୋଲିସର ଆକ୍ରମଣ ଶିକାର ହୋଇଥିଲେ । ଆହତମାନଙ୍କୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ କରାଯାଇଥିଲା । ଟାଟା କର୍ତ୍ତୃପକ୍ଷଙ୍କ ପରୋଚନାରେ ବିସ୍ଥାପିତ ଶ୍ରମିକ ଓ ପରିବାରଙ୍କୁ ପୋଲିସ ଆକ୍ରମଣ କରିଥିବା ଅଭିଯୋଗରେ ପୋଲିସ, ଜିଲ୍ଲା ପ୍ରଶାସନ ଓ ଟାଟା କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ କୋର୍ଟରେ ଏକ ମାମଲା ରୁଜୁ କରାଯିବ ବୋଲି ଶ୍ରମିକମାନଙ୍କ ଓକିଲ ଟି.କେ.ରେଡ୍ଡି ସୂଚନା ଦେଇଛନ୍ତି ।ଅନ୍ୟପକ୍ଷରେ ଛତ୍ରପୁର ଏସ୍ଡିପିଓ ଉକ୍ରଳ କେଶରୀ ଦାଶ କହିବାନୁସାରେ, ଗଲମାସ ୨୭ ତାରିଖରେ ଟାଟା ପ୍ରକଳ୍ପରେ ବ୍ୟାପକ ଭଙ୍ଗାରୁଜା ଅଭିଯୋଗରେ ଚମାଖଣ୍ଡି ଥାନା ପକ୍ଷରୁ ୭୩/୨୦୧୯ ଏକ ମାମଲା ରୁଜୁ କରିଛି । କମ୍ପାନୀରେ ପ୍ରାୟ ୯ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା । ବିଭିନ୍ନ ସାକ୍ଷ୍ୟ ଏବଂ ତଦନ୍ତରୁ ଚିହ୍ନଟ ହୋଇଥିବା ଶ୍ରମିକ ହୃଷିକେଶ ଗୌଡ, ଲବ ରେଡ୍ଡି, ସରୋଜ ଗୌଡ, ପ୍ରଦୀପ ଗୌଡ, ଲାଛମେୟା ରେଡ୍ଡି, ଏନ୍.ବୈରାଗୀ ରେଡ୍ଡି, ଗୋପାଳ ମହାଙ୍କୁଡ ଓ ମିଟୁ ପ୍ରସାଦ ରେଡ୍ଡି ପ୍ରମୁଖ ଚିହ୍ନଟ ହୋଇଥିବା ୮ ଜଣ ଶ୍ରମିକଙ୍କ ସମେତ ୫୦ ଜଣଙ୍କ ନାମରେ ପୋଲିସ ମାମଲା ପ୍ରସ୍ତୁତ କରିଛି । ସେମାନଙ୍କ ବିରୁଦ୍ଧରେ ୧୪୭/୧୪୮/୨୯୪/୩୨୩/୩୦୭/୧୪୯ ଦଫାରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପୋଲିସ ପକ୍ଷରୁ ପଦକ୍ଷେପ ନିଆଯାଇଛି । ପୋଲିସ କାର୍ଯ୍ୟରେ ବାକି ଶ୍ରମିକମାନେ ବାଧକ ସାଜିଥିବାରୁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏଣୁ ମଙ୍ଗଳାବର ସମୁଦାୟ ୭୮ ଜଣ ଶ୍ରମିକଙ୍କୁ ଗିରଫ କରି କୋର୍ଟ ଚାଲଣ କରାଯାଇଛି ବୋଲି ଏସ୍ଡିପିଓ ଶ୍ରୀ ଦାଶ କହିଛନ୍ତି । 

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା