ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ବ୍ରହ୍ମପୁର ଉପକଣ୍ଠ ଖଜୁରିଆରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟାରେ ଏକ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ବ୍ରହ୍ମପୁର ଫାଷ୍ଟଗେଟ ନିକଟରୁ ବିଶାଳ ବାଇକ୍ ଶୋଭାଯାତ୍ରା ନଗର ପରିକ୍ରମା କରି ଖଜୁରିଆ ସ୍ଥିତ ଚନ୍ଦ୍ରଚୁଡ଼େଶ୍ୱର ଶୈବପୀଠ ପଡ଼ିଆଠାରେ ସମବେତ ହୋଇଛନ୍ତି । ଏହି ସମ୍ମିଳନୀରେ ଗଞ୍ଜାମ, ଗଜପତି, କନ୍ଧମାଳ ଓ ଘୁମୁସର ଜିଲ୍ଲାରୁ ୪୦ ହଜାରରୁ ଉର୍ଦ୍ଧ ରାମଭକ୍ତଙ୍କ ସମେତ ୪ ଟି ଜିଲ୍ଲାର ୧୦୦ ରୁ ଉଦ୍ଧ୍ୱର୍ ସାଧୁସନ୍ଥ ଓ ଜାତି ମୁଖିଆମାନେ ଓ ବିଜେପି ଓ ବଜରଙ୍ଗ ଦଳର ମଧ୍ୟ ବହୁ କର୍ମକର୍ତ୍ତାମାନେ ଅଂଶ ଗ୍ରହଣ କରିଥିଲେ । ଶୋଭାଯାତ୍ରା ସମୟରେ ମହିଳାମାନଙ୍କ ହୁଳହୁଳି ସହ ଜୟ ଶ୍ରୀରାମ ଧ୍ୱନୀରେ ବ୍ରହ୍ମପୁର ସହର ପ୍ରକମ୍ପିତ ହୋଇଉଠିଥିଲା । ପ୍ରଥମେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ପରେ ସଭା ଅନୁଷ୍ଠିତ ହୋଇଥିଲା । ବିଶ୍ୱ ହିନ୍ଦୁ ପରିଷଦର ସହ ସଂପାଦକ ପ୍ରିୟନାଥ ଶର୍ମା, ପ୍ରାନ୍ତ ସଂପାଦକ ପ୍ରଶାନ୍ତ ପଣ୍ଡା ଅଂଶ ଗ୍ରହଣ କରି ଅତିଥିମାନଙ୍କୁ ଆମନ୍ତ୍ରିତ କରିବା ସହ ପରିଚୟ ପ୍ରଦାନ କରିଥିଲେ । ବିଶ୍ୱ ହିନ୍ଦୁ ପରିଷଦର କେନ୍ଦ୍ରୀୟ ସଂପାଦକ ଧର୍ମ ନାରାୟଣ ଶର୍ମା ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଆହ୍ୱାନ ଦେବା ସହ ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ସମ୍ମାନ ଦେଇ କଠୋର ପଦକ୍ଷେପ ନେବା ଆବଶ୍ୟକ, ନଚେତ୍ ଆନ୍ଦୋଳନ ତୀବ୍ରତର ହେବ ବୋଲି ପରିଷଦ ପକ୍ଷରୁ ଚେତାବନୀ ଦେଇଛନ୍ତି । ବିଶ୍ୱହିନ୍ଦୁ ପରିଷଦ ଧର୍ମାଚାର୍ଯ୍ୟ ସଂପର୍କ ପ୍ରମୁଖ ମହେଶ କୁମାର ସାହୁ(ସୋନୀ ଜୀ) ହିନ୍ଦୁମାନଙ୍କୁ ଆହ୍ୱାନ ଦେଇ ସମସ୍ତଙ୍କୁ ଏକଜୁଟ୍ ହେବା ପାଇଁ କହିଛନ୍ତି । ଏହି ସମ୍ମିଳନୀରେ ବିଶ୍ୱହିନ୍ଦୁ ପରିଷଦର ପ୍ରାନ୍ତ ସଂପାଦକ ପ୍ରଶାନ୍ତ ପଣ୍ଡା,ସହ ସଂପାଦକ ପ୍ରିୟନାଥ ଶର୍ମା, ଗଯଜାମ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଡ଼ା.ଭବାନୀ ଶଙ୍କର ଦାଶ, ସଭାପତି ଅଶୋକ କୁମାର ପାଳ, ସଂପାଦକ ଡ଼.ଅରୁଣ କୁମାର ପାଢ଼ୀ, ଜିଲ୍ଲା ବଜରଙ୍ଗ ଦଳ ପ୍ରମୁଖ ଗୌତମ ମହାରଣା, ବିଭାଗ ସଂପାଦକ ରମାକାନ୍ତ ରଥ, ଆରଏସଏସ ବିଭାଗ ପ୍ରଚାରକ ଶାନ୍ତନୁ ମାଝୀ, ସହ ପ୍ରାପ୍ତ ପ୍ରଚାରକ ସୃଷ୍ଟିଥର ବିଶ୍ୱାଳ, ପ୍ରାନ୍ତ ବୌଦ୍ଧିକ ପ୍ରମୁଖ ତନ୍ମୟ ମହାପାତ୍ରଙ୍କ ବିଭାଗ ବଜରଙ୍ଗ ଦଳ ପ୍ରମୁଖ ଅମ୍ବିକା ପ୍ରସାଦ ଦାଶଙ୍କ ସମେତ ଗାୟତ୍ରୀ ପରିବାର ପ୍ରମୁଖ ପ୍ରଫୁଲ ଚନ୍ଦ୍ର ଦାସ, ଶିଖ୍ ଧର୍ମଗ୍ରନ୍ଥ ଜ୍ଞାନୀ ବଲଜିତ୍ ସିଂ, ବୌଦ୍ଧ ଧର୍ମ ଲାମା ଅମୃତ ପରିବାରର ସୁଦୟା ଅବା, ସ୍ୱାମୀ ଭାସ୍କର ତୀର୍ଥ, ସ୍ୱାମୀ ସତ୍ୟାନନ୍ଦ ବ୍ରହ୍ମଚାରୀ, ମହନ୍ତ ହରିହର ଦାସ, ରାମାନନ୍ଦ ସଂପ୍ରଦାୟର ମହନ୍ତ ପଦ୍ମଚରଣ ଦାସ, ସ୍ୱାମୀ ଆୟାପ୍ପା, କେ.ରାମକୃଷ୍ଣ ଆଚାରୀ, ଗୁରୁସ୍ୱାମୀ ପ୍ରମୁଖ ଅଂଶ ଗ୍ରହଣ କରି ଶ୍ରୀରାମ ମନ୍ଦିର ନିର୍ମାଣ ନହେବା ପର୍ଯ୍ୟନ୍ତ ଅବିଶ୍ରାନ୍ତ ଓ ନିରବଚ୍ଛିନ୍ନ ଆନ୍ଦୋଳନ ଜାରି ରଖିବା ପାଇଁ ଆହ୍ୱାନ ଦେଇଛନ୍ତି । ଶେଷରେ ବିଶ୍ୱ ହିନ୍ଦୁ ପରିଷଦ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଡ଼ା.ଭବାନୀ ଶଙ୍କର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା