ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଫେବୃଆରୀ ୨୧ ତାରିଖରେ ହେବାକୁଥିବା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରାକୁ ସୁଚାରୁରୂପେ ସମ୍ପାଦାନ କରିବା ପାଇଁ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରଦ୍ଧାଳୁମାନେ ଯେପରି ସୁରୁଖୁରରେ ଭଗବାନଙ୍କ ଦର୍ଶନ କରିପାରିବେ ସେ ନେଇ ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦିଆଯାଇଛି । ପ୍ରଥମତଃ ବ୍ୟାରିକେଡ ଦେଇ ଆସିବା ପରେ ସିଂହଦ୍ୱାରରେ ସାଧାରଣ ଭକ୍ତ ପ୍ରବେଶ କରିବେ । ହେଲେ ଉତ୍ତର ଦ୍ୱାର ଦେଇ ସେବାୟତଙ୍କ ପରିବାର ଆସିବେ । ସୌନ୍ଦର୍ଯ୍ୟକରଣ ପରେ ସବୁ ଅଞ୍ଚଳରେ ଆଲୋକୀକରଣ ଓ ଟ୍ରାଫିକ ଉପରେ ଗୁରୁତ୍ୱ ଦିଆଯାଇଛି । ଜଳଯୋଗାଣ, ସ୍ୱଚ୍ଛତା, ଧାଡି ଦର୍ଶନ ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି । ୧୪ଟି ପାର୍କିଂ ସ୍ଥାନ ଚିହ୍ନଟ ହୋଇଛି । ବିଏମସି ମାର୍କେଟ ସମ୍ମୁଖ, ଉତ୍ତର ଦ୍ୱାର ନିକଟରେ ପାର୍କିଂ ସ୍ଥାନ ଚିହ୍ନଟ ହୋଇଛି । ମାଉସୀ ମା’ ଛକରୁ ଚାରି ଚକିଆ ଯାନ ବନ୍ଦ ରହିବ । ବଢେଇବାଙ୍କ ଛକ ଭିତରକୁ ଦୁଇ ଚକିଆ ଯାନ ଛଡ଼ାଯିବ ନାହିଁ । ରାତି ୧୦ଟାରେ ମହାଦୀପ ଉଠିବା ନେଇ ନୀତି ନିର୍ଘଣ୍ଟ ହୋଇଛି । ବୈଠକରେ ପୁଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ,ଡିସିପି ଅନୁପ କୁମାର ସାହୁ, ଜଟଣୀ ବିଧାୟକ ସୁରେଶ ରାଉତରାୟ, ଟ୍ରାଫିକ ଡିସିପି ସାଗରିକା ନାଥ ଓ ମନ୍ଦିର ସେବାୟତ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ଆକାଶ ମିଶ୍ର