

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ ସଡ଼କ ଦୁର୍ଘଟଣାକୁ କିଭଳି ନିୟନ୍ତ୍ରଣ କରାଯାଇ ପାରିବ ସେ ସଂପର୍କରେ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କରାଯାଇଛି । ଏହି ବୈଠକରେ ଦୁର୍ଘଟଣାକୁ ନିୟନ୍ତ୍ରଣ କରିବା ଦିଗରେ ସଚେତନତା ସହ କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯିବା ସହ ଦୁର୍ଘଟଣା ପ୍ରବଣ ହଳଦିଆପଦର ଠାରେ ଫ୍ଲାଇ ଓଭରବ୍ରିଜ୍ ନିର୍ମାଣ କରିବା ପାଇଁ ନିଷ୍ପତି ନିଆଯାଇଛି । ସେହିଭଳି ସଡକ ନିୟମକୁ ଅବମାନନା କଲେ କିମ୍ବା ନମାନିଲେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କହିଛନ୍ତି । ଗଂଜାମ ପୋଲିସ ପକ୍ଷରୁ ଚିହ୍ନଟ ହୋଇଥିବା ଦୁର୍ଘଟଣା ପ୍ରବଣ ଅଂଚଳ ହିଞ୍ଜିଳି ଠାରୁ ଗାଜଲବାଡି ଭାୟା ଶେରଗଡ, ବଡଗଡ ଏବଂ ସୋରଡା ୩୮ କିଲୋମିଟର ରାସ୍ତାରେ ୧୫ ଟି ୱିଙ୍ଗର ଲାଇଟ୍, ୨୮ ଟି ରମ୍ବଲସ୍, ୮ଟି ସାଇନ୍ ବୋର୍ଡର ବ୍ୟବସ୍ଥା କରିବା ପାଇଁ ଗଞ୍ଜାମ ଏସ୍ପିଙ୍କ ରିପୋର୍ଟକୁ ଗୁରୁତ୍ୱ ଦିଆଯାଇ ଆସନ୍ତା ୨ ମାସ ମଧ୍ୟରେ ସଂପୂର୍ଣ୍ଣ କାର୍ଯ୍ୟ ଶେଷ କରିବା ପାଇଁ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଗଞ୍ଜାମ ଥାନା ଅନ୍ତର୍ଗତ ପୁଇଁତଳା ଜାତୀୟ ରାଜପଥ ଛକ ଠାରେ ବେଆଇନ ଭାବେ ଯାନବାହାନ ପାର୍କିଂ ଏବଂ ଆଡ୍ଡା ଉପରେ ଚଢାଉ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦୁଇଚକିଆ ଯାନବାହାନ ଚାଳନ ବେଳେ ହେଲମେଟ୍ ଯାଞ୍ଚ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କଲେଜ ପାଠ ପଢୁଥିବା ଯୁବକ /ଯୁବତୀମାନେ ବିନା ହେଲମେଟ୍ରେ ଦ୍ରୁତ ଗତିରେ ବାଇକ୍ ଚାଳନା କରୁଥିବାରୁ ପ୍ରତ୍ୟେକ ସପ୍ତାହରେ ଦୁଇଟି କଲେଜରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ପାଇଁ ନିଷ୍ପତି ନିଆଯାଇଛି । ବିନା ହେଲମେଟରେ ପେଟ୍ରୋଲ ପମ୍ପ ଗୁଡିକରେ ପେଟ୍ରୋଲ ଦେଲେ ପେଟ୍ରୋଲପମ୍ପ ସିଲ୍ କରିବା ପାଇଁ ମଧ୍ୟ ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଏ କ୍ଷେତ୍ରରେ ଉପଜିଲ୍ଲାପାଳମାନଙ୍କୁ ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଇଛାପୁର ଠାରୁ ପୁଇଁତଳା ଛକ ୩୫ କିଲୋମିଟର ପର୍ଯ୍ୟନ୍ତ ଜାତୀୟ ରାଜପଥ (ଆନ୍ଧ୍ର ପ୍ରଦେଶ) ପକ୍ଷରୁ ୱାଇର୍ ରୋପ କ୍ରସ୍ ବ୍ୟାରିକେଟ୍ ଏବଂ ସର୍ଭିସ୍ ଓ ପୁଇଁତଳା ଠାରୁ ନାରାୟଣୀ ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରିବାକୁ ଜାତୀୟ ରାଜପଥ ବିଭାଗ (ଓଡିଶା) ପକ୍ଷରୁ ପଦକ୍ଷେପ ନିଆଯାଇଛି । ରାଜ୍ୟ ରାଜପଥ ଏବଂ ଜାତୀୟ ରାଜପଥ ଅଂଚଳରେ ରହିଥିବା ସ୍କୁଲ ଓ କଲେଜ ଗୁଡିକରେ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସିସିଟିଭିର ବ୍ୟବସ୍ଥା କରାଯିବା ନିମନ୍ତେ ଜିଲ୍ଲାପାଳ କହିଛନ୍ତି । ଗଞ୍ଜାମ ଜିଲ୍ଲାବାସୀଙ୍କ ଧନଜୀବନ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମୀକ୍ଷା ସହ ବହୁ ସଚେତନତା ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ତଥାପି ଲୋକେ ନିୟମକୁ ପାଳନ କରୁନଥିବାରୁ ଜିଲ୍ଲାରେ ଦୁର୍ଘଟଣା ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ତଥ୍ୟକୁ ଅନୁଯାୟୀ ୨୦୧୮ ଜାନୁୟାରୀ ମାସରେ ୭୧ ଟି ଦୁର୍ଘଟଣା ମଧ୍ୟରୁ ୩୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୧୯ ଜାନୁୟାରୀ ମାସରେ ୮୦ ଟି ଦୁର୍ଘଟଣା ଘଟିଥିବା ବେଳେ ଏଥିମଧ୍ୟରୁ ୪୯ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସେଥିମଧ୍ୟରୁ ୨୯ ଜଣଙ୍କ ରାଜ୍ୟ ରାଜପଥରେ ମୃତ୍ୟୁ ହୋଇଥିବା ବେଳେ ୧୪ ଜଣଙ୍କ ଜାତୀୟ ରାଜପଥ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ସେହିପରି ମାସରେ ୧୪୮ଟି ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ମଧ୍ୟ କରାଯାଇଛି । ଜାତୀୟ ରାଜପଥରେ ଅନାବଶ୍ୟକ ଭାବେ ନିର୍ମାଣ ହୋଇଥିବା ହମ୍ପ(ସ୍ପିଡ଼୍ ବ୍ରେକର୍)ଗୁଡିକୁ ବାହାର କରିବାକୁ ମଧ୍ୟ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ଗଂଜାମ ଏସପି ବ୍ରିଜେଶ କୁମାର ରାଏ, ବ୍ରହ୍ମପୁର ମହାନଗର ନିଗମର କମିଶନର ଚକ୍ରବର୍ତି ସିଂ ରାଠୋର, ଗଂଜାମ ଆରଟିଓ ସଂଜୟ କୁମାର ବିଶ୍ୱାଳ, ଭଞ୍ଜନଗର ଏମଭିଆଇ ଶୁଭେନ୍ଦୁ କୁମାର ରାୟ, ଜାତୀୟ ରାଜପଥ କର୍ତୃପକ୍ଷ ପ୍ରଶାନ୍ତ ମିଶ୍ର, ଜିଲ୍ଲା ଶିକ୍ଷାଧିକାରୀ ଡ.ସନାତନ ପଣ୍ଡା, ପୂର୍ତ ବିଭାଗ ସହକାରୀ ଯନ୍ତ୍ରୀ ଏସ୍.ପଟ୍ଟନାୟକ, କମିଟି ସଦସ୍ୟ ଅନୀଲ କୁମାର ପାଢୀ, ବସନ୍ତ କୁମାରଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଓ କମିଟି ସଦସ୍ୟମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
