ଗୋପାଳପୁର (ସମୃଦ୍ଧ ଓଡିଶା) ଗୋପାଳପୁର ଥାନା ଅନ୍ତର୍ଗତ ୫ ନମ୍ବର ରାଜପଥ ପାର୍ଶ୍ୱରେ ରହିଥିବା ଟାଟା ମୋଟର୍ସର ଭାରତ ବେଞ୍ଜ ଗାଡି ସୋ-ରୁମରେ କାର୍ଯ୍ୟରତ ଥିବା ଜଣେ ଶ୍ରମିକ ଛାତ ଉପରୁ ଖସି ମୃତ୍ୟୁବରଣ କରିଥିବା ଜଣାପଡିଛି । ଏହି ଘଟଣାକୁ ନେଇ ମୃତ ଶ୍ରମିକଙ୍କ ପରିବାର ବର୍ଗ ଓ ଗ୍ରାମ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିବା ସହ ସୋ-ରୁମ ସମ୍ମୁଖରେ ଦୀର୍ଘ ଘଣ୍ଟା ଧରି ଆଜି ବିକ୍ଷୋଭ ପ୍ରଦର୍ଶନ କରି କ୍ଷତିପୂରଣ ପାଇଁ ଅଡ଼ି ବସିଥିଲେ । ସୂଚନା ଅନୁଯାୟୀ ଗତକାଲି ସୋ-ରୁମ ପରିସରରେ ରହିଥିବା ୬୦ ଉଚ୍ଚତା ବିଶିଷ୍ଟ ଏକ ଟିଣ ଛାତର ମରାମତି ନିମନ୍ତେ ସୋ-ରୁମର ମାଲିକ ପୱନ ଅଗ୍ରୱାଲ ଡୁରା ଗ୍ରାମର ଏ.ସନ୍ତୋଷ ରାଓ(୨୭)ଙ୍କୁ ପଠାଇଥିଲେ । ସନ୍ତୋଷ ଏହି ମରାମତି କାର୍ଯ୍ୟ କରୁଥିବା ସମୟରେ ହଠାତ ଗୋଡ଼ ଖସିଯିବାରୁ ତଳେ ପଡିଯାଇଥିଲା । ଏହାପରେ ଗୁରୁତର ଆହତ ସନ୍ତୋଷଙ୍କୁ ସୋ-ରୁମର କର୍ମଚାରୀଙ୍କ ସହଯୋଗ କ୍ରମେ ଏମକେସିଜିରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସନ୍ତୋଷଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ଖବର ପାଇ ଗୋପାଳପୁର ଥାନା ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲା । ତେବେ ଆଜି ସନ୍ତୋଷଙ୍କ ମୃତ୍ୟୁକୁ ନେଇ ତାଙ୍କ ପରିବାର ବର୍ଗ ଓ ଗ୍ରାମବାସୀ ସନ୍ତୋଷଙ୍କ ଶବକୁ ନେଇ ଗାଡି ସୋ-ରୁମ ସମ୍ମୁଖରେ ରଖି ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ କ୍ଷତିପୂରଣ ପାଇଁ ଦାବି କରିଥିଲେ । ପରିସ୍ଥିତି ଅଣାୟତ ହେବାରୁ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ସୋ-ରୁମର ମାଲିକଙ୍କ ସହ ଆଲୋଚନା କରିଥିଲେ । କିନ୍ତୁ ଗ୍ରାମବାସିନ୍ଦା ସେମାନଙ୍କର ଜିଦରେ ଅଟଳ ରହିଥିଲେ । ଦୀର୍ଘ ୪ଘଣ୍ଟା ପରେ କମ୍ପାନୀ ମାଲିକଙ୍କ ପକ୍ଷରୁ ସହାୟତା ରାଶି ପୂର୍ବକ ୯ ଲକ୍ଷ ୫୦ହଜାର ଟଙ୍କା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ତେବେ ଶ୍ରମିକ ସନ୍ତୋଷ ସୋ-ରୁମରେ ଜଣେ ଝାଡୁଦାର ଭାବେ କାର୍ଯ୍ୟରତ ଥିବା ବେଳେ ତାଙ୍କୁ କିଭଳି ୬୦ ଫୁଟ ଉଚ୍ଚତା ବିଶିଷ୍ଟ ଏକ ଟିଣ ଛାତର ମରାମତି ପାଇଁ କେଉଁ କାରଣରୁ ତାଙ୍କୁ ପଠାଯାଇଥିଲା ଏବଂ ଏଭଳି କାର୍ଯ୍ୟ ପାଇଁ କିଏ ତାଙ୍କୁ ଅନୁମତି ଦେଇଥିଲା ସେ ଏକ ବିରାଟ ପ୍ରଶ୍ନବାଚି ସୃଷ୍ଟି କରିଛି । ଅନ୍ୟପଟେ ଶ୍ରମିକ ସନ୍ତୋଷକୁ ବିନା ସୁରକ୍ଷା ବେଲ୍ଟରେ ଏଭଳି କାର୍ଯ୍ୟରେ ଲିପ୍ତ କରାଯାଇଥିବା ସୋ-ରୁମର ଜଣେ କର୍ମଚାରୀ ନିଜର ନାମକୁ ଗୋପନ କରି ମତ ଦେଇଛନ୍ତି । ତେବେ ଏଭଳି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତର ଆବଶ୍ୟକତା ରହିଥିବା ବେଳେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବୀ କରାଯାଇଛି ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା