ସନ୍ଥ-ସମାଜ ପକ୍ଷରୁ ପୁରାଣ ପ୍ରସିଦ୍ଧ ମହେନ୍ଦ୍ର ଗିରି ଓ ସୀତା ପାହାଡ଼ର ଉନ୍ନତିକରଣ ଦାବୀ….

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ରାୟଗଡ ବ୍ଲକ କଇଁପୁର ଓ ଗାରାବନ୍ଧ ଅଂଚଳରେ ଥିବା ଐତିହାସିକ ସମ୍ପନ୍ନ ତଥା ପୁରାଣ ପ୍ରସିଦ୍ଧ ମହେନ୍ଦ୍ର-ଗିରି ଓ ସୀତା-ପାହାଡ଼ ଉନ୍ନତିକରଣ କରାଯିବା ପାଇଁ ଅଖିଳ ଭାରତୀୟ ସନ୍ଥ ସମାଜ ପକ୍ଷରୁ ପାରଳାଖେମୁଣ୍ଡି ଠାରେ ଦୃଢଦାବୀ କରାଯାଇଛି । ସ୍ଥାନୀୟ ପୂର୍ତ୍ତ-ବିଭାଗ ଡାକ ବଙ୍ଗଳା ଠାରେ ସନ୍ଥ ସମାଜ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସନ୍ଥ-ସମାଜର ରାଜ୍ୟ ଅଧ୍ୟକ୍ଷ ସ୍ୱାମୀ ଶଙ୍କରା ନନ୍ଦ ଗଜପତି ଜିଲ୍ଲା ଗସ୍ତରେ ଆସି କିଛି ପର୍ଯ୍ୟଟନ ସ୍ଥଳି ପରିଭ୍ରମଣ କରିଥିବା ଅବସରରେ ଗଜପତି ଜିଲ୍ଲାରେ ଥିବା ଏମିତି କିଛି ବିରଳ ଐତିହାସିକ ତଥା ପୁରାଣ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀଗୁଡ଼ିକ ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି । ଯାହାଫଳରେ ବର୍ଷ ବର୍ଷ ଧରି ସମସ୍ତ ସ୍ତରରେ ଏଥିପ୍ରତି ସମ୍ପୁର୍ଣ୍ଣ ଅବଗତ ଥିଲେ ମଧ୍ୟ ତାର ଉନ୍ନତିକରଣ ହୋଇ ପାରୁ ନ ଥିବା ଯୋଗୁଁ ସେଗୁଡିକ ଅବହେଳିତ ହୋଇ ପଡ଼ିରହିଛି ବୋଲି କହି ଅତ୍ୟନ୍ତ କ୍ଷୋଭ ପ୍ରକାଶ କରିଥିଲେ । ରାଜ୍ୟ ସରକାର ପର୍ଯ୍ୟଟନ ବିଭାଗ ଓ ଜିଲ୍ଲା-ପ୍ରଶାସନ ଏଥି ପ୍ରତି ଅଧିକ ଗୁରୁତ୍ୱ ଦେଇ ଏ ସବୁର ଉନ୍ନତିକରଣ ଅଗ୍ରାଧିକାର ଭିତ୍ତିରେ କରିବାର ନିଶ୍ଚିତ ଆବଶ୍ୟକ ରହିଛି । ଏସବୁ ଉନ୍ନତିକରଣ ପାଇଁ ଆମେ ସାମ୍ବାଦିକମାନଙ୍କ ମାଧ୍ୟମରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ଅଖିଳ ଭାରତୀୟ ସନ୍ଥ-ସମାଜ ପକ୍ଷରୁ ଦୃଢ଼ ଦାବୀ ଜଣାଉଛୁ ବୋଲି ଅଧ୍ୟକ୍ଷ ସ୍ୱାମୀ ଶଙ୍କରାନନ୍ଦ ଗିରି କହିଥିଲେ । ଅନ୍ୟପକ୍ଷରେ ଆଜିକାଲି ବିଭିନ୍ନ ସ୍ଥାନାଞ୍ଚଳରେ ବହୁ ମାତ୍ରାରେ ବଢ଼ି ଚାଲିଥିବା ଚୋରା ଗୋ-ଚାଲାଣ ରୋକିବା ସହ ଗୋ-ହତ୍ୟା ବନ୍ଦ କରିବା, ଗୋ-ସୁରକ୍ଷା କରିବା ଏବଂ ଧର୍ମାନ୍ତରୀକରଣକୁ ରୋକିବା ସହ ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପ୍ରଭୃତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମହେନ୍ଦ୍ର ଆଶ୍ରମର ସାଧକ ସ୍ୱାମୀ ଭାସ୍କର ତୀର୍ଥ(ଲକ୍ଷ୍ମୀବାବା), ପଡୋଶୀ ଆନ୍ଧ୍ର ପ୍ରଦେଶର ମହାମନ୍ତ୍ରୀ ମହନ୍ତ ମହାରାଜ ହରିହର ଦାସଜୀ, ମହନ୍ତ ମହାରାଜ ଯଶୋଦା ନନ୍ଦ ଦାସଜୀ, ମହନ୍ତ ମହାରାଜ ରାମାନନ୍ଦ ଦାସଜୀ, ସନ୍ଥ ବ୍ରହ୍ମଚାରି ତେଜମୟ ସ୍ୱରୂପ, ବିଦେଶରୁ ଆସିଥିବା ଶିଷ୍ୟ କାର୍ଲସ୍ ଓ ଅଲାଗ ଆନ୍ଦ୍ରିୟ, ଆଇନଜୀବି କୈଳାଶ ଗୌଡ ଏବଂ ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲା ସଭାପତି ହରି ମୋହନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : କୃଷ୍ଣ କୁମାର ବେହେରା