ସମାଜସେବୀ ସଦାଶିବ ମହାନ୍ତିଙ୍କ ୨୫ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଶାଳିକୋଠାସ୍ଥିତ ସଦାଶିବ ମହାନ୍ତି ସ୍ମୃତି କମିଟି ଓ ସଦାଶିବ ବିଦ୍ୟାନିକେତନ ମିଳିତ ଆନୁକୂଲ୍ୟରେ ବିଦ୍ୟାଳୟ ପରିସରରେ ପ୍ରତିଷ୍ଠାତା ସଦାଶିବ ମହାନ୍ତିଙ୍କର ଗତକାଲି ପୂର୍ବାହ୍ନରେ ୨୫ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇ ଯାଇଛି । ଏଥିରେ ସ୍ମୃତି କମିଟିର ଅଧ୍ୟକ୍ଷ ପ୍ରଫେସର ବିପିନ ବିହାରୀ ବିଶ୍ୱାଳ ଅଧ୍ୟକ୍ଷତା କରି ହିନ୍ଦୁ ମତଅନୁଯାୟୀ ଶ୍ରଦ୍ଧାରେ ଶ୍ରାଦ୍ଧ ଦିଆଯାଇଥାଏ, ପୂଜ୍ୟପୂଜା ବ୍ୟତିରେକେ ସାମାଜିକ ବିକାଶ ଅସମ୍ଭବ ବୋଲି କହିଥିଲେ । ମୁଖ୍ୟ ଅତିଥିଭାବେ ଗବେଷକ ଡ. ଶ୍ରୀକାନ୍ତ ଚରଣ ପାତ୍ର ଯୋଗ ଦେଇ ସଦାଶିବ ମହାନ୍ତିଙ୍କର କର୍ତ୍ତବ୍ୟବୋଧ ଓ ନୈତିକତା ଯୋଗୁଁ ନାରୀ ଶିକ୍ଷାର ବିକାଶ ଲାଗି ଗାଁରେ ଏକ ବାଳିକା ବିଦ୍ୟାଳୟ ଖୋଲି ସମାଜରେ ନାରୀର ସ୍ଥାନ ଉଦ୍ଧ୍ୱର୍ଗାମୀ କରିବାକୁ ଚେଷ୍ଟା କରିଥିଲେ । ମୁଖ୍ୟ ବକ୍ତାଭାବେ ପ୍ରାଧ୍ୟାପକ ଜୟନ୍ତ କୁମାର ଦାସ ଓ ସମ୍ମାନୀତ ଅତିଥିଭାବେ ପୂର୍ବତନ ଅଧ୍ୟକ୍ଷ ସୁଧାଂଶୁ ଶେଖର ପ୍ରଧାନ ଯୋଗ ଦେଇ ଆତ୍ମା ଓ ପରମାତ୍ମାର ତତ୍ତ୍ୱ ବ୍ୟାଖ୍ୟା କରିବା ସହ ମୃତ୍ୟ ପରେ ପରମାତ୍ମା କିପରି କାର୍ଯ୍ୟ କରିଥାଏ ତାହା କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ନେତା ଅଜିତ୍ କୁମାର ମହାନ୍ତି, ଗଣେଶ ଚନ୍ଦ୍ର ପରିଡା, ଶରତ ଚନ୍ଦ୍ର ପଣ୍ଡା ଯୋଗ ଦେଇଥିବା ବେଳେ ମଦନ ମୋହନ ମହାପାତ୍ର ଗୀତାପାଠ, କମିଟିର ସଂପାଦକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଖଗେନ୍ଦ୍ର ନାଥ ସାମଲଙ୍କ ବିବରଣୀ ପାଠ, କେଦାରନାଥ ଗିରିଙ୍କ ପ୍ରାକ୍ ସୂଚନା, କ୍ଷୀରୋଦ ଚନ୍ଦ୍ର ପୋଥାଳଙ୍କ ଲିଖିତ ପ୍ରାରମ୍ଭିକ ସଂଗୀତକୁ ପ୍ରମୋଦ କୁମାର ପଣ୍ଡା ଓ ମହେଶ୍ୱର ପ୍ରଧାନ ପରିବେଷଣ କରିଥିଲେ । ସଭା ପୂର୍ବରୁ ସଦାଶିବ ମହାନ୍ତିଙ୍କ ଫଟୋଚିତ୍ର ଓ ପ୍ରତିମୂର୍ତ୍ତୀରେ ଅତିଥିମାନେ ମାର୍ଲ୍ୟାର୍ପଣ କରିଥିଲେ । ବିଦ୍ୟାଳୟର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସମଗ୍ର କାର୍ଯ୍ୟକ୍ରମକୁ ସମାଜସେବୀ ବିଷ୍ଣୁପଦ ମହାନ୍ତି, ପୂର୍ବତନ ଅଧ୍ୟକ୍ଷ ଡ. ହରିପଦ ମହାନ୍ତି, ରୋଟାରୀଆନ୍ ତାରାପଦ ମହାନ୍ତି ଓ ଡା. କାଳୀପଦ ମହାନ୍ତି ପରିଚାଳନା କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା