



ଭୁବନେଶ୍ୱର(ସମୃଦ୍ଧଓଡିଶା) ଟାଟା ଷ୍ଟିଲ ପକ୍ଷରୁ ଓଡ଼ିଶା ଫୁଟବଲ୍ ଏକାଡ଼େମୀ ପଡ଼ିଆରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟର ଚମ୍ପିଆନ୍ ‘ଲିଡର୍ସ ଏକାଦଶ’ ଦଳ ଓ ରନର୍ସ ଅପ୍ ‘ଅଫିସର୍ସ ଏକାଦଶ’ ଦଳ ସମେତ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିବା ‘ମିଡ଼ିଆ ଏକାଦଶ’ ଏବଂ ‘ଟାଟା ଷ୍ଟିଲ ଏକାଦଶ’ ଦଳକୁ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଶୁଭେଚ୍ଛା ଜଣାଇଛନ୍ତି । ଓଡ଼ିଶା ଫୁଟବଲ୍ ଏକାଡ଼େମୀଠାରେ ଟାଟା ଷ୍ଟିଲ ପକ୍ଷରୁ ଆୟୋଜିତ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ଟୁର୍ଣ୍ଣାମେଣ୍ଟକୁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ଅନ୍ୟାନ୍ୟ ମନ୍ତ୍ରୀ ଏବଂ ବିଧାୟକଗଣ, ପ୍ରଶାସନିକ ଅଧିକାରୀ, ମିଡ଼ିଆ ବନ୍ଧୁଗଣଙ୍କ ସହ ମିଶି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଉପଭୋଗ କରିବା ସହ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ କିଛି ସମୟ ବାହାର କରି ଏପରି ଏକ ରୋମାଞ୍ଚପୂର୍ଣ୍ଣ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଦେଖିବା ସହ ସରକାରୀ କର୍ମଚାରୀ, ମିଡ଼ିଆ, ଟାଟା ଷ୍ଟିଲର କର୍ମକର୍ତ୍ତାଙ୍କ ସହ ସମୟ ଅତିବାହିତ କରିଥିବାରୁ ଶ୍ରୀମତୀ ପରିଡ଼ା ଖୁସିବ୍ୟକ୍ତ କରି କହିଥିଲେ ଯେ, ଏହି ବନ୍ଧୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ସମସ୍ତଙ୍କ ମନରେ ଏକତା ଏବଂ ଭାଇଚାରା ସୃଷ୍ଟି କରିବ । ସମୃଦ୍ଧ ଓଡିଶା ଗଠନରେ ସରକାରୀ କର୍ମଚାରୀ, ମିଡ଼ିଆ ଏବଂ କର୍ପୋରେଟ କର୍ମଚାରୀଙ୍କ ସହଭାଗିତା ଓ ସହଯୋଗର ଯଥେଷ୍ଟ ଆବଶ୍ୟକତା ରହିଛି । ଏହି ଟୁର୍ଣ୍ଣାମେଣ୍ଟ ଏକାଠି କାମ କରିବା ପାଇଁ ପ୍ରେରଣା ଦେବ ବୋଲି ଶ୍ରୀମତୀ ପରିଡ଼ା ଆଶାବ୍ୟକ୍ତ କରିଥିଲେ । ସୂଚନାଯୋଗ୍ୟ ଯେ ଓଡ଼ିଶା ଫୁଟବଲ୍ ଏକାଡ଼େମୀଠାରେ ଟାଟା ଷ୍ଟିଲ ପକ୍ଷରୁ ପ୍ରତିବର୍ଷ ଏହିପରି ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଆସୁଛି।
ରିପୋର୍ଟ : ରଜତ ମହାପାତ୍ର