ସମ୍ ହସ୍ପିଟାଲ୍ ରେ “ୱାର୍ଲ୍ଡ ହାର୍ଟ ଡେ’” ପାଳନ ଅଧିକ ଚିନ୍ତା ଗ୍ରସ୍ତ ହୃଦ୍‍ଘାତର କାରଣ – ଡକ୍ଟର ରତନ ରାଠୋଡ

ଭୁବନେଶ୍ୱର -ଆମେ ଯାହା ଭାବିଥାଉ ତା’ର ପ୍ରଭାବ ଆମ ଶରୀର ଉପରେ ପଡ଼ିଥାଏ । ଆମ ଚିନ୍ତାଧାରା ଯେଉଁଭଳି ହୁଏ ସେହିଭଳି ଭାବରେ ଆମ ଶରୀର ସୁସ୍ଥ ବା ଅସୁସ୍ଥ ହୋଇଥାଏ । ମଣିଷ ଅଧିକ ଚିନ୍ତାଗ୍ରସ୍ତ ହେବା ଫଳରେ ହୃଦ୍‍ଘାତ ଜନିତ ବ୍ୟାଧିରେ ପୀଡ଼ିତ ହୋଇଥାଏ । ତେଣୁ ଯେକୌଣସି  ପରିସ୍ଥିତିରେ ମଧ୍ୟ ମଣିଷ ଖୁସି ରହିବା ଉଚିତ୍ ବୋଲି କହିଛନ୍ତି ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡକ୍ଟର ରତନ ରାଠୋଡ ।ଶିକ୍ଷା ଓ ଅନୁସନ୍ଧାନ ଡିମ୍‍ଡ ବିଶ୍ୱବିଦ୍ୟାଳୟ ପରିଚାଳିତ  ଇନ୍‍ଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲ୍ ଦ୍ୱାରା ଆୟୋଜିତ “ୱାର୍ଲ୍ଡ ହାର୍ଟ ଡେ’” ଅବସରରେ ହୃଦ୍‍ଘାତଜନିତ ସମସ୍ୟାରୁ ମୁକ୍ତିପାଇବା ପାଇଁ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଚିକିତ୍ସିତ ହେବା ଏକ ବଡ଼ ମାଧ୍ୟମ ବୋଲି କହିଛନ୍ତି ମୁମ୍ବାଇ ଏମ୍‍ଜିଏମ୍‍ ହସ୍ପିଟାଲ୍ର ହୃଦ୍‍ରୋଗ ବିଭାଗ ମୁଖ୍ୟ ଡକ୍ଟର ରାଠୋଡ ।ସୁସ୍ଥ ମଣିଷ ପାଇଁ ତିନୋଟି ଦିଗର ଆବଶ୍ୟକ ରହିଛି । ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ଦିଗ । ଏହି ତିନୋଟି ଦିଗ ଉପରେ ଗୁରୁତ୍ୱ ଦେଲେ ହିଁ ମଣିଷ ସୁସ୍ଥ ରହିପାରିବ ଏବଂ ହୃଦ୍‍ଘାତ ଜନିତ ବ୍ୟାଧିରୁ ମୁକ୍ତି ପାଇପାରିବ ବୋଲି ସେ କହିଛନ୍ତି । କିନ୍ତୁ କୌଣସି  ଡାକ୍ତରଖାନାରେ ଚିକିତ୍ସିକମାନେ ମାନସିକ ଓ ଆଧ୍ୟାତ୍ମିକ ଦିଗକୁ ଗୁରୁତ୍ୱ ଦେଇନଥାନ୍ତି । ମଣିଷ ଆଧ୍ୟାତ୍ମିକ ଦିଗଟିକୁ ସମ୍ପୂର୍ଣ୍ଣ ରୂପେ ଭୁଲିଯାଉଛି ଓ ମାନସିକ ସ୍ତରରେ ଅସୁସ୍ଥ ରହୁଛି ତେଣୁ ଅଧିକ ବ୍ୟାଧିଗ୍ରସ୍ତ ହେଉଛି । ଶରୀର ରୋଗଗ୍ରସ୍ତ ହୁଏ, ମାତ୍ରଆତ୍ମା ସର୍ବଦା ମଣିଷକୁ ସୁସ୍ଥ କରିଥାଏ ବୋଲି ସେ କହିଛନ୍ତି ।ମଣିଷ ଶରୀରରେ ଅଧିକ କୋଲେଷ୍ଟରଲ୍ ବୃଦ୍ଧି ପାଇବା ଫଳରେ ହୃଦ୍ଘାତ ହୋଇଥାଏ । କୋଲେଷ୍ଟରଲ୍ ବୃଦ୍ଧି ପାଇବାର ମୁଖ୍ୟ କାରଣ ହେଉଛି ଚିନ୍ତା । ତେଣୁ ମଣିଷକୁ ନକାରାତ୍ମକ ଚିନ୍ତାଧାରାରୁ ବାହାରି ସୁସ୍ଥ ହେବାକୁ ପଡ଼ିବ । ମନ ଓ ଶରୀରର ସମ୍ପର୍କର ଅନେକ ଗୁରୁତ୍ୱ ରହିଛି ।ମୁଖ୍ୟତଃ ଦୁଇଟି ଟିମ୍ ମନ ଓ ଶରୀରକୁ ନିୟନ୍ତ୍ରଣ କରିଥାଏ, ପଜିଟିଭ୍ ଓ ନେଗେଟିଭ୍ ଟିମ୍ । ପଜିଟିଭ୍ ଟିମ୍ ମଣିଷକୁ ଆନନ୍ଦ ଦେଇଥାଏ ଓ ସୁସ୍ଥ ରହିବା ପାଇଁ ଶକ୍ତି ପ୍ରଦାନ କରିଥାଏ । ତେବେ ନେଗେଟିଭ୍  ଟିମ୍ର  ବଶବର୍ତୀ ହେଲେ ମଣିଷ ଚିନ୍ତାଗ୍ରସ୍ତ ହୁଏ, ଦୁଃଖରେ ରୁହେ, ରୋଗଗ୍ରସ୍ତ ହୁଏ ଏବଂ ତା’ର ଶକ୍ତି କମିଯାଏ । ତେଣୁ ନେଗେଟିଭ୍ ଟିମ୍ର ମୁକ୍ତି ପାଇବା ପାଇଁ କ୍ରୋଧ ଓ ଚିନ୍ତାକୁ ଦୂରେଇ ଦେବାକୁ ପଡ଼ିବ ବୋଲି କହିଛନ୍ତି ଡ. ରାଠୋଡ ।ହୃଦ୍‍ଘାତର ଶିକାର ହେଲେ ଆଞ୍ଜିଓ ପ୍ଲାଷ୍ଟି, ଷ୍ଟେନ୍ଟ କିମ୍ବା ବାଇପାସ୍ ସର୍ଜରୀ କରାଯାଏ । ତେବେ ଏସବୁରୁ ମୁକ୍ତିପାଇବା ସହ ସୁସ୍ଥ ରହିବା ପାଇଁ ଆଧ୍ୟାତ୍ମିକ ଚିନ୍ତାଧାରା, ଯୋଗ, ବ୍ୟାୟାମ ଏବଂ ଖାଦ୍ୟ ଶୈଳୀରେ ପରିବର୍ତନର ମଧ୍ୟ ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।ଏହି ଅବସରରେ ସୋଆର ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପ୍ରଫେସର ଅଶୋକ ମହାପାତ୍ର କହିଥିଲେ ଯେ ଡାକ୍ତରୀ ଛାତ୍ରଛାତ୍ରୀମାନେ ପାଠପଢ଼ା ଚାପରେ ଅଧିକ ଚିନ୍ତାଗ୍ରସ୍ତ ହେଉଛନ୍ତି । ଏହା ତାଙ୍କ ଶରୀର ଉପରେ ପ୍ରଭାବ ପକାଉଛି ତେଣୁ ସେମାନଙ୍କୁ ସୁସ୍ଥ ଜୀବନ ଶୈଳୀ ଅନୁକରଣ କରିବା ଉଚିତ୍ ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମ୍ ହସ୍‍ପିଟାଲର ମେଡିକାଲ୍ ସୁପରିଟେଣ୍ଡେଂଟ ଡ. ପୁଷ୍ପରାଜ ସାମନ୍ତସିଂହାରଙ୍କ ସହିତ ବହୁ ଚିିକିତ୍ସକ ଉପସ୍ଥିତ ଥିଲେ । ଏହି ଅବସରରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଛାତ୍ରଛାତ୍ରୀ, ଡାକ୍ତର ଏବଂ ଫ୍ୟାକଲ୍ଟି ମାନଙ୍କ ଦ୍ୱାରା ହସ୍‍ପିଟାଲ ପରିସରରେ ସଚେତନତା ର୍ୟାଲି ଆୟୋଜିତ କରାଯାଇଥିଲା ।