ସମ୍ଭାବ୍ୟ ବାତ୍ୟା ତିତଲିର ମୁକାବିଲା ପାଇଁ ଜିଲ୍ଲାପ୍ରଶାସନର ବ୍ୟାପକ ପ୍ରସ୍ତୁତି,୩ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର : ଜିରୋ କାଜୁଆଲଟି ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ

ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାର ସମସ୍ତ ଅଧିକାରୀ ମାନଙ୍କ ଉପସ୍ଥିତିରେ ବୈଠକ 
ବିଧାୟକ ନିଜେ ବାତ୍ୟା ଆଶ୍ରୟସ୍ଥଳ ବୁଲିଦେଖୁଛନ୍ତି
ଗୋପାଳପୁର ସମୁଦ୍ରକୂଳରେ ଢେଉ କେତେ ଉପରକୁ ଉଠୁଛି ଅଫିସର ମାନେ ଅନୁଧ୍ୟାନ କରୁଛନ୍ତି 

ଛତ୍ରପୁର(ନିମାଇଁ ଚରଣ ପଣ୍ଡା):ଜିଲ୍ଲାକୁ ଆସୁଥିବା ବାତ୍ୟା ତିତଲି କୁ କିପରି ଦୃଢ ମୁକାବିଲା କରାଯାଇ ପାରିବ ସେ ନେଇ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାର ସବୁ ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ । ତିତଲି ନାମକ ଏକ ଘୁର୍ଣ୍ଣିଝଡ଼ ଜିଲ୍ଲାର ଗୋପାଳପୁର ନିକଟରେ ଅବପାତ ହେବବୋଲି ଜଣାପଡିଛି । ରଙ୍ଗେଈଲୁଣ୍ଡା, ଛତ୍ରପୁର, ଗଂଜାମ, ଖଲିକୋଟ ଓ ଚିକିଟି ଆଦି ୫ଟି ବ୍ଳକରେ ବାତ୍ୟାର ପ୍ରଭାବ ଯଥେଷ୍ଟ ଅଧିକ ରହିବ ବୋଲି ଜିଲ୍ଲାପାଳ କହିଛନ୍ତି । ପବନର ବେଗ ୧୫୦କିଲୋମିଟର ବେଗରେ ପବନ ବହିବ ବୋଲି ସୂଚନା ଥିବାରୁ ଜିରୋ କାଜୁଆଲିଟି ଆବଶ୍ୟକ ହେଉଛି । ବିଡ଼ିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସବୁଜିଲ୍ଲାପାଳ ମାନଙ୍କୁ ସୂଚନା ଦେଇସାରିଛନ୍ତି । ଛତ୍ରପୁର, ଗଂଜାମ, ଚିକିଟି, ରଙ୍ଗେଈଲୁଣ୍ଡା, ଖଲ୍ଲିକୋଟ, ବ୍ରହ୍ମପୁର ମହାନଗର ନିଗମ ଓ ଗୋପାଳପୁର ଏନଏସିର ପାଖାପାଖି ୨ଲକ୍ଷ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳ ସ୍କୁଲକୁ ସ୍ଥାନାନ୍ତରିତ କରାଯିବ । ଏହି କାର୍ଯ୍ୟ ରାତିସୁଦ୍ଧା ସାରିବାକୁ ହେବ ବୋଲି ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ବ୍ରହ୍ମପୁର ପୌର ପରିଷଦର ୫୦୦୦ସମେତ ୧୫୦୦୦ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇସାରିଲାଣି । ଏମାନଙ୍କ ଖାଦ୍ୟପେୟର ବନ୍ଦବସ୍ତ ମଧ୍ୟ କରାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । ଯେଉଁମାନେ ସ୍ଥାନାନ୍ତରିତ ହୋଇଛନ୍ତି ସେମାନେ ଯେପରି ଘରକୁ ନଫେରନ୍ତି ତାର ବ୍ୟବସ୍ଥା ତଥା ଦାୟିତ୍ୱ ଅତିରିକ୍ତ ଜିଲ୍ଲାପାଳଙ୍କ ଉପରେ ନ୍ୟସ୍ତ କରାଯାଇଛି । ଜିଲ୍ଲାରେ ତିନୋଟି ନୋଡାଲ ଟିମ ଗଠନ କରାଯାଇଛି । ବିଡ଼ିଓ, ତହସିଲଦାର, ସମ୍ପୃକ୍ତ ଅଞ୍ଚଳର ପୋଲିସ ଅଧିକାରୀ ମାନେ ସମନ୍ୱୟ ରକ୍ଷାକରି କାର୍ଯ୍ୟ କରିବେବୋଲି ନିର୍ଦ୍ଧେଶ ଦିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି । ମଣିଷ ସହିତ ସେମାନଙ୍କ ଗୃହପାଳିତ ପଶୁ ମାନଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯିବ । ଲୋକମାନେ ଆଶ୍ରୟ ନେଇଥିବା ବାତ୍ୟା ଆଶ୍ରୟ ସ୍ଥଳୀ,ସ୍କୁଲ ଗୃହ, ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ସବୁ ପ୍ରକାର ମୌଳିକ ସୁବିଧା ଯୋଗାଇ ଦିଆଯାଇଛି ।ଜରୁରୀ କାଳୀନ ବ୍ୟବସ୍ଥାକୁ ସୁଧାରିବା ପାଇଁ ଜେନେରେଟର, ମହମବତୀ, କିରୋସିନ ମହଜୁଦ ରଖିବା ପାଇଁ କୁହାଯାଇଛି । ଛତ୍ରପୁରରେ ୨୪ଘଣ୍ଟିଆ କଣ୍ଟ୍ରୋଲରୁମ ଖୋଲାଯାଇ ମନିଟରିଂ କରାଯାଉଛି । ଏନଡିଆରଏଫର ୨୫ଜଣିଆ ଏକ ଟିମ ଆଜିସନ୍ଧ୍ୟାର ଏଠାରେ ପହଞ୍ଚିବେ ବୋଲି ଜିଲ୍ଲାପାଳ କହିଛନ୍ତି । ଏହାକୁ ଦୁଇଭାଗ କରାଯାଇ ଗୋଟିଏ ଛତ୍ରପୁର ଓ ଅନ୍ୟଟି ବ୍ରହ୍ମପୁରରେ ରଖାଯିବ । ଓଡ୍ରାଫ ଟିମ ଛତ୍ରପୁର ଓ ବ୍ରହ୍ମପୁରରେ ରହିଥିବାବେଳେ ଅଗ୍ନିଶମ ବିଭାଗର ୨୫୦ଜଣ କର୍ମଚାରୀ,  ୮୦ଟି ରଡ଼ କଟର, ୬ଟି ଗାଡି ସହ ସଜାଗ ରହିଛି । ପ୍ରତି ଆଶ୍ରୟ ସ୍ଥଳରେ ମେଡିକାଲ ଟିମ ନିୟୋଜିତ ହୋଇଛନ୍ତି । ଗର୍ଭବତୀ ମହିଳାମାନଙ୍କୁ ଘରୁ ହସ୍ପିଟାଲ ଆଣିବାକୁ ନିର୍ଦେଶ ଦିଆଯାଇଛି  କୌଣସି ଯୋଗାଯୋଗ ବିଛିନ୍ନ ହେଲେ ଏହାର ସମାଧାନ କରାଯାଇ ମନିଟରିଂ କରାଯିବା ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କୁ କୁହାଯାଇଛି ।ଚମାଖଣ୍ଡି, ଆର୍ଯ୍ୟପାଲ୍ଲୀ ମେରାଇନ ଡ୍ରାଇଭ, ଖଲ୍ଲିକୋଟ, ରମ୍ଭା, ଛତ୍ରପୁର, ଗଂଜାମ ଥାନାରେ ଗୋଟିଏ ଲେଖାଏ ପ୍ଲାଟୁନ ଫୋର୍ସ, ୨୫ଜଣ ଅଫିସର ଓ କନେଷ୍ଟବଳ ମୁତୟନ ଅଛନ୍ତି । ବ୍ରହ୍ମପୁର ସହରରେ ତିନୋଟି ମୋବାଇଲ ଟିମର ବ୍ୟବସ୍ଥା କରାଯାଇଛି । ବିଏସଏନଏଲ ଓ ସାଉଥକୋକୁ ଆଲର୍ଟ ରହିବାକୁ କୁହାଯାଇଛି । ଜାତୀୟ ରାଜପଥରେ ସେହିସମୟ ମଧ୍ୟରେ କୌଣସି ଯାନବାହାନ ଯାତାୟାତ କରିବା କିମ୍ବା ରହିପାରିବେ ନାହିଁ ବୋଲି ନିର୍ଦେଶ ଦିଆଯାଇଛି । ଗୋପାଳପୁର ଉପରେ ବାତ୍ୟାର ଅଧିକ ପ୍ରଭାବ ଅଧିକ ପ୍ରଭାବ ପଡୁଥିବାରୁ ବ୍ୟାପକ କ୍ଷତି ହେବାର ସମ୍ଭାବନା ରହିଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । ଅଳୁ, ପିଆଜ ଆଦି ପନିପରିବା ଦର ଯେପରି ନିୟନ୍ତ୍ରଣରେ ରହିବ ଓ କଳା ବଜାର କୁ ରୋକିବା ପାଇଁ ଜିଲ୍ଲା  ବିଭାଗକୁ ନିର୍ଦେଶ ଦିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି । ଅନ୍ୟପକ୍ଷରେ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଥିବା ଛତ୍ରପୁର ଏସପି କହିଛନ୍ତି । ଗଂଜାମ ପୋଲିସ ମଧ୍ୟ ସବୁକ୍ଷେତ୍ରରେ ସଜାଗ ରହିଛି ବୋଲି ସେ ପ୍ରକାଶ କରିଛନ୍ତି । ସବୁ ଥାନାକୁ ଅତିରିକ୍ତ ଗାର୍ଡ ଯୋଗାଇ ଦିଆଯାଇଥିବା ବ୍ରହ୍ମପୁର ଏସପି କହିଛନ୍ତି । ଏହି ବୈଠକରେ ଜିଲ୍ଲାପାଳ ଅଧ୍ୟକ୍ଷତା କରିଥିଲେ ।ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଦାଶ, ଛାଁଚୁନ୍ଦ୍ର କୁମାର ସାହୁ, ଗଂଜାମ ଏସପି ବ୍ରଜେଶ କୁମାର ରାୟ, ବ୍ରହ୍ମପୁର ଏସପି ପିନାକୀ ମିଶ୍ର, ଜିଲ୍ଲା ଗ୍ରାମ୍ୟ ଉନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଛତ୍ରପୁର ଉପଜିଲ୍ଲାପାଳ ଦେବବ୍ରତ ସାହୁ, ଜିଲ୍ଲଜରୁରୀକାଳୀନ ଅଧିକାରୀ ପ୍ରଜ୍ଞା ପରମିତା ଥାଟୋଇ, ଅଷ୍ଟମ ବାଟାଲିୟନ କମାନଡ଼େଣ୍ଡ, ଡୁଡ଼ା ପ୍ରକଳ୍ପ ନିର୍ଦେଶକ ସବ୍ୟସାଚି ହୋତା, ଜିଲ୍ଲା ଯୋଗାଣ ଅଧିକାରୀ ବିଷ୍ଣୁ ପ୍ରସାଦ ସୂପକାର, ଅତିରିକ୍ତ ଏସପି ପ୍ରଦୀପ ମହାପାତ୍ର, ଡ଼ିଏସପି ଦିଲ୍ଲୀପ କୁମାର ଦାଶ, ଆରଟିଓ ସଞ୍ଜୟ କୁମାର ବିଶ୍ୱାଳ, ଜିଲ୍ଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡାଙ୍କ ସମେତ ସମସ୍ତ ଥାନାର ଅଧିକାରୀ ମାନେ ଯୋଗ ଦେଇଥିଲେ । ବର୍ତ୍ତମାନ ଛତ୍ରପୁର ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ଜଣାଇଛନ୍ତି ଯେ  ମୁକାବିଲା କରିବାପାଇଁ ୭୫୫ଟି ବାତ୍ୟା ଆଶ୍ରୟ ସ୍ଥଳୀକୁ ୨୯୮୩୮୨ପୁରୁଷ ଓ ୫୦୩୬୧ମହିଳା ଙ୍କୁ ସ୍ଥାନାନ୍ତରିତ କରାଯାଇଛି । ଚିକିଟି ବ୍ଲକରୁ ୩୫୧୨୩ଜଣ, ରଙ୍ଗେଈଲୁଣ୍ଡା ବ୍ଲକରୁ ୪୮୨୦୧ଜଣ, ଛତ୍ରପୁର ବ୍ଲକର ୨୫୭୨୦ଜଣ, ଗଂଜାମ ବ୍ଳକରୁ ୧୯୩୨୭ଜଣ, ଖଲ୍ଲିକୋଟ ବ୍ଳକରୁ ୧୦୩୨୧ଜଣ, ବ୍ରହ୍ମପୁର ପୌରାଞ୍ଚଳରୁ ୯୮୨୩ଜଣ ଓ ଅନ୍ୟାନ୍ୟ ସ୍ଥାନରୁ ୪୯୮୬୭ଜଣଙ୍କୁ ଅଦ୍ୟାବଧି ସ୍ଥାନାନ୍ତରିତ କରାଯାଇସାରିଲାଣି । ସେମାନଙ୍କ ଖାଦ୍ୟାବ୍ୟବସ୍ଥା ମଧ୍ୟ ପ୍ରସ୍ତୁତ ହେବାରେ ଲାଗିଛି ।    

ସ୍ଥାନାନ୍ତରିତ କରାଯାଇଥିବା ଲୋକମାନେ ଆଶ୍ରୟ ସ୍ଥଳରେ ରହିଛନ୍ତି  
ଆଜି ରାତିରେ ଆଶ୍ରୟ ସ୍ଥଳରେ ଥିବା ଲୋକଙ୍କ ପାଇଁ ପ୍ରସ୍ତୁତ ହେଉଛି ଖାଦ୍ୟ ସାମଗ୍ରୀ 
ବାତ୍ୟାକୁ କିପରି ମୁକାବିଲା କରାଯାଇପାରିବ ଲୋକଙ୍କୁ ବୁଝାଯାଉଛି 
ଛତ୍ରପୁର ଜିଲ୍ଲାପାଳ କାର୍ଯ୍ୟାଳୟରେ ବର୍ତ୍ତମାନ ବାତ୍ୟାଯୋଗୁଁ ଗଛ ଭାଙ୍ଗିପଡିବାର ଦୃଶ୍ୟ