ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ କୃଷି ବିଭାଗର ପ୍ରସ୍ତୁତି ବୈଠକ : ଭୟଭୀତ ନ ହେବାକୁ କୃଷି ମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର(ସମୃଦ୍ଧଓଡିଶା) ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ବିପର୍ଯ୍ୟୟ ପ୍ରସ୍ତୁତି ବୈଠକ ଆଜି କୃଷି ଭବନସ୍ଥିତ ବୋର୍ଡରୁମରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ସମସ୍ତ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀବୃନ୍ଦ ଆଭାସି ମାଧ୍ୟମରେ ବୈଠକରେ ଯୋଗଦେଇଥିଲେ । ଶ୍ରୀ ସିଂହଦେଓ ସମସ୍ତ ଅଧିକାରୀଙ୍କୁ ଆତଙ୍କିତ ନ ହୋଇ ସତର୍କ ତଥା ପ୍ରସ୍ତୁତ ରହିବା ଏବଂ ବାତ୍ୟା ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିବା ପାଇଁ ପରାମର୍ଶ ଦେଇଛନ୍ତି । ଯେକୌଣସି ପ୍ରକାର ସମସ୍ୟା ଆସିଲେ ମଧ୍ୟ ତାହାର ମୁକାବିଲା କରିବା ପାଇଁ ପ୍ରଶାସନ ପ୍ରସ୍ତୁତ ଅଛି । ଏହି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନସାଧାରଣଙ୍କୁ ସହାୟତା ଯୋଗାଇ ଦେବା ପାଇଁ କୃଷି ଭବନ ତଥା ସମସ୍ତ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ କାର୍ଯ୍ୟ କରିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ପରିପ୍ରେକ୍ଷୀରେ ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ ଅକେଫାବର ୨୫ ତାରିଖ ପର୍ଯ୍ୟନ୍ତ ସମସ୍ତ ଅଧିକାରୀଙ୍କୁ ଛୁଟି ନ ନେବାକୁ ପରାମର୍ଶ ଦେଇଥିବାବେଳେ ଫସଲ ସମ୍ବନ୍ଧୀୟ ଯେକୌଣସି ପରାମର୍ଶ ପାଇଁ ଚାଷୀମାନେ କୃଷକ ସମୃଦ୍ଧ ହେଲ¬ ଲାଇନ (୧୫୫୩୩୩) ଏବଂ ସୋସିଆଲ ମିଡ଼ିଆର ସହାୟତା ନେବା ପାଇଁ କହିଛନ୍ତି । ଫସଲ ସ୍ଥିତି ବିଶେଷ କରି ଅମଳକ୍ଷମ ଧାନ, ମକା, କପା, ମଣ୍ଡିଆ ଓ ରବି ଜାତୀୟ ପନିପରିବା ଚାଷର ସ୍ଥିତି ଓ ଏହାର ସୁରକ୍ଷା ନେଇ କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ ଅଧିକାରୀଙ୍କୁ ଅବଗତ କରାଇଥିଲେ । ଉପକୂଳ ଅଞ୍ଚଳର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀମାନଙ୍କୁ ନିଜ ଅଞ୍ଚଳରେ ଏହି ସତର୍କତାମୂଳକ ପରାମର୍ଶ ଚାଷୀଙ୍କୁ ପ୍ରଦାନ କରିବା ନିମନ୍ତେ କୁହାଯାଇଥିଲା । ବୈଠକରେ ବହୁ ବିଭାଗୀୟ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।

ରିପୋର୍ଟ : ରଜତ ମହାପାତ୍ର 

Leave a Reply

Your email address will not be published. Required fields are marked *