ଗଞ୍ଜାମ (ସମୃଦ୍ଧ ଓଡିଶା) ଫାଇଲିନକୁ ପୂରିଛି ଆଠ ବର୍ଷ । ଏହିପରି ପ୍ରତ୍ୟେକ ବର୍ଷ ଅକ୍ଟୋବରରେ କିଛି ନା କିଛି ବନ୍ୟା, ବାତ୍ୟା ତଥା ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଅନେକ ଧନ ସମ୍ପତ୍ତି ନଷ୍ଟ ହେଉଛି । ପୂର୍ବ ବାତ୍ୟାର କ୍ଷୟକ୍ଷତି ଲୋକଙ୍କ ମନରୁ ଲିଭି ନ ଥିବା ବେଳେ ଏବେ ପୁଣି ଆଉ ଏକ ବାତ୍ୟା ଭୟ । ଆସନ୍ତା ୩ରୁ ୪ଦିନ ପ୍ରବଳରୁ ଅତି ପ୍ରବଳ ପବନ ବୋହିବା ସାଙ୍ଗକୁ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏନେଇ ଗୃହପାଳିତ ପଶୁଙ୍କୁ ବାହାରକୁ ନ ଛାଡ଼ିବା ଲାଗି ନିର୍ଦ୍ଦେଶନାମା ଜାରି କରିଛି ଜିଲା ପ୍ରଶାସନ । ଏଥିସହିତ ସମୁଦ୍ର କୁଳ ନିକଟବର୍ତ୍ତୀ ଗ୍ରାମଗୁଡ଼ିକର ଲୋକଙ୍କୁ ସମୁଦ୍ର ନ ଯିବାକୁ କଟକଣା ମଧ୍ୟ ରହିଛି । ଗଞ୍ଜାମ ବ୍ଲକ ପୋଡ଼ମପେଟା, ନିଉ ପୋଡ଼ମପେଟା, ଗୋଖର କୁଦା, କଣ୍ଟିଆଗଡ଼ ପୁରୁଣାବନ୍ଧ ଆଦି ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳବାସୀ ପାଣିପାଗଠାରୁ ସୂଚନା ପାଇବା ପରେ ଏକ ପ୍ରକାର ଭୟଭୀତ ହୋଇ ପଡ଼ିଛନ୍ତି । ଯଦି ଅଧିକ ପବନ ବହେ ତାହାଲେ ସ୍ଥାନୀୟ ଅଞ୍ଚଳର ଅଧିକାଂଶ ଚାଷ ଜମିରୁ ଧାନ ଗଛ ତଳେ ପଡ଼ି ନଷ୍ଟ ହେବ ବୋଲି ପୁଇଁତୋଳା ଗ୍ରାମର ଚାଷୀ ବୃନ୍ଦାବନ ସାହୁ କହିଛନ୍ତି । ଅନ୍ୟ ପଟେ ସାମ୍ଭାବ୍ୟ ବାତ୍ୟା ନେଇ ପ୍ରଶାସନ ସଜାଗ ଥିବା ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା