ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଏନଏସିରେ ଗତ କିଛି ଦିନ ଭିତରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଗଞ୍ଜାମ ଜିଲ୍ଲାପ୍ରଶାସନର ନିର୍ଦ୍ଦେଶକ୍ରମେ ଏନଏସି ପ୍ରଶାସନ ପକ୍ଷରୁ ୬ଦିନିଆ ସଟଡାଉନ ଘୋଷଣା କରାଯିବା ସହ କରୋନା ପଜିଟିଭ ଆକ୍ରାନ୍ତ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିବା ଜଣାପଡିଛି । ଏହାସହ ସେହି ଅଞ୍ଚଳକୁ ସଂଲଗ୍ନ କରିଥିବା ଅଞ୍ଚଳ ଗୁଡିକୁ ଜିଲ୍ଲାପ୍ରଶାସନ ପକ୍ଷରୁ ବଫର ଜୋନ ଭାବେ ଘୋଷଣା କରାଯାଇଛି । ଏହି ଅଂଚଳ ସମେତ ଏନଏସିର ସମସ୍ତ ଘରକୁ ଘରକୁ ଯାଇ ଆରଆରଟି ଟିମ୍ ଦ୍ୱାରା ସ୍ୱାସ୍ଥ୍ୟ ଯାଞ୍ଚ କରାଯାଉଛି । ଏନଏସିର ସଟ ଡାଉନ ବଳବତ୍ତର ରହିଛି । ଏହାସହ ପ୍ରଶାସିକ ଓ ପୋଲିସ ଅଧିକାରୀ ମାନେ ଏନଏସିର ବିଭିନ୍ନ ସାହି ଗଳି କନ୍ଦି ପଇଁନ୍ତରା ମାରି ସଟ ଡାଉନର ସ୍ଥିତି ପରଖୁଛନ୍ତି । ଅପରପକ୍ଷରେ ଜିଲ୍ଲାର ସଦରମହକୁମା ତଥା ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟରେ କରୋନା ଖାତା ଖୋଲିଛି । ପ୍ରଥମ ଥର ପାଇଁ ଏଠାରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀ ତଥା କୋଭିଡ୍ ଯୋଦ୍ଧା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତାଙ୍କୁ ଟାଟା କୋଭିଡ୍ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି । ଗତ କିଛିଦିନ ମଧ୍ୟରେ ସଂକ୍ରମିତଙ୍କ ସଂସ୍ପର୍ଶରେ ରୋଗୀ, ଡାକ୍ତର, ନର୍ସ, ଫମାସିଟ୍ ଓ ସଫେଇ କର୍ମଚାରୀଙ୍କ ସମେତ ଶତାଧିକ ବ୍ୟକ୍ତି ଆସିଥିବା ଜଣାପଡିଛି । ଫଳରେ ସ୍ଥିତି ଆଗକୁ ଜଟିଳ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଅନ୍ୟପକ୍ଷରେ ସରକାରୀ ଉପଖଣ୍ଡ ଚିକିତ୍ସାଳୟର ସମସ୍ତ କର୍ମଚାରୀ ମାନଙ୍କ ଭିତରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଆଜି ଉପଖଣ୍ଡ ଚିକିତ୍ସାଳୟକୁ ଦମକଳବାହିନୀ ପକ୍ଷରୁ ସାନିଟାଇଜ୍ କରାଯାଇଛି । ଆକ୍ରାନ୍ତ କର୍ମଚାରୀଣ୍ଟ୍ ରହୁଥିବା ନର୍ସ କଲୋନୀକୁ ମଧ୍ୟ ସାନିଟାଇଜ୍ କରାଯାଇଛି । ଚିକିତ୍ସାଳୟରୁ ଜଣେ କର୍ମଚାରୀ ପଜିଟିଭ୍ ଚିହ୍ନଟ ହେବା ପରେ ଚିକିତ୍ସାଳୟ ପରିସରକୁ ପ୍ରବେଶ ପାଇଁ କଟକଣା କରାଯାଇଛି । କେବେଳ ଗୁରୁତର ରୋଗୀମାନଙ୍କୁ ହିଁ ଡାକ୍ତରଖାନା ଭିତରକୁ ପ୍ରବେଶ କରିବାକୁ ଦିଆଯାଉଥିବା ବେଳେ ସାମାନ୍ୟ ରୋଗ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ବାରଣ କରାଯାଇଛି । ଯାହାଫଳରେ ଦୂରଦୂରାନ୍ତରୁ ଆସିଥିବା ରୋଗୀମାନେ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳୁଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା