ସରକାରୀ ଯୋଜନା ସଚେତନତା କାର୍ଯ୍ୟକ୍ରମ ଏବଂ ଓଡିଶା ଲୋକସେବା ଅଧିକାର ଅଧିନୀୟମ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ପଞ୍ଚାୟତ ସମ୍ମିଳନୀ କକ୍ଷରେ ଗତକାଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଓଡିଶା ଓ ଜିଲ୍ଲା ପ୍ରଶାସନ, ବାଲେଶ୍ୱର ମିଳିତ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ସରକାରୀ ଯୋଜନା ସଚେତନତା କାର୍ଯ୍ୟକ୍ରମ ଏବଂ ଓଡିଶା ଲୋକସେବା ଅଧିକାର ଅଧିନୀୟମ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜଳେଶ୍ୱର ତହସିଲଦାର ଅଭିମନ୍ୟୁ ପଣ୍ଡା, ବିଡିଓ ନେତ୍ରାନନ୍ଦ ସାହୁ, ବ୍ଲକ ଅଧ୍ୟକ୍ଷା ସବିତା ଦଳାଇ, ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ମୁଖ୍ୟ ଚିକିତ୍ସାଧିକାରୀ ପି.ସି ନାୟକ, ଜଳେଶ୍ୱର ଗୋଷ୍ଠୀ ଶିକ୍ଷାଧିକାରୀ ବିଜୟ ନାଥ, ଜିଲ୍ଲା ଗୋଷ୍ଠୀ ସଂଯୋଜକ ଅପୂର୍ବ ରାୟ ପ୍ରମୁଖ ସରକାରଙ୍କର ବିଭିନ୍ନ ବଭାଗର ତରଫରୁ ଜନସାଧାରଣଙ୍କୁ ଯୋଗାଇ ଦିଆଯାଉଥିବା ସୁବିଧା ସୁଯୋଗ ବିଷୟରେ ଆଲୋଚନା କରିଥିଲେ । ଏହି ଶିବିରରେ ଜଳେଶ୍ୱର ବ୍ଲକରେ ଥିବା ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତି ସଦସ୍ୟ ତଥା କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ତେବେ ଯୋଗ ଦେଇଥିବା କର୍ମକର୍ତ୍ତାମାନେ ସ୍ୱାସ୍ଥ୍ୟ ବିଭାଗର ଅବହେଳା ଓ କାର୍ଯ୍ୟକଳାପ ବିଷୟରେ ଘୋର ଆପତି ଅଭିଯୋଗ ଉଠାଇଥିଲେ । ବର୍ତ୍ତମାନ ଜଳେଶ୍ୱରରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ପୁରାପୁରି ଭୁଷୁଡି ପଡିଛି । ଡାକ୍ତର ମାନେ ଚିକିତ୍ସାଳୟ ମାନଙ୍କରେ କମ୍ ସମୟ ରହି ଘରୋଇ ଚିକିତ୍ସାରେ ଲାଗି ରହୁଛନ୍ତି ଯାହା ଫଳରେ ରୋଗୀମାନେ ଜିଲ୍ଲା ଚିକିତ୍ସା କେନ୍ଦ୍ର ବା ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକ ଉପରେ ନିର୍ଭର କରୁଛନ୍ତି ବୋଲି ଅଭିଯୋଗ ଉଠିଥିଲା । ସରକାର ଯେଉଁ ସଚେତନତା ଶିବିରମାନ ଏବେ କରାଉଛନ୍ତି ତାହା ମଧ୍ୟ ସଫଳ ହେଉ ନଥିବାର ଦେଖା ଯାଇଛି ତାର କାରଣ ଶିବିର ବିଷୟରେ ଆଗରୁ ସୂଚନା ଦିଆ ନ ଯାଇ କାର୍ଯ୍ୟକାରୀ କରାଯାଉଛି । ଜଳେଶ୍ୱରରେ ଅନୁଷ୍ଠିତ ଏହି ଶିବିର ବିଷୟରେ ଆଗରୁ ସୂଚନା ଦିଆ ନ ଯିବା ତଥା ସିମିତ କର୍ମକର୍ତ୍ତାଙ୍କୁ ନେଇ ଶିବିର କରାଯିବାକୁ ନେଇ ଅସନ୍ତୋଷ ଉଠିଥିବାର ଦେଖା ଯାଇଥିଲା ।

ରିପୋର୍ଟ : ଭୂପତି କୁମାର ପରିଡା