ସରୁନାହିଁ ଦାଦନ ଦୁଃଖ:ଦିର୍ଘ ୨୫ ଦିନ ପରେ କୁଏତରୁ ଆଜି ଫେରୁଛି ଓଡ଼ିଆ ଶ୍ରମିକଙ୍କ ମର ଶରୀର…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ ସରୁ ନାହିଁ ଦାଦନ ଶ୍ରମିକଙ୍କ ଦୁଃଖ କାହାଣୀ । କେତେ ବେଳେ ଦାଦନ ସମସ୍ୟା କଥାତ ପୁଣି କେତେ ବେଳେ ବିଦେଶରୁ ମୃତ୍ୟୁ ଖବର ଆସି ପହଁଚୁଛି । ଏମିତି ଏକ ଖବର ଆସି ପହଁଚିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମପଞ୍ଚାୟତର ଖୋଜାପଲ୍ଲୀ ଗ୍ରାମରେ । ଏହି ଗ୍ରାମର ରମେଶ ସାମଲଙ୍କ ବଡ଼ ପୁଅ ହରଶ ସାମଲ ବୟସ ୨୬ ଗତ ୨୦୧୪ ମସିହା ଅକ୍ଟୋବର ମାସ ୨୦ ତାରିଖରେ ଅଧିକ ଅର୍ଥ ଉପାର୍ଜନ ପାଇଁ ସୁଦୁର କୁଏତ ସହରକୁ ଯାଇଥିଲେ କାମ କରିବାକୁ । ଦୁଇବର୍ଷ ପୂର୍ବରୁ କିଛି ମାସ ପାଇଁ ଛୁଟିରେ ଆସି ପୁଣି ଫେରି ଯାଇଥିଲେ କୁଏତ । ହଠାତ୍ ଚଳିତ ମାସ ୧୧ ତାରିଖ ଦିନ ହରଶଙ୍କ ପାଖରେ ଥିବା ସହଯୋଗୀ ଶ୍ରମିକ ମାନେ ହରଶଙ୍କ ମୃତ୍ୟୁ ଖବର ଫୋନ ଯୋଗେ ଜଣାଇଥିଲେ ପରିବାର ଲୋକଙ୍କୁ । ରୋଜଗାରୀଆ ପୁଅର ମୃତ୍ୟୁ ଖବର ଶୁଣି ବାପା ରମେଶ ଓ ମା ଶୈଳ ଦୁ଼୍ଃଖରେ ଭାଙ୍ଗି ପଡ଼ିଥିବା ବେଳେ ସ୍ତ୍ରୀ ଗୀତାଙ୍କ ପାଦ ତଳୁ ମାଟି ଖସିଯାଇଛି । ସେପଟେ କୁନି କୁନି ଦୁଇ ପୁଅ ବାପାଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି । ମା’ର କୋହଭରା କାନ୍ଦ ଦେଖି ଆବାକ ହୋଇ ପଡ଼ିଛନ୍ତି ଦୁଇ ପୁଅ । ଦିର୍ଘ ୨୫ ଦିନ ପରେ ଆଜି ନିଜ ଜନ୍ମ ମାଟିକୁ ଫେରୁଛି ହରଶଙ୍କ ମର ଶରୀର । ସେପଟେ ହରଶଙ୍କ ମର ଶରୀରକୁ ଆଣିବା ପାଇଁ ଜିଲ୍ଲା ଶ୍ରମ ଅଧିକାରୀ ଶିବ ନାରାୟଣ ସାହୁ ଭୁବନେଶ୍ଵର ଯାଇଥିବା ସୂଚନା ମିଳିଛି । ବଡ଼ ଦୁଃଖର ବିଷୟ ଗତ ଦୁଇମାସ ମଧ୍ୟରେ ଖଲ୍ଲିକୋଟ ବ୍ଲକର ତିନିଜଣ ଶ୍ରମିକ ବିଦେଶରେ ମୃତ୍ୟୁବରଣ କରିଥିବା ବେଳେ ପଚାଶରୁ ଉର୍ଦ୍ଧ ଶ୍ରମିକ ଅସୁବିଧାରେ ପଡ଼ି ହଇରାଣ ହେଉଥିବାର ସୂଚନା ରହିଛି । ତେବେ କେବେ ସୁଧୁରିବ ଏହି ଦାଦନ ଦୁଃଖ ତାହା ଏବେ ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା