ସର୍ବନିମ୍ନ ବେତନ ପ୍ରଦାନରେ ସରକାରଙ୍କର ଅବହେଳାର ଅଭିନବ ପ୍ରତିବାଦ:ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ପାଇଁ ଚିଠି ଲେଖିଲେ ସରକାରୀ ଠିକା ଓ ଆଉଟସୋର୍ସିଂ କର୍ମଚାରୀ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଆରମ୍ଭ ହେଲା ସରକାରୀ କର୍ମଚାରୀଙ୍କ ପୋଷ୍ଟକାର୍ଡ ଅଭିଯାନ । ରାଜ୍ୟର ହଜାର ହଜାର ଠିକା, ଆଉଟସୋର୍ସିଂ କର୍ମଚାରୀ ମାନେ ଓଡ଼ିଶାର ଜନକଲ୍ୟାଣକାରୀ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖୁଛନ୍ତି । ଦୀର୍ଘ ବର୍ଷ ହେଲା ଅବହେଳିତ ଅବସ୍ଥାରେ ବିଭିନ୍ନ ସରକାରୀ ଦପ୍ତରରେ ଏହି କର୍ମଚାରୀ ମାନେ କାର୍ଯ୍ୟ କରୁଛନ୍ତି । ମାସକୁ ମାତ୍ର ୬ରୁ ୮ ହଜାର ଦରମାରେ ହଜାର ହଜାର କର୍ମଚାରୀ ନିଷ୍ଠାର ସହ କାମ କରି ଆସୁଛନ୍ତି । ଯାହା ଜଣେ ସାଧାରଣ ଦିନ ମଜୁରିଆର ରୋଜଗାର ଠାରୁ ବି କମ । ଯେଉଁ ମାନଙ୍କ ଅକ୍ଲାନ୍ତ ପରିଶ୍ରମର ଫଳ ସ୍ୱରୂପ ଆଜି ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ସାରା ଭାରତରେ ୧ନମ୍ବର ମୁଖ୍ୟମନ୍ତ୍ରୀ ଓ ଶ୍ରେଷ୍ଠ ପ୍ରଶାସକ ଭାବେ ପରିଗଣିତ ହୋଇଛନ୍ତି । କିନ୍ତୁ ସେମାନେ ଯେ ଏତେ ଅବହେଳାରେ ଓ ଦୁରଦିନରେ କାଳାତିପାତ କରୁଛନ୍ତି ଏହା ବଡ ଦୁଃଖ ଓ ହୃଦୟ ବିଦାରକ । ଏହି ଭଳି ଅନ୍ୟାୟ ବିରୋଧରେ ଗଣତାନ୍ତ୍ରିକ ଉପାୟରେ ବର୍ଷ ବର୍ଷ ଧରି ପ୍ରତିବାଦ ହୋଇ ଆସୁଅଛି । ସରକାର ବି ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଉଛନ୍ତି କିନ୍ତୁ ଦୁଃଖ ଓ ପରିତାପର ବିଷୟ ତାହା ପରବର୍ତ୍ତୀ ମୁହୂର୍ତ୍ତରେ କାର୍ଯ୍ୟକାରୀ କରାଯାଉନାହିଁ । ଠିକା କର୍ମଚାରୀ ମାନଙ୍କୁ ପୂର୍ବତନ ମୁଖ୍ୟ ଶାସନ ସଚିବ ଗତ ଜୁନ ୨୭, ୨୦୧୮ରେ ସେମାନଙ୍କୁ ସବୁ ଦାବୀ ଏକ ମାସ ମଧ୍ୟରେ ପୁରଣ କରିବେ ବୋଲି ଲିଖିତ ଆକାରରେ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ତାହା ପାଣିର ଗାର ହୋଇ ରହିଗଲା । ତେଣୁ ଏକ ଅଭିନବ ଉପାୟରେ ନିଜର ଦାବିକୁ ସରକାରଙ୍କ ପାଖରେ ରଖିବାକୁ ଠିକା ଓ ଆଉଟସୋର୍ସିଂ କର୍ମଚାରୀମାନେ ଭାରତର ସର୍ବ ଜନଆଦୃତ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଓ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କ ଠିକଣାରେ ଚିଠିଲେଖି ନିଜର ଦୁଃଖ ଜଣାଉଛନ୍ତି । ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲୁ ରହିବ ବୋଲି କୁହାଯାଇଛି । ପୁରା ସଂଖ୍ୟା ଦେଖିଲେ ପ୍ରାୟ ୧ ଲକ୍ଷରୁ ଅଧିକ ପୋଷ୍ଟ କାର୍ଡ ପ୍ରେରଣର ଲକ୍ଷ୍ୟ ରଖାଯାଇଛି । ରାଜ୍ୟ ଶାସନର ଦୁଇ ସର୍ବୋଚ୍ଚ କର୍ତ୍ତା ଗରିବ ତଥା ନିଷ୍ପେସିତ ଏହି କର୍ମଚାରୀ ମାନଙ୍କ ଦୀର୍ଘ ଦିନର ଦାବିକୁ ମାନିନେବେ ବୋଲି ଆଶା ପ୍ରକଟ କରାଯାଉଛି । ଓଡିଶାରୁ ଠିକା ଓ ଆଉଟସୋର୍ସିଂ ଭଳି ଘୃଣ୍ୟ ଓ କୁତ୍ସିତ ପ୍ରଥା ଉଚ୍ଛେଦ କରାଯାଉ ଏବଂ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରା ପ୍ରଚଳିତ ସମାନ କାମକୁ ସମାନ ଦରମା ପ୍ରଦାନ କରାଯାଉ ବୋଲି ଠିକା କର୍ମଚାରୀ ପକ୍ଷରୁ ଦାବୀ କରାଯାଇଛି । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ନିୟମାବଳୀ ୨୦୧୭ ଅନୁସାରେ ଆଉଟସୋର୍ସିଂ ଓ ଠିକା କର୍ମଚାରୀ ମାନେ ପ୍ରତିବର୍ଷ ୧୦% ବର୍ଦ୍ଧିତ ହାର ଅନୁସାରେ ଦରମା ପାଇବା କଥା କିନ୍ତୁ ପରିତାପର ବିଷୟ ତାହା ମଧ୍ୟ ଆଉଟସୋର୍ସିଂ କର୍ମଚାରୀଙ୍କ କ୍ଷେତ୍ରରେ ଲାଗୁ କରାଯାଉନାହିଁ । ଆଉଟସୋର୍ସିଂ ଓ ଠିକା କର୍ମଚାରୀ ମାନେ ବାରମ୍ବାର ଉଚ୍ଚପଦସ୍ଥ ଅଧିକାରୀମାନଙ୍କୁ ଅଭିଯୋଗ କଲେ ମଧ୍ୟ ତାର କିଛି ସୁଫଳ ମିଳୁନାହିଁ ବୋଲି ଅବିଯୋଗ କରାଯାଇଛି । ଏହା ସତ୍ତ୍ୱେ ଯଦି ସରକାର ସରକାରୀ କର୍ମଚାରୀଙ୍କ ଦୁଃଖ ନ ବୁଝନ୍ତି ତେବେ ବାଧ୍ୟ ହୋଇ ଓଡ଼ିଶା କର୍ମଚାରୀ ମହାମଞ୍ଚ ନିଜର ଆନ୍ଦୋଳନକୁ ବ୍ୟାପକ କରିବ ବୋଲି ଚେତାବନୀ ଦେଇଛନ୍ତି । ଏହି ପୋଷ୍ଟକାର୍ଡ ଅଭିଯାନ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ଠାରୁ ଆରମ୍ଭ କରାଯାଇଥିଲା । ଏହାପରେ ପରେ ସାରା ରାଜ୍ୟରୁ ପୋଷ୍ଟ କାର୍ଡ ପ୍ରେରଣ ଆରମ୍ଭ କରାଯାଇଛି । ଓଡିଶା କର୍ମଚାରୀ ମହାମଞ୍ଚ ଏହି ଆନ୍ଦୋଳନର ନେତୃତ୍ୱ ନେଇଛି । ମହାମଞ୍ଚର ଆବାହକ ପ୍ରଭାତ ମହାନ୍ତି, ମଧୁସୂଦନ ମଲ୍ଲିକ, ଆଉଟସୋର୍ସିଂ ସଂଘର ସଭାପତି ସଞ୍ଜୟ ପଟ୍ଟନାୟକ, ଉପସଭାପତି ସତ୍ୟବ୍ରତ ବାରିକ, ସମ୍ପାଦକ ମାନସ ଦାସ, ମହାସଚିବ ସଚିତ୍ର ଦାସ, ସଙ୍ଗଠନ ସମ୍ପାଦକ ତାପସ ମିଶ୍ର, ଠିକା କର୍ମଚାରୀ ସଂଘର ସଭାପତି ବିଜୟ ମଲ୍ଲ ଓ ଉପସଭାପତି କ୍ଷୀତିଷ ପଣ୍ଡା ପ୍ରମୁଖ ଏହି ଅଭିଯାନକୁ ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ ଓ ସମସ୍ତଙ୍କୁ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ । ଏହାକୁ ସରକାର ଆନ୍ତରିକତାର ସହିତ ନେବେ ଏବଂ ମୁଖ୍ୟମନ୍ତ୍ରୀ ଏହାକୁ ସହୃଦୟର ସହିତ ବିଚାର କରିବେ ବୋଲି ସେମାନେ ଆଶାବାଦୀ ଥିବା ଜଣାଇଛନ୍ତି ଆଉଟସୋର୍ସିଂ ସଂଘର ସଭାପତି ସଞ୍ଜୟ ପଟ୍ଟନାୟକ ।

ରିପୋର୍ଟ : ବିଜୟ ମଲ୍ଲ