ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡିବେ କାଳବଳେ…

ପିଲାଦିନେ ସ୍କୁଲରେ ପ୍ରାର୍ଥନା ବୋଲା ହେଉଥିଲା,”ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି ।”,”ଵାଲ୍ୟକାଳୁ ଧର୍ମ ଧନ ମୁଁ ସଞ୍ଚିବି ଏ ଜୀବନ ଅନିଶ୍ଚିତ, କେଜାଣି କାହାର ଆଜି ମୃତ୍ୟୁକାଳ ହୋଇଯିବ ଉପଗତ ।” ଇତ୍ୟାଦି ଇତ୍ୟାଦି । ମାତ୍ର ଆଜିକାର ସମୟରେ ଏହାର କିଛି ପ୍ରାସଙ୍ଗିକତା ଅଛି କି?କେହି ଏସବୁକୁ ପାଳନ କରିବାକୁ ଆଗ୍ରହୀ ହେଉଛନ୍ତି,ଏଗୁଡା ସବୁ ଅଚଳନ୍ତି ଟଙ୍କା ଆଜିକାର ଆଧୁନିକ ଡିଜିଟାଲ ଯୁଗରେ । ମୁଁ ଏକଥା କହିବାର ଉଦ୍ଦେଶ୍ୟ, ଆଜିକାଲି ସମସ୍ତେ କିପରି ନିଜେ ଵଞ୍ଚିବୁ, ଭଲରେ ରହିବୁ ଏମିତି ଚିନ୍ତା କରୁଛନ୍ତି, ପଡିଶା ଲୋକ ନଖାଇଥିଲେ, ତା’ର କିଛି ବିପତ୍ତି ପଡ଼ିଥିଲେ ମଧ୍ୟ ସେ ବିଷୟରେ କୋୖଣସି ପ୍ରକାର ଚିନ୍ତା କରିବା ଦରକାର ନାହିଁ । ଧରନ୍ତୁ ଜଣେ ଶିକ୍ଷକ, ମା’, ବାପାଙ୍କ ପରେ ଗୁରୁ ହେଲେ ତୃତୀୟ ଦେବତା ଶିଶୁ ନିମନ୍ତେ । ଶିକ୍ଷା ଦାନ କରି ଛାତ୍ରମାନଙ୍କୁ ମଣିଷ କରିବା ତାଙ୍କ ଦାୟିତ୍ଵ ବା କର୍ତ୍ତବ୍ୟ । ମାତ୍ର ପ୍ରକୃତରେ ଏପରି ହେଉଛି କି ? ଶିକ୍ଷକମାନଙ୍କୁ ବିଭିନ୍ନ ଅଣଶିକ୍ଷା କାର୍ଯ୍ୟରେ ଲଗାଯାଉଛି, ଉପଯୁକ୍ତ ଦରମା ମିଳୁନାହିଁ ସେସବୁ ବିଷୟ ଉପରକୁ ମୁଁ ଯାଉନାହିଁ । ମୁଁ କହୁଛି  ଯିଏ ଶିକ୍ଷକ ଚାକିରୀଟିଏ ପାଇ ଠିକ୍ ଦରମା ପାଉଛନ୍ତି, ସେଇମାନଙ୍କ କଥା ସେମାନେ ତାଙ୍କ ଦାୟିତ୍ଵ ଠିକ୍ ଠିକ୍ ତୁଲାଉଛନ୍ତି କି?ଉତ୍ତର କେତେ ପ୍ରକାର ଆସିବ ଛାଡ଼ନ୍ତୁ କୋୖଣସି ପ୍ରକାରେ ସମୟ କଟାଇ ଛୁଟି ହେଲେ ଘରକୁ ଯିବା ହେଲା ଧ୍ୟେୟ । ସ୍ଥାନୀୟ (ଅଧିକାଂଶ) ହେଲେ କଥା ସରିଲା,ରାଜନୀତି ଗୋଟିଏ ଅଧିକ ସଂସ୍ଥାନ । ଏକଥା କେବଳ ଶିକ୍ଷକ ନୁହଁନ୍ତି, ସମାଜର ପ୍ରତ୍ୟେକ କ୍ଷେତ୍ରରେ ବ୍ୟାପିଗଲାଣି । ମାଷ୍ଟରଟିଏ ମଧ୍ୟ ଚାହୁଁଛି, ଖାଲି ଚାହୁଁନି, ଖୋଲାରେ ଅଭିଭାବକଙ୍କୁ କହୁଛି ସ୍କୁଲରେ ପାଠ ପଢା ହେଉନି, ୟାକୁ ମୋ କୋଚିଂ/ଟିଉସନକୁ ପଠାନ୍ତୁ । ଆଜିକାର ସରକାରୀ ସ୍କୁଲରେ  କୋଠାବାଡ଼ି, ପାଠୋପକରଣ ସବୁଅଛି ମାତ୍ର ଅଭାବ କେବଳ ଭଲ ଶିକ୍ଷାଦାନର । ଜଣେ ଡାକ୍ତର, ଯିଏ ହେଲେ ଦ୍ଵିତୀୟ ଇଶ୍ଵର ମଣିଷ ପାଇଁ, ଆଜିକାଲି ସାଧାରଣ ରୋଗୀଟିଏ ଉପଯୁକ୍ତ ଚିକିତ୍ସା ଛାଡ ଭଦ୍ରୋଚିତ ବ୍ୟବହାର ପାଉଛି କି ଦ୍ଵିତୀୟ ଇଶ୍ଵରମାନଙ୍କଠାରୁ । ସବୁକିଛି ଓଜନ କରାହେଉଛି ପଇସାରେ,ଯାହାର ଆର୍ଥିକ ସାମର୍ଥ୍ୟ ଯେତେ ବେଶୀ ସିଏ ସେତିକି ଉତ୍ତମ ଚିକିତ୍ସାର ତଥା ଭଲ ବ୍ୟବହାର କ’ଣ ଆଉ ଯଦି କିଛି ଅଧିକତର ଥାଏ ତାହା ପାଇବାକୁ ଖାଲି ଯୋଗ୍ୟ ନୁହେଁ, ହକଦାର । ସାଧାରଣ ରୋଗୀଟିଏ ହସ୍ପିଟାଲ ବାରଣ୍ଡାରେ ଛଟପଟ ହୋଇ ମରିଗଲେ ମଧ୍ୟ,ସମସ୍ତଙ୍କ ଆଖି ଆଗରେ କିଛି ଯାଏ ଆସେ ନାହିଁ, କାରଣ ଏମିତି ମୃତ୍ୟୁ ସେମାନଙ୍କ ପାଇଁ ଅବଧାରିତ । ସରକାରୀ ଚିକିତ୍ସାଳୟରେ ସୁନ୍ଦର କୋଠାବାଡ଼ି, ଅତ୍ୟାଧୁନିକ ଯନ୍ତ୍ରପାତି, ଆନୁସଙ୍ଗିକ ଚିକିତ୍ସା ସହକର୍ମୀ ସବୁ ଉପଲବ୍ଧ ମାତ୍ର ଯାହା ଉପଲବ୍ଧ ନୁହେଁ ତା ହେଲା ଉପଯୁକ୍ତ ଚିକିତ୍ସା ଏବଂ ସେବା । ସରକାରୀ ନିଯୁକ୍ତି ପାଇଥିବା ଡାକ୍ତର  ଯାହିତାହି ଡିଉଟିସାରି କେମିତି ନର୍ସିଙ୍ଗହୋମରେ ପହଞ୍ଚି ହେବ ସେଇ ଚିନ୍ତାରେ ଥିବେ, କାରଣ ସେଠାରେ ରୋଗୀ ଦେଖିଲେ ପଇସା ମିଳିିବ, ସରକାରୀରେ କିଏ ଦେବ, ଚାକିରୀ ଅଛି ମାନେ ଦରମା କ’ଣ କିଏ କାଟିଦେଵ ? ସେଥିପାଇଁ ସେମାନେ ରୋଗୀକୁ ଏଠାରେ ତମ ଚିକିତ୍ସା ସମ୍ଭବ ନୁହେଁ କହି ନର୍ସିଙ୍ଗହୋମର ବାଟ ବତାଇଦିଅନ୍ତି । ସେତିକିରେ କଥା ସରେନା, ସରକାରୀ ଡାକ୍ତରଖାନାରେ ଅତ୍ୟାଧୁନିକ ଯନ୍ତ୍ରପାତି ଅଳ୍ପ ଦିନରେ ଅକାମୀ ହୋଇ ଯାଉଥବା ଵେଳେ ସେଇ ଯନ୍ତ୍ରପାତି ନର୍ସିଙ୍ଗହୋମରେ ନିରନ୍ତର କାମ କରୁଥାଏ,ଏହା ବିଚିତ୍ର ନୁହେଁ ତ କ’ଣ? ବିଖ୍ୟାତ ଡାକ୍ତରମାନଙ୍କ କ୍ଷେତ୍ରରେ ମଧ୍ୟ କଥା ଏକାଭଳି, ଯେତେ ବଡ଼ ଡାକ୍ତର, ଚିକିତ୍ସା ସେତେ ମହଙ୍ଗା, ସେଥିପାଇଁ ତ ଏଡେ ଏଡେ କର୍ପୋରେଟ ହସ୍ପିଟାଲ ସବୁ ହୋଇଛି । ଉଲ୍ଲେଖଯୋଗ୍ୟ ଦିନଥିଲା ସାଧାରଣ ପାଠ ପଢିଥିବା ଡାକ୍ତରଟିଏ ଅସାଧ୍ୟ ରୋଗ ମଧ୍ୟ ଭଲ କରିପାରୁଥିଲେ, କର୍ତ୍ତବ୍ୟ ନିଷ୍ଠା ଥିଲା, ଅଧ୍ୟବସାୟ ଥିଲା, ଇଛାଶକ୍ତି ମଧ୍ୟ ଥିଲା, ମାତ୍ର ଆଜିକାଲି ସାଧାରଣ ରୋଗ ପାଇଁ ମଧ୍ୟ ସୁପର ସ୍ପେଶାଲିଷ୍ଟ ଡାକ୍ତର ହାରିଯାଉଛନ୍ତି !ଡାକ୍ତରଟିଏ ସକାଳୁ ଠାକୁରଙ୍କୁ ପ୍ରାର୍ଥନା କରୁଥିବ, ହେ ପ୍ରଭୁ ରୋଗ କେମିତି ବ୍ୟାପିଯାଉ, ନର୍ସିଙ୍ଗହୋମକୁ ଆଜି ଯେମିତି ବେଶୀ ରୋଗୀ ଆସନ୍ତୁ । ଯେମିତି କରୋନା ରୋଗ ଓ ଔଷଧର ବ୍ୟାପାରର ବହୁଳ ପ୍ରଚାର ଓ ପ୍ରସାର କରାଯାଇଥିଲା ଅନେକ କ୍ଷେତ୍ରରେ ।ଏଭିତରେ ଆନନ୍ଦର କଥା କିଛି ପ୍ରାତଃସ୍ମରଣୀୟ ଡାକ୍ତର ମଧ୍ୟ ଅଛନ୍ତି ଯୋଉ ମାନେ ନିଃସ୍ଵାର୍ଥପର ଭାବେ ନିଃଶୁଳ୍କରେ ଚିକିତ୍ସା ସେବା ଯୋଗାଇ ଆସୁଛନ୍ତି ଗରୀବ ରୋଗୀମାନଙ୍କୁ,ଯେମିତି ଆମ ରାଜ୍ୟର ସମ୍ବଲପୁରର ଡଃ ଶଙ୍କର ମିରଚାନ୍ଦନି(୧ ଟଙ୍କିଆ କ୍ଲିନିକ୍),ବ୍ରହ୍ମପୁରର ଡଃ ପ୍ରକାଶ ରାଓ(୫ ଟଙ୍କିଆ କ୍ଲିନିକ୍) ଇତ୍ୟାଦି,ଏମାନଙ୍କୁ ଯେତେ ଧନ୍ୟବାଦ ଦେଲେ ମଧ୍ୟ କମ୍ ହେବ । ଜଣେ ପୋଲିସ, ସମାଜକୁ ସୁରକ୍ଷା ଯୋଗାଇ ଦେବା  ସେମାନଙ୍କ କାମ । ମାତ୍ର ପ୍ରକୃତରେ ସେମିତି ହେଉଛି କି ! ଓଲଟି  ଦାଦା, ଗୁଣ୍ଡା, ଚୋର, ଡକାୟତ, ହତ୍ୟାକାରୀ, ଦଙ୍ଗାହଙ୍ଗାମାକାରୀଙ୍କ ସହ ତାଙ୍କର ଭିତିରି ସମ୍ପର୍କ । ସେମିତି ହେଲେ ସିନା ତାଙ୍କଠୁ ବାଟି ମିଳିବ, ଦରକାର ପଡିଲେ ତାଙ୍କରି ଦ୍ଵାରା ଅନ୍ୟ ଉପରେ ପ୍ରତିଶୋଧ ନେଇ ହେବ । ସଚ୍ଚୋଟ ଭାବେ ଡିଉଟି କଲେ ଉପୁରୀ ରୋଜଗାର ହେବ କିପରି ! ସାଧାରଣ ଲୋକର ଯାହା ହେଲେ ଆମର ଯାଏ ନାଁ ଆସେ, ଆମର ଦରମା କ’ଣ କମିଯାଉଛି । ପୋଲିସବାଲା ମଧ୍ୟ ସକାଳୁ ଵାହାରିଲା ଵେଳେ ଠାକୁରଙ୍କ ନିକଟରେ ଅଳିକରେ,ଆଜି କେମିତି ବେଶୀ ଗଣ୍ଡଗୋଳ ହେଉ, ବେଶୀ ମାମଲା ଥାନାକୁ ଆସୁ, ଭଲ ରୋଜଗାର ହେଉ । ସେମାନଙ୍କର ଏମନ୍ତ ଉପର ଠାଉରିଆ ମନୋଭାବ ହେତୁରୁ ସମାଜର ଯେ କେତେ ବଡ଼ କ୍ଷତି ହେଉଛି ସେକଥା କେବେ ସେମାନେ ଭାବନ୍ତି ନାହିଁ, ତେଣିକି ସିଏ ଛୋଟିଆ ପୋଲିସ ହୁଅନ୍ତୁ କିମ୍ବା ବଡ଼ହାକିମ ହୁଅନ୍ତୁ ଅବଶ୍ୟ ପାଞ୍ଚ ଆଙ୍ଗୁଠି ସମାନ ନୁହେଁ । ସମାଜର ଆଇନ ସହାୟକ,ଆଇନବିତ ବା ଓକିଲଙ୍କ କଥା କ’ଣ କହିବା, ମୁଦାଲାକୁ ଯେମିତି ଝୁଣିବାକୁ ବସିଥାନ୍ତି, କିଛି କାମ ହେଉ ନହେଉ, ଆଗ ଫିସଟା ବଢେଇ ଦିଅ, ତେଣିକି କାମ ହେଲେ କେତେ ନହେଲେ କେତେ । ତମର ବର୍ଷକୁ ଦଶଟା ତାରିଖ ପଡ଼ିଛିମାନେ, ଦଶଥରର ଫିସ ଦବ, ସେ ତାରିଖରେ କିଛି କାମ ହେଉ କି ନହେଉ, ଜଜ୍/ଓକିଲ ଥାନ୍ତୁ ବା ନଥାନ୍ତୁ, ଅଦାଲତ ଖୋଲା ଥାଉ ବା ବନ୍ଦ ଥାଉ, ସେଥିରେ କିଛି ମତଲବ ନାହିଁ।ମା-ମଲାରେ ପଶିଚମାନେ, ତମର ଏମିତି ତାରିଖ ପଡୁଥିବ, ତମେ ଅଦାଲତକୁ ଦଉଡୁ ଥିବ, ଆମ ଫିସ ସେମିତି ଦଉଥିବ, ୟାର ଅନ୍ତ ନାହିଁ ! ଏମାନଙ୍କ ଉପରେ ଅଙ୍କୁଶ ଲଗାଇବାକୁ ସାହସ କରିବ କିଏ ! କୋର୍ଟ କଚେରୀକୁ ଡର ନାହିଁ କାହାର ? ସିଏ ଯେତେ ସଇତାନ ହେଉ ପଛେ, ଯେଡେବଡ ଦେଶଦ୍ରୋହୀ ହେଉ, ଆମ ଚଢା ଫିସରେ ରାଜି ତ ଆମେ ତା କେସ ନେବୁ ଏବଂ ମୁକୁଳେଇବୁ । ଆଫଜଲ ଗୁରୁ, କସାବ, ଖଲିସ୍ଥାନୀ ଏମିତି ସବୁ କେସ ଆମଭାଇ ଵିରାଦରୀ କିଏ ହେଲେ ଧରିଥିଲେ ନାଁ, ଦେଶ ସାଙ୍ଗରେ ଆମର କିଛି ଯାଏ ଆସେ ନାହିଁ । ଆଉ ଯାହା ପାଖରେ ପଇସା ନାହିଁ, ସିଏ ଯେଡେ ଭଲଲୋକ ହେଉ, ସଚ୍ଚୋଟ ହେଉ, ଦେଶପ୍ରେମୀ ହେଉ, ଆମର କ’ଣ ଅଛି ସେଥିରେ, ମା’ ଲକ୍ଷ୍ମୀଙ୍କୁ ତ ଆଉ ଆଡେଇ ଦେଇ ହେବନି, କୁକୁରର କାମ ହେଲା ଭୁକିବା ! ଜଣେ ସରକାରୀ କର୍ମଚାରୀ, ଥରେ ଚାକିରୀରେ ପଶିଗଲେ ସେମାନେ ଇନ୍ଦ୍ର ଚନ୍ଦ୍ର ମାନନ୍ତିନି, ଲୋକଙ୍କର କାମ କରିବାକୁ ନିଯୁକ୍ତି ପାଇଥିବା କଥା ସେମାନେ ଭୁଲିଯାନ୍ତି(ସମସ୍ତେ ନୁହଁନ୍ତି), ବିନା ପଇସାରେ ସମ୍ପୃକ୍ତ ଫାଇଲ ଘୁଞ୍ଚିବାର ପ୍ରଶ୍ନ ନାହିଁ, ଯାହା ପାଖରେ ଅଭିଯୋଗ କରୁଛ କର । ତେଣିକି ସରକାର 5T ଛାଡି 100T ଲଗାନ୍ତୁ, C କିମ୍ବା O ହେଲେ ଚକିଆର କାମ କରିଥାନ୍ତା, ଫାଇଲ ଗଡିବାରେ ସାହାଯ୍ୟ କରିଥାନ୍ତା, T କ’ଣ ଗଡିବକି ? ଏ ପରିପ୍ରେକ୍ଷୀରେ ଖଜୁରୀ ଗଛ ମୂଳରୁ ପାହାଚ ପାହାଚ, ଏମିତିକି ଉଚ୍ଚ ଅଫିସର ତଳିଆ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପଛଘୁଞ୍ଚା ଦିଅନ୍ତି, ତଳିଆ କର୍ମଚାରୀଙ୍କ ସଙ୍ଗଠନ ଟାଣୁଆ ଯେ ! ଜଣେ ଯଦି ରାଜନୀତିକ, ତାଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ ସମସ୍ତେ ଦ୍ଵିଧାବୋଧ କରନ୍ତି, କାରଣ ଧଳାକୁ କଳା, କଳାକୁ ଧଳା କରିହୁଏ ରାଜନୀତିରେ, ତେଣୁ କାଦୁଅକୁ ଯିବ କିଏ, ଗୋଡ଼ ଧୋଇବ କିଏ । ମାତ୍ର ରାଜନୀତି ବା ଶ୍ରେଷ୍ଠ ନୀତି କରୁଥିବା ବ୍ୟକ୍ତିଙ୍କର କାମ ଅନ୍ୟକୁ ସାହାଯ୍ୟ କରିବା, ସମାଜର ଗରୀବ, ନିଷ୍ପେସିତ ଜନତାଙ୍କୁ ନ୍ୟାୟ ଦେବା, ତା ସମସ୍ୟାର ଯଥାସାଧ୍ୟ ସମାଧାନ କରାଇଦେବା । କିନ୍ତୁ ଏପରି ହେଉଛି କି ? ସମସ୍ତଙ୍କର ମତଲବ ହେଲା କେମିତି ଅନ୍ୟକୁ ଶୋଷଣ କରିବା, ରାଜନୀତି କଲୁ ବୋଲି ତ ଆଉ ବଡ଼ଦାଣ୍ଡରେ ବସିବୁନି, ବ୍ୟତିକ୍ରମ ଅଛି ଅବଶ୍ୟ, ହେଲେ ଧୀରେ ଧୀରେ ସମାଜର ପ୍ରତ୍ୟେକ କ୍ଷେତ୍ରରେ ଭଲ ଲୋକଙ୍କର ସଂଖ୍ୟା କମି କମି ଯାଉଛି । ୟେ ତ ଗଲେ ବିଭିନ୍ନ ସେବା ପ୍ରଦାନକାରୀ, ଏବେ ଟଙ୍କା ବଦଳରେ ଦ୍ରବ୍ୟ ପ୍ରଦାନକାରୀଙ୍କ କଥାକୁ ଆସିବା । ଦୋକାନୀଟିଏ, ସିଏ ମଧ୍ୟ ଆଜିକାଲି ଚିନ୍ତା କରୁଛି କେମିତି ଅଳ୍ପ ଖର୍ଚ୍ଚରେ ବେଶୀ ଲାଭ ପାଇବି ! ଏଥି ସକାଶେ ବାଟ ହେଲା ଅପମିଶ୍ରଣ, ଅପମିଶ୍ରିତ ଜିନିଷ ବିକିଲେ, ଶତକଡା ଶହେ ଲାଭ, ଲୋକ ମଲେ ଗଲେ ଆମର କ’ଣ ଗଲା, ଆମେ କ’ଣ କାହାକୁ ମାରିଛୁ, ତାଙ୍କ ଭାଗ୍ୟରେ ଥିଲା ସେମାନେ ମଲେ । ଏଇଭଳି ମନୋବୃତ୍ତି ଆଜିକାଲି ମହାମାରୀ ପରି ବ୍ୟାପିଗଲାଣି । ପୋଡ଼ା ମୋବିଲରୁ ଗୁଆ ଘିଅ, ସର୍ଫଭଳି ପାଉଡରରୁ କ୍ଷୀର ଏମିତି କେତେ କ’ଣ । ପ୍ରତ୍ୟହ ନୂଆ ନୂଆ ସ୍ଥାନରେ ବିଭିନ୍ନ ପ୍ରକାର ଅପମିଶ୍ରଣ ପଦାର୍ଥର କାରବାରମାନ ଧରାପଡୁଛି, କିଛି ଦିନ ପାଇଁ ସେ ଧନ୍ଦା ବନ୍ଦ ହେଉଛି, ମାତ୍ର ସବୁଦିନ ପାଇଁ ନୁହେଁ, ଜନତାର କ୍ଷୀଣସ୍ଥାୟୀ ସ୍ମୃତିରୁ ଲିଭି ଗଲେ ପୁଣି ଆଉଥରେ ଅନ୍ୟ ଏକ ସ୍ଥାନରେ ନୂଆ ରୂପରେ କାୟା ମେଲାଉଛି । ସମୟେ ସମୟରେ ଅବଶ୍ୟ ଧରପଗଡ ହେଉଛି, ହେଲେ ତାହା ସମୁଦ୍ରକୁ ଶଙ୍ଖେ । କଥା ଉଠୁଛି ପଇସାର ଆବଶ୍ୟକତା ପଡ଼ିଲେ ଧରପଗଡ ଆରମ୍ଭ ହେଉଛି, ଭଗବାନ କରନ୍ତୁ ଏକଥା ମିଛ ହୋଇଥାଉ । ଧରନ୍ତୁ ପରିବା ଦୋକାନୀଟିଏ, ତଟକା ପରିବା ବିକୁଛି ସତ, ମାତ୍ର ପରିବା ତଟକା ଦିଶିବା ନିମନ୍ତେ ସେଥିରେ ବିଭିନ୍ନ ପ୍ରକାର ରାସାୟନିକ ସ୍ପ୍ରେ କରାଯାଉଛି, ଯାହା ମନୁଷ୍ୟ ଶରୀର ସକାଶେ ଏକାନ୍ତ କ୍ଷତିକାରକ । ଯେତେ ଚିହ୍ନା ବା ସବୁଦିନିଆ ଗ୍ରାହକ ହୁଅନ୍ତୁ ପଛେ ସିଏ ତାଙ୍କୁ ସେଇ ଜିନିଷ ବିକିବନା ନାହିଁ ! ଏଥିରେ ଅବଶ୍ୟ ଦୋକାନୀର ଦୋଷ କିଛି ମାତ୍ରାରେ କମ୍ ହୋଇପାରେ କାରଣ ସିଏ ତ ଆଉ ତା’ର ବାସୀ, ଖରାପ ପରିବା ଫୋପାଡି କ୍ଷତି ସ଼ହିପାରିବ ନାହିଁ ! ପରିବା ଯଦି ବଳିଗଲା ତାକୁ ଶସ୍ତାରେ ବିକିବା ଆମ ଅଭ୍ୟାସରେ ନାହିଁ, ତେଣୁ ଉପରୋକ୍ତ ପଦ୍ଧତି । ଆପଣମାନେ କୋଉଠି ନାଁ କୋଉଠି ଲକ୍ଷ୍ୟ କରିଥିବେ, ଫଳ ଦୋକାନରେ ଦେଖିଥିବେ ସମ୍ପୂର୍ଣ୍ଣ ସବୁଜ ଦେଖାଯାଉଥିବା ପାଚିଲା କଦଳୀ କାନ୍ଧି, ସମ୍ପୂର୍ଣ୍ଣ ସବୁଜ ଦେଖାଯାଉଥିବା ଆମ୍ବ, ଧଳା ଦେଖାଯାଉଥିବା ଲିଚୁ ଥୁଆ ହୋଇଥିବ, କିଛି ସମୟପରେ ଦେଖିଲା ବେଳକୁ ସେସବୁ ସମ୍ପୂର୍ଣ୍ଣ ପାକଳ, କଦଳୀ କାନ୍ଧି ହଳଦିଆ, ଲିଚୁ ପୂରା ଲାଲ ଏବଂ ଆମ୍ବ ହଳଦିଆ ବା ଲାଲ ଦେଖାଯାଉଥିବ, ଦେଖିଲେ କିଣି ନେବାକୁ ମନହେଵ । ମାତ୍ର ଏସବୁ ଶରୀର ଉପଯୋଗୀ ନୁହେଁ, କିନ୍ତୁ ଆମେ ତାକୁ ହିଁ ଖାଉଛେ, ନଖାଇ ଅନ୍ୟ ଗତି ନାହିଁ । ମନେ ଥିବ ୨/୩ ବର୍ଷ ତଳେ କ’ଣ ଗୋଟେ ରୋଗ ହେଉଛି ଲିଚୁ ଖାଇଲେ, ପ୍ରଚାର ହେବାରୁ ରାତାରାତି ଲିଚୁ ଗାଏବ ହୋଇଗଲା ବଜାରରୁ । ଏଥିରେ ହେଲେ ଲାଭ ପ୍ରତିଶତ କମ୍ ଓ ରୋଗ ଆଶଙ୍କା ମଧ୍ୟ ଅପେକ୍ଷାକୃତ କମ୍, ମାତ୍ର ଔଷଧ ଦୋକାନରେ(ସବୁଠି ନୁହେଁ) ଏମିତି କାରବାର ହେଉଛି ଯେ ଜାଣିଲେ ମୁଣ୍ଡ ଘୁରିଯିବ । ଅନେକ ସ୍ଥାନରେ ନକଲୀ ଔଷଧ ନଚେତ୍ ନିମ୍ନମାନର ଔଷଧ ସେଇ ଏକା ପଇସାରେ ଉପଲବ୍ଧ, ସାଧାରଣ ଲୋକଟିଏର ଜାଣିବାର ଵାହାରେ । ଏସବୁ କାରବାର ଯାହିତାହି ନୁହେଁ, ଏଥିରେ ଆନ୍ତର୍ଜାତୀୟ ଗୋଷ୍ଠୀର ସମ୍ପୃକ୍ତି ଥାଏ, ଶହ ଶହ କୋଟିର କାରବାର, ସେଇ ହେତୁରୁ ରୋଗରେ ବା ସାଧାରଣ ଭାଵେ ଯେତେ ଲୋକ ବଳି ପଡ଼ିଲେ ମଧ୍ୟ ପରଵାୟ ନଥାଏ । ଔଷଧ ବ୍ୟବହାରକାରୀଙ୍କ ସଂଖ୍ୟା ବଢିବା ଉଦ୍ଦେଶ୍ୟରେ ଔଷଧ କମ୍ପାନାମାନେ ବଡ଼ ବଡ଼ ବିଶେଷଜ୍ଞଙ୍କ ସହାୟତାରେ (ଆନ୍ତର୍ଜାତୀୟ ସ୍ତରରେ) ବିଭିନ୍ନ ଦ୍ରୁତ ବ୍ୟାପୁଥିବା ରୋଗ ଯଥା ବହୁମୂଲ୍ୟ, ରକ୍ତଚାପ ଇତ୍ୟାଦିର ଘାତକସ୍ତର(ଯେମିତି ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ଵହୁମୂତ୍ର ୧୪୦ରୁ ଅଧିକ ହେଲେ ଔଷଧ ସେବନ ଜରୁରୀ, ଏହାକୁ ଯଦି ୧୩୦ କିମ୍ବା ୧୨୦)କୁ କମାଇ ଦିଆଯାଇ ପାରେ ଆଉ କେତେ କୋଟି ରୋଗୀ ଯୋଡ଼ି ହୋଇଯିବେ ଔଷଧ ବ୍ୟବହାରୀ ତାଲିକାରେ ! ଏଇ ହେଲା ଆନ୍ତର୍ଜାତୀକ ସ୍ତରର କାରସାଦୀ । ଏଭଳି ସଵୁ ଘଟଣାରେ ସମ୍ପୃକ୍ତ ଥାନ୍ତି ଡାକ୍ତର, ଫାର୍ମାସିଷ୍ଟ, ସ୍ବାସ୍ଥ୍ୟକର୍ମୀ, ଔଷଧ ଦୋକାନୀ, ହସ୍ପିଟାଲ ଦଲାଲ, ରାଜନେତା ତଥା ବହୁ ସଂଯୋଗକାରୀ, ୟେ ବ୍ୟାପାର ଏମିତି ଚାଲିଥାଏ ଯେ ତା’ର ଚେର ପାଇବା ଦୁରୁହ । ଯେତେ ମୂଲ୍ୟବାନ ଜିନିଷ,ସେତେ ଅଧିକ ମୁନାଫା ପ୍ରତିଶତ । ସୁନା, ରୂପା କାରବାରରେ ମୁନାଫାର ପରିମାଣ ବହୁ ଅଧିକ, ପ୍ରାୟ ଶୁଣାଯାଏ ଚୋରା କାରବାର  ସହିତ ସମ୍ପୃକ୍ତି ନରହିଲେ ସୁନାଗହଣା ବ୍ୟାପାରରେ ତିଷ୍ଠିବା କଷ୍ଟସାଧ୍ୟ ।ସେଥିରେ ୧୮ କ୍ୟାରେଟର ସୁନାକୁ ୨୨ କ୍ୟାରେଟ କହି, ଗଢାମଜୁରୀ ଅତ୍ୟଧିକ ମାତ୍ରାରେ ଲଗାଇ, ଆହୁରି ଅନେକ ପ୍ରକାର ବେଷୟିକ ଉପାୟରେ ଠକିବା ସୁନାଦୋକାନୀଙ୍କର ପୁରୁଣା ଅଭ୍ୟାସ, କଥାରେ ଅଛି “ଠକ ନଦେଖିଲେ ବଣିଆ ଦେଖ” । ପ୍ରାୟ ବର୍ଷେ ତଳେ ରାଜ୍ୟର ଜଣେ ବରିଷ୍ଠ ମନ୍ତ୍ରୀ କ୍ୟାରେଟ୍ ଠକେଇର ଏକ ଅଭିଯୋଗ ଆଣିଥିଲେ । ଅବଶ୍ୟ ଆଜିକାଲି ସଵୁଥି ପାଇଁ ମେସିନ ହୋଇଗଲାଣି, ମାତ୍ର ସୁନା ଦୋକାନରେ ଯେ କୋଉ ବାଟରେ ଠକେଇ ହୁଏ ଜାଣିବା ଏତେ ସହଜ ନୁହେଁ, କାରଣ ସୁନା ଦୋକାନରେ ଏତେ ଉନ୍ନତି ହୁଏ କେମିତି ? ହିନ୍ଦୁ ଧର୍ମରେ ଅଛି, ମୃତ୍ୟୁ ପରେ ସ୍ୱର୍ଗ ଅବା ନର୍କ ପ୍ରାପ୍ତି । ମାତ୍ର ପ୍ରକୃତରେ ସ୍ୱର୍ଗ, ନର୍କ ବୋଲି ସେମିତି କିଛି ନାହିଁ, ସ୍ୱର୍ଗ, ନର୍କ ସବୁ ଏଇଠି, ଏଇ ଧରାପୃଷ୍ଠରେ, ମନୁଷ୍ୟର ଜୀବଦ୍ଦଶାରେ ହଁ ସ୍ୱର୍ଗ, ନର୍କ ଭୋଗ ହୁଏ ଏଇ ମାଟିର ଧରଣୀରେ । କର୍ମକୁ ଚାହିଁ ଭଲ ଵା ମନ୍ଦ ଫଳ ମିଳିଥାଏ ଜୀବନକାଳରେ, ଉପରେ କୋଉଠି, ସେସବୁ ମନର କଳ୍ପନା ।ଏକଥା ଆମ ଶାସ୍ତ୍ରରେ ମଧ୍ୟ ଲିଖିତ,କର୍ମାନୁଯାୟୀ ଫଳ, କିନ୍ତୁ ଆମେ ତାକୁ ଅଣଦେଖା କରି ଚାଲୁଛେ । ଗୋଟିଏ ଉଦାହରଣ ଦେଉଛି, ବ୍ରିଟିଶ ଅମଳରେ ରଣପୁର ଗଡ଼ଜାତ ଅଞ୍ଚଳରେ ବେଜେଲ ଗେଟ ହତ୍ୟା ଏକ ପ୍ରମୁଖ ଘଟଣା, ବ୍ରିଟିଶ ଅତ୍ୟାଚାର ଅସହ୍ୟ ହେବାରୁ ଲୋକଙ୍କର ମିଳିତ ଆକ୍ରମଣରେ ଵେଜେଲ ଗେଟଙ୍କର ମୃତ୍ୟୁ ହେଲା । ମାତ୍ର ନିଜର ବ୍ୟକ୍ତିଗତ ରାଗ ସୁଝାଇବାକୁ ଯାଇ ଜନୈକ ତତ୍କାଳୀନ ପୋଲିସ ଅଫିସର ରଘୁ ଓ ଦିବାକର ନାମକ ଦୁଇଜଣ  ବିଦ୍ରୋହୀ(ସ୍ବାଧୀନତା ସଂଗ୍ରାମୀ)ଙ୍କର ନାମ ସୁପାରିଶ କରିଥିଲେ ହତ୍ୟାକାରୀ ଭାବରେ । ସେ ଦୁଇଜଣଙ୍କୁ ତ ଫାଶୀ ହେଲା, କାଳକାଳକୁ ସେମାନଙ୍କ ନାମ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ରହିଗଲା ଭାରତୀୟ ସ୍ବାଧୀନତା ଇତିହାସରେ । କିନ୍ତୁ ସେହି ପୋଲିସ ଅଫିସରଙ୍କର କ’ଣ ହେଲା ଜାଣନ୍ତି, ତାଙ୍କୁ ବଡରୋଗ(କୁଷ୍ଠ) ହୋଇଗଲା ଏବଂ ସିଏ ସେଇଥିରେ ପ୍ରାଣତ୍ୟାଗ କଲେ । କଲା କର୍ମର ଫଳ ପାଇଲେ ଜୀବଦ୍ଦଶାରେ, ଏଇ ପୂଥିବୀରେ ସମସ୍ତଙ୍କ ସମ୍ମୁଖରେ । ଆଉ ଗୋଟିଏ ଉଦାହରଣ କହୁଛି,ଜଣେ ବ୍ରାହ୍ମଣ ବ୍ୟକ୍ତି, ଜୀବନରେ କାହାକୁ କେବେ କିଛି ଦାନ କରିନଥିଲେ, ଏମିତିକି ପାଣି ମୁନ୍ଦିଏ କାହାକୁ କେବେ ଦେଇନଥିଲେ, ମୃତ୍ୟୁ ପରେ, ଯମପୁରରେ ଶୋଷ ଲାଗିବାରୁ ସେ ବ୍ରାହ୍ମଣ ପାଣି ମାଗିବାରୁ ମିଳି ନଥିଲା ସେଇ ହେତୁରୁ, କିନ୍ତୁ ତାଙ୍କ ପତ୍ନୀ କରିଥିବା ପୁଣ୍ୟକର୍ମ ହେତୁରୁ ତାଙ୍କୁ ସ୍ବର୍ଗପୁରରେ ସ୍ଥାନ ମିଳିଲା । ଏଇଭଳି ଅନେକ କଥା ଅଛି, ସେଥିପାଇଁ ଶ୍ରୀମଦ୍ଭାଗବଦରେ ଅଛି, “ଆପଣା କଲା କର୍ମମାନ, ଆଗୁ ହୋଇବ ସାବଧାନ”, “ଅଧର୍ମ ବିତ୍ତ ବଢେ ଵ଼ହୁତ, ଗଲାବେଳେ ଯାଏ ମୂଳ ସହିତ”,”ସ୍ୱରଗ ୟନ୍ହା, ନରକ ୟନ୍ହା, ଇସକେ ସିବା ଜାନା କାନ୍ହା” । ଭଲମନ୍ଦ ଯାହା କରିଥିବ ସବୁର ଭୋଗ ଏଇଠି ହେବ । ମାତ୍ର ଏଗୁଡା ସବୁ ଆଜି କାଲି ବୁଝୁଛି କିଏ, କାଳକ୍ରମେ ସମାଜରେ ଅନ୍ୟାୟ, ଅତ୍ୟାଚାର, ବ୍ୟଭିଚାର, ହତ୍ୟା, ଲୁଣ୍ଠନ, ରାହାଜାନୀ, ଡକାୟତି ବଢ଼ି ବଢ଼ି ଚାଲିଛି, ସେଥିପାଇଁ ବ୍ୟକ୍ତିଗତ ସ୍ତରରେ ନ ହେଲେ ମଧ୍ୟ ସାମୁହିକ ସ୍ତରରେ ଏଇ ପୂଥିବୀରେ ବେଳକୁ ବେଳ ବନ୍ୟା, ବାତ୍ୟା, ଦୁର୍ଭିକ୍ଷ, ମରୁଡି, ବଜ୍ରପାତ ଓ ମହାମାରୀର ପ୍ରକୋପ ବଢି ବଢି ଚାଲିଛି । ଫଳରେ ଗାଁ, ସହର, ପରିବେଶ, ପରିବାର ଏମିତିକି ସାମାଜିକ ଜୀବନକୁ ଅସ୍ତବ୍ୟସ୍ତ ବା ଖୀନଭିନ କରିଦେଉଛି । ଏସବୁ ଠିକଣା କର୍ମ ନ କରି ଅକର୍ମ ବା ପ୍ରକୃତ କର୍ମ ନ କରିବାର ଫଳ । ସେଥିପାଇଁ କୁହାଯାଇଛି, “ମନୁଷ୍ୟ ଜୀବନ ନୁହଁଇ କେବଳ ବର୍ଷ, ମାସ, ଦିନ, ଦଣ୍ଡ, କର୍ମେ ଯିଏ ନର, କର୍ମ ଏକା ତା’ର ଜୀବନର ମାନଦଣ୍ଡ ।”

ଲେଖକ : ଜୟନ୍ତ ପଟ୍ଟନାୟକ
୯୦୯୦୧ ୯୦୦୬୯