ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ବୈଠକ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସହର ତଳି ଓ ପାର୍ଶ୍ଵବର୍ତ୍ତୀ ପଞ୍ଚାୟତ ଅଞ୍ଚଳକୁ ବ୍ରହ୍ମପୁର ମହାନଗର ନିଗମରେ ସାମିଲ କରିବା ଦାବିରେ ସ୍ଥାନୀୟ ଲୋକ ପ୍ରତିନିଧି ତାହା ପ୍ରଶାସନ ଅବହେଳାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଦୀର୍ଘ ୧୧ ମାସ ଧରି ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିବା ଆନ୍ଦୋଳନକୁ ଅଧିକ କ୍ରିୟାଶୀଳ କରାଯିବାକୁ ସହର ତଳି ଓ ପାର୍ଶ୍ଵବର୍ତ୍ତୀ ପଞ୍ଚାୟତ ଅଞ୍ଚଳର ନଗରିକଙ୍କୁ ନେଇ ଗଠିତ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ବାରମ୍ବାର ଦାବି ସମ୍ପର୍କରେ ଜିଲ୍ଲା ପ୍ରଶାସନ, ବିଏମସି କର୍ତ୍ତୃପକ୍ଷ ଓ ସ୍ଥାନୀୟ ଲୋକ ପ୍ରତିନିଧିଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କେହି କୌଣସିପଦକ୍ଷେପ ନେଉନାହାନ୍ତି । ଏଣିକି ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ବାସଭବନ, ପ୍ରଶାସନିକ କାର୍ଯ୍ୟାଳୟ ଆଗରେ ଧାରଣା ଓ ବିକ୍ଷୋଭ କରାଯିବାକୁ କମିଟି ଚେତାବନୀ ଦେଇଛି । ଏ ନେଇ ଗତକାଲି ବ୍ରଜ ନଗର ରାଧାକୃଷ୍ଣ ମନ୍ଦିରରେ କମିଟିର ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା । ସାଙ୍ଗଠନିକ ସମ୍ପାଦକ ବିଜୟ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ବୈଠକରେ କମିଟି ସଭାପତି ସଞ୍ଜୀବ ପଟ୍ଟନାୟକ ଗତ ନଭେମ୍ବର ୨୫ରେ ହୋଇଥିବା ସର୍ବଦଳୀୟ ବୈଠକରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମିଳିଥିବା ସମର୍ଥନ ଓ ପରାମର୍ଶ ଉପରେ ଆଲୋକପାତ କରିଥିଲେ । ଜିଲ୍ଲାପାଳ ଦେଇଥିବା ପ୍ରତିଶ୍ରୁତି ମୁତାବକ କମିଟି ଦାବି ଉପରେ ନିଆଯାଇଥିବା ପଦକ୍ଷେପ ନେଇ ପୁଣି ଥରେ ଆସନ୍ତା ସପ୍ତାହରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରାଯିବାକୁ ନିଷ୍ପତି ନିଆଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା ଅଂଶ ଗ୍ରହଣ କରି କଂଗ୍ରେସ ଦଳ ଓ ବ୍ୟକ୍ତିଗତ ଭାବେ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇବା ସହ ୨୦୦୮ରୁ ସହର ତଳି ଅଞ୍ଚଳକୁ ମିଶାଇ ମହାନଗର ନିଗମ ଗଠନ କରାଯିବା ପ୍ରସ୍ତାବକୁ କାର୍ଯ୍ୟକାରୀ ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ହରିହର ନାୟକ, ବିଭି ସାଗର, କାହ୍ନୁ ଚରଣ ପତି, ଶ୍ରୀମନ୍ତ ପାଣିଗ୍ରାହୀ, ସୁବାସ ପାତ୍ର ଓ ଗରୀବ ଚନ୍ଦ୍ର ପାଣିଗ୍ରାହୀଙ୍କ ସମେତ ବ୍ରଜ ନଗର, ଶକ୍ତି ନଗର, ଶ୍ରୀ ନଗର, ଚୈତନ୍ୟ ନଗର, କାଳୁଆ ନଗର, ରାଜୀବ ନଗର, ଗୋବିନ୍ଦ ବିହାର, ବସନ୍ତ ବିହାର, ଆମରାବତୀ ନଗର, ଖାରବେଳ ନଗର, ବାପୁଜୀ ନଗର, ମେଡିକାଲ ବ୍ୟାଙ୍କ କଲୋନୀ ଓ ଭାବିନୀପୁର ଅଞ୍ଚଳର ନାଗରିକ ପ୍ରତିନିଧିମାନେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା