ଭୁବନେଶ୍ୱର(ସମୃଦ୍ଧଓଡିଶା) ଆଜି ଲୋକସେବା ଭବନସ୍ଥିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସମ୍ମିଳନୀ କକ୍ଷରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ଗୃହନିର୍ମାଣ ଓ ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଞ୍ଜନ ସିଂ, ଗୃହନିର୍ମାଣ ଓ ନଗର ଉନ୍ନୟନ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ସମେତ ବିଭିନ୍ନ ଜିଲ୍ଲା ତଥା ବିଭାଗୀୟ ପଦାଧିକାରୀବୃନ୍ଦ ଯୋଗଦେଇଥିଲେ ।ବୈଠକରେ ବିଭିନ୍ନ ଜିଲ୍ଲା ତଥା ମୁନିସିପାଲିଟିରୁ ଆସିଥିବା ବ୍ୟକ୍ତିବିଶେଷ ନିଜ ନିଜ ଅଞ୍ଚଳର ସମସ୍ୟା ଯଥା-ରାସ୍ତାଘାଟ, ଜଳଯୋଗାଣ ସମସ୍ୟା ବିଷୟରେ ମନ୍ତ୍ରୀମାନଙ୍କୁ ଜଣାଇଥିଲେ । ଏହିସବୁ ସମସ୍ୟାଗୁଡ଼ିକର ତ୍ୱରିତ ସମାଧାନ ପାଇଁ ବୈଠକରେ ନିଷ୍କର୍ଷ ବାହାର କରାଯାଇଥିଲା । ସଂପୃକ୍ତ ବିଭାଗୀୟ ଅଧିକାରୀ ଏ ବାବଦରେ କାର୍ଯ୍ୟର ଅଗ୍ରଗତି ନେଇ ତଥ୍ୟ ପ୍ରଦାନ କରି ଥିଲେ । ଏହି ତଥ୍ୟକୁ ଆଧାର କରି ସଂପୃକ୍ତ ବିଭାଗକୁ କାର୍ଯ୍ୟ ଶେଷ କରିବା ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଥିଲା । ଠିକ୍ ସମୟରେ କାର୍ଯ୍ୟ ସମାପ୍ତି ନ ଘଟିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଝାରସୁଗୁଡ଼ା ଓ ବ୍ରଜରାଜନଗର ସହରାଞ୍ଚଳର ସାମୂହିକ ବିକାଶ ସଂପର୍କରେ ଆଲୋଚନା କରାଯାଇ ଉଭୟ ସହରାଞ୍ଚଳରେ ଜିଲ୍ଲା ଖଣିଜ ପାଣ୍ଠିରୁ ଚାଲୁରହିଥିବା ପାନୀୟ ଜଳଯୋଗାଣ ପ୍ରକଳ୍ପ ବ୍ୟତୀତ ୨୪ ଘଣ୍ଟିଆ ଜଳଯୋଗାଣ ସୁନିଶ୍ଚିତ କରିବା ପାଇଁ ଡିଏମ୍ଏଫ୍ (ଜିଲ୍ଲା ଖଣିଜ ପାଣ୍ଠି) ବ୍ୟତୀତ ସରକାରଙ୍କଠାରୁ ଆବଶ୍ୟକ ଅର୍ଥ ମଞ୍ଜୁର କରିବା ନେଇ ପରାମର୍ଶ ଦିଆଯାଇଥିଲା । ଏହି କାର୍ଯ୍ୟ ଆଗାମୀ ନଭେମ୍ବର ୩୦ ତାରିଖ ସୁଦ୍ଧା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏଥିସହ ଉଭୟ ସହରରେ ବସ୍ତିବାସିନ୍ଦାମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀମାନଙ୍କୁ ଜାଗା ଯୋଗାଇଦେବା ପାଇଁ ରହିଥିବା ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ପାଇଁ ବିସ୍ତୃତ ଆଲୋଚନା ହୋଇଥିଲା । ସେହିପରି ସୁବର୍ଣ୍ଣପୁର ଜିଲ୍ଲାର ପ୍ରକଳ୍ପିତ ନୂତନ ବସ୍ଷ୍ଟାଣ୍ଡର ସଂପ୍ରସାରଣ ଓ ଉନ୍ନତିକରଣ କାର୍ଯ୍ୟ ଓବିସିସିଏଲ୍ ହାତକୁ ନେଇଥିବାବେଳେ ଏହି କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ବସ୍ ରହଣି ସୁବ୍ୟବସ୍ଥିତ କରିବା ଏବଂ ଆନୁଷଙ୍ଗିକ ବ୍ୟବସ୍ଥା ଦିଗରେ ମଧ୍ୟ ଆଲୋଚନା ହୋଇଥିଲା । ବିଭାଗ ପକ୍ଷରୁ ଏ ନେଇ ଖୁବ୍ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ବୈଠକରେ କୁହାଯାଇଛି ।
ରିପୋର୍ଟ : ରଜତ ମହାପାତ୍ର