ସାଇବରସୁରକ୍ଷା ରଥକୁ ସ୍ୱାଗତ ଓ ସଚେତନତା ଶିବିର

ବ୍ରହ୍ମପୁର (ସମୃଦ୍ଧ ଓଡିଶା)ବର୍ତ୍ତମାନ ଡିଜିଟାଲ ଯୁଗରେ ସାଇବର ଠକେଇ ସମାଜ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିଛି । ଜନତାର କଷ୍ଟ ଉପାର୍ଜିତ ସମ୍ପତ୍ତି ଓ ଅର୍ଥ ଉପରେ ଲୋଲୁପଦୃଷ୍ଟି ପକାଇଛନ୍ତି ସାଇବର ଠକ । ଟିକେ ସାମାନ୍ୟ ଅସାବଧାନତା ହେଲେ ସବୁକିଛି ଲୁଟ ହୋଇଯିବ ଅନଲାଇନ ମାଧ୍ୟମରେ । ଅତ୍ୟଧିକ ଲୋଭ, ମାଗଣାପାଇବା ଆଶା, ଭୟ ଯୋଗୁଁ ଆମେ ସାଇବର ଠକେଇର ଶିକାର ହେଉଛୁ । ତେଣୁ ଫୋନ୍ କରି ଲୋଭ କିମ୍ବା ଭୟ ଦେଖାଇ ଆଧାର ନମ୍ବର, ବ୍ୟାଙ୍କ୍ ପାସବୁକ ଖାତା ନମ୍ବର, ଏଟିଏମ ନମ୍ବର ମାଗିଲେ ଆମେ ଏଥ‌ିପ୍ରତି ସଚେତନ ରହିବା ଆବଶ୍ୟକ । ସବୁଠାରୁ ମୂଲ୍ୟବାନ କଥା ହେଲା ଓଟିପି ନମ୍ବର କାହାକୁ ଦେବା ନାହିଁ । ଏସମ୍ପର୍କରେ ଆମ ସମସ୍ତଙ୍କ ଧ୍ୟାନ ରହିବା ଉଚିତ୍ ବୋଲି କୁହାଯାଇଛି । ସାଇବର ଠକେଇକୁ ଲକ୍ଷ୍ୟକରି ଓଡ଼ିଶାପୁଲିସ ଜନତାଙ୍କ ଧନ ଓ ଜନ ସୁରକ୍ଷାକୁ ଗୁରୁତ୍ଵ ଦେଇ ଅକ୍ଟୋବର ମାସ ୨ ତାରିଖରୁ ସାଇବର ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏଥ‌ିନେଇ ସୁରକ୍ଷା ରଥ ରାଜ୍ୟସାରା ପରିକ୍ରମା କରି ଲୋକଙ୍କୁ ସଚେତନ କରୁଛି । ଏହି ପରିପ୍ରେକ୍ଷୀରେ ବୁଧବାର ବଡ଼ଗଡ଼ ଥାନା ପକ୍ଷରୁ ସ୍ଥାନୀୟ ଥାନା ନିକଟରେ ସାଇବରସୁରକ୍ଷା ରଥ ଓ ମାସ୍କଟ ‘ ସାଇରା ’ କୁ ସ୍ବାଗତ କରିବା ସହ ଉଦଘାଟନ କରାଯାଇଥିଲା । ପରେ ହାଡୁସରାବ ସଂଯୁକ୍ତ ହାଇସ୍କୁଲପଡ଼ିଆ ମିନି ଷ୍ଟାଡିୟମରେ ସାଇବରସୁରକ୍ଷା ପାଇଁ ସ୍ବେଚ୍ଛାସେବୀ ମାନଙ୍କୁ ନେଇ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଡ଼ିଓ ଭାବେ ଆଇ ଏ ଏସ ପ୍ରଶିକ୍ଷଣରତ ସମୀର ଜେନା, ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଆସିକା ଏସଡିପିଓ ଉମା ଶଙ୍କର ସିଂ, ସୋରଡ଼ା ଥାନା ଅଧିକାରୀ ଅନିଲ ପରିଡ଼ା, ସ୍ଥାନୀୟ ସ୍ନାତକକଲେଜ ଅଧ୍ୟକ୍ଷ ଜିତେନ୍ଦ୍ର ପରିଚ୍ଛା ଓ ୟୁନିଅନ ବ୍ୟାଙ୍କ ଆଫ ଇଣ୍ଡିଆର ଅଧିକାରୀ ଆଦି ଯୋଗଦେଇ ଲୋକଙ୍କୁ ସାଇବର ସଚେତନତା ସୃଷ୍ଟିର ବାର୍ତ୍ତା ଦେବା ସହ “ ଏମିତି ହେବନି ତ ” ପଥପ୍ରାନ୍ତ ନାଟକ ପରିବେଷଣ କରିବା ସହ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇଥିଲା । ଅନଲାଇନରେ ଠକେଇର ଶିକାର ହେଲେ ସଙ୍ଗେ ୧୯୩୦ ନମ୍ବରକୁ ଡାଏଲ କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ଓଡ଼ିଶା ତଥା ଗଞ୍ଜାମ ଜିଲ୍ଲାପୁଲିସର ଏଭଳି ସାଇବର ସଂକ୍ରାନ୍ତ ଜନସଚେତନତାକୁ ସାଧାରଣରେ ପ୍ରଶଂସା କରାଯାଇଛି । ଏହି କାର୍ଯ୍ୟକ୍ରମରେ ବଡ଼ଗଡ଼ ଥାନା ଅଧିକାରୀ ସନ୍ଧ୍ୟାରାଣୀ ସିଂ, ସାଥୀ ପୁଲିସ କର୍ମଚାରୀ ଏବଂ ପଦ୍ମପୁର ର ନୀଳମାଧବ ଫାଉଣ୍ଡେସନର ସଦସ୍ୟ ପରିଚାଳନା ସହଯୋଗ କରିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା