ସାକ୍ଷୀଗୋପାଳ: ଆଳିସ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୨୧ ବଖରା ଗୃହ ଓ ୬ ବାଇକ

ସାକ୍ଷୀଗୋପାଳ(ସମୃଦ୍ଧଓଡିଶା)ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଆଳିସ ପଞ୍ଚାୟତର ଆଳିଶ ଗ୍ରାମରେ ସୋମବାର ପ୍ରାୟ  ରାତି ୨ ଟା ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୨ ଟି ପରିବାରର ୨୦ ବଖରା ଘର ସମେତ ସମସ୍ତ  ଆସବାବପତ୍ର  ଭଶ୍ମୀଭୂତ  ହୋଇଯାଇଛି । ନିଆଁ ଲିଭାଇବା ସମୟରେ  ଗୁଣନିଧି ଵିଶ୍ଵାଳ  ଆହତ ହୋଇଛନ୍ତି। 6 ଟି ଵାଇକ, 15 ଟି ସାଇକେଲ ସମେତ ଧାନ, ଚାଉଳ ଖାଦ୍ୟଶସ୍ୟ ସହିତ ଆସବାବପତ୍ର ପୋଡ଼ି ଯାଇଅଛି । ୪ ଟି ଗାଈ ଆହତ ହୋଇଛନ୍ତି। ପରିଶ୍ରା କରିବାକୁ ସେହି ସମୟରେ ଉଠିଥିବା ଜଣେ ମହିଳା ନିଆଁ ଲାଗିଥିବା ଦେଖି ଡାକ ପକାଇଥିଲେ  । ଗ୍ରାମବାସୀ ମାନେ ଉଠିବା ବେଳକୁ ଅର୍ଦ୍ଧାଧିକ ଘରେ  ନିଆଁ ଜଳୁଥିଲା।  ନିଆଁ ଲିଭାଇବା କିମ୍ବା  ଘର ମଧ୍ୟରୁ ଆସବାବପତ୍ର ବାହାର କରିବା ସମ୍ଭବ ହୋଇନଥିଲା। ଖବରପାଇ ସତ୍ୟବାଦୀ ଅଗ୍ନିଶମ ଅଧିକାରୀ ମନୋଜ ପାତ୍ର ସଦଳବଳେ  ଦୁଇଟି ଦମକଳ ସହିତ ଘଟଣା ସ୍ଥଳରେ  ପହଞ୍ଚି ନିଆଁକୁ ଆୟତ୍ତ  କରିଥିଲେ। ମାତ୍ର ଏହି  ଅଗ୍ନିକାଣ୍ଡ ରେ ଅଧିକ ସଂଖ୍ୟାରେ ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି ବୋଲି ଜିଲ୍ଲା ପରିଷଦ ସଭ୍ୟ ନାରାୟଣ  ରାଉତ , ଆଳିସ ସରପଞ୍ଚ ସୁରଥ ଚନ୍ଦ୍ର ସେଠୀ,ଆଳିଶ  ସମିତି ସଭ୍ୟ କପିଳ ସ୍ବାଇଁ ପ୍ରମୁଖ କହିଛନ୍ତି। ସେମାନଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଦାବି କରାଯାଇଛି। ଅଗ୍ନିକାଣ୍ଡ ରେ ଗୁଣନିଧି ଵିଶ୍ଵାଳ, ଚନ୍ଦ୍ରମଣି ସାହୁ, କଂଗ୍ରେସ ଵିଶ୍ଵାଳ, ମହେନ୍ଦ୍ର ବେହେରା, ବୁଲି ବେହେରା, ଅଲି ବେହେରା, ପଠାଣି ଵେ‌ହେରା, ସତ୍ୟଭାମା ବିଶ୍ବାଳ, ଅମିନ ବେହେରା, ପ୍ରସନ୍ନ ସାହୁ ଓ ଚନ୍ଦ୍ରମଣି ସାହୁ ଙ୍କ ଘର ପୋଡିଯାଇଥିବା ଖବର ମିଳିଛି। ପଞ୍ଚାୟତ ତରଫରୁ ବିପନ୍ନ ପରିବାର ମାନଙ୍କୁ ରନ୍ଧା ଖାଦ୍ୟ ପ୍ରଦାନର ବ୍ୟବସ୍ଥା କରାଯାଇଅଛି ବୋଲି ସରପଞ୍ଚ  ସୁରଥ ଚନ୍ଦ୍ର ସେଠୀଙ୍କ ସୂତ୍ରରୁ ଜଣା ପଡିଛି।

ରିପୋର୍ଟ : ରଜତ ମହାପାତ୍ର