ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ପୋଲିସ ପକ୍ଷରୁ ଜୋରଦାର ପ୍ରସ୍ତୁତି କରିଚାଲିଛନ୍ତି । ଗତକାଲି ଓଡିଶା ପୋଲିସ ମହାନିର୍ଦ୍ଦେଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ବ୍ରହ୍ମପୁର ଗସ୍ତ କରିଥିଲେ ।ଏହାପରେ ନିର୍ବାଚନୀ ପ୍ରସ୍ତୁତି ନେଇ ସମୀକ୍ଷା କରିଥିଲେ । ଏହି ଅବସରରେ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଥିବା ବିଭିନ୍ନ ଥାନା ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଥିଲା । ଏହାସହ ବ୍ରହ୍ମପୁର ଟାଉନଥାନା ପକ୍ଷରୁ ସହରର ବିଭିନ୍ନ ଛକ ଓ ମୁଖ୍ୟ ରାସ୍ତାରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଏହି ଫ୍ଲାଗ ମାର୍ଚ୍ଚ କାର୍ଯ୍ୟକ୍ରମ ଟାଉନ ଏସ୍ଡ଼ିପିଓ ବିଷ୍ଣୁପ୍ରସାଦ ପତିଙ୍କ ତତ୍ତ୍ୱାବଧାନରେ ଥାନା ଅଧିକାରୀ ସନ୍ତୋଷିନୀ ଓରାମଙ୍କ ନେତୃତ୍ୱରେ ଅନୁଷ୍ଠିତ କରାଯାଇଥିଲା । ସେହିପରି ବଡବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତିଙ୍କ ନେତୃତ୍ୱରେ ଆସିକା ରୋଡ଼ ସମେତ ବିଭିନ୍ନ ଛକରେ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଏହାସହ ସଦର ଏସ୍ଡ଼ିପିଓ ଜୟନ୍ତ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ସଦର ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନଙ୍କ ନେତୃତ୍ୱରେ ଆଙ୍କୁଶପୁର ଅଞ୍ଚଳରେ, ଗୋଳନ୍ଥରା ଥାନା ଅଧିକାରୀ ବସନ୍ତ ସେଠିଙ୍କ ନେତୃତ୍ୱରେ କୋଠାରସିଂ ପଞ୍ଚାୟତ ଅନ୍ତର୍ଗତ ବାଲିଗଡ ଗ୍ରାମରେ ଓ ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ମହନ୍ତଙ୍କ ନେତୃତ୍ୱରେ କନାର ସାହି, ସମୁଦ୍ରକୂଳ ଅଞ୍ଚଳ, ରେଭ ସାହି, ବଡ଼ ସାହି ଅଞ୍ଚଳରେ ପୋଲିସ କର୍ମଚାରୀଙ୍କ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି । ନିର୍ବାଚନକୁ ଶାନ୍ତି ଶୃଙ୍ଖଳର ସହ କରିବା ନିମନ୍ତେ ପୋଲିସ ଥାନା ପକ୍ଷରୁ ନିଜ ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ ସହ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା