ଛତ୍ରପୁର (ସମୃଦ୍ଧ ଓଡିଶା) ସାଧାରଣ ନିର୍ଵାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଗଞ୍ଜାମ ଜିଲ୍ଲାରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ମତଦାନ ପ୍ରତିଶତ ବୃଦ୍ଧି କରିବା ନିମନ୍ତେ ପ୍ରତ୍ୟେକ ବୁଥ୍ ରେ ଚୂଡାନ୍ତ ପାଠଶାଳାର ଆୟୋଜନ କରାଯିବ । ଏହି କାର୍ଯ୍ୟକ୍ରମରେ ଭୋଟରମାନଙ୍କୁ ସଚେତନ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କବିନ୍ଦ୍ର କୁମାର ସାହୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପ୍ରଶାସନ ପକ୍ଷରୁ ନିର୍ବାଚନ ପ୍ରସ୍ତୁତି ସଂପର୍କିତ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ଅଧ୍ୟକ୍ଷତା କରି ଚଳିତ ବର୍ଷ ନିର୍ବାଚନରେ ମତଦାନ ଶତକଡା ହାର ବୃଦ୍ଧି କରିବା ପାଇଁ ଜିଲ୍ଲାର ପ୍ରତ୍ୟେକ ବୁଥ୍ରେ ଚୁନାଓ ପାଠଶାଳାର ଆୟୋଜନ କରାଯିବ । ଏଥିରେ ବୁଥ୍ ଅଫିସର, ଅଙ୍ଗନବାଡି କର୍ମୀ, ସେହି ଅଞ୍ଚଳର ବରିଷ୍ଠ ନାଗରିକ ଓ ଅଧାରୁ ପାଠ ଛାଡିଥିବା ଯୁବଗୋଷ୍ଠୀମାନଙ୍କୁ ସାମିଲ କରି ସଚେତନ କରାଯିବ । ଆସନ୍ତା ଫେବୃୟାରୀ ଏକ ମାସ ଧରି ଏହି କାର୍ଯ୍ୟକ୍ରମ ଜିଲ୍ଲାରେ ଚାଲୁ ରହିବ ବୋଲି ଅତିରିକ୍ତ ଜିଲ୍ଲାପାଳ ସାହୁ କହିଛନ୍ତି । ସେହିପରି ଆଜି ଠାରୁ ଦୁଇଦିନ ଧରି ଜିଲ୍ଲାର ୩୧୧ ଜଣ ସେକ୍ଟର ଅଫିସରମାନଙ୍କୁ ନିର୍ବାଚନ ସଂପର୍କୀୟ ତାଲିମ ପ୍ରଦାନ କରାଯିବ । ଏହି ବାବଦରେ ଛତ୍ରପୁର ସ୍ଥିତ ଡିଆରଡିଏ ସମ୍ମିଳନୀ କକ୍ଷ, ଜିଲ୍ଲା ସର୍ବଶିକ୍ଷା ଅଭିଯାନ ସମ୍ମିଳନୀ କକ୍ଷ ଏବଂ ପୁରୁଣା ଜିଲ୍ଲାପାଳଙ୍କ କୋଠାରେ ପ୍ରମୁଖ ୩ଟି ସ୍ଥାନରେ ତାଲିମ କେନ୍ଦ୍ରର ଆୟୋଜନ ହୋଇଛି । ଏହି ସେକ୍ଟର ଅଫିସରମାନେ ପ୍ରାୟ ୧୦ ରୁ ୧୨ ବୁଥ୍ ରେ ନିର୍ବାଚନ ସଂପର୍କିତ ରୁଟ୍ ପ୍ଲାନ୍ ପ୍ରସ୍ତୁତ କରିବେ । ନିର୍ବାଚନ ତାରିଖର ଏକ ସପ୍ତାହ ପୂର୍ବରୁ ଏହି ସେକ୍ଟର ଅଫିସରମାନଙ୍କୁ ମାଜିଷ୍ଟ୍ରେଟ କ୍ଷମତା ପ୍ରଦାନ କରାଯିବ । ଆସନ୍ତା ଫେବୃୟାରୀ ପ୍ରଥମ ସପ୍ତାହରୁ ୨୪ ହଜାର ପୋଲିଂ ଅଫିସରମାନଙ୍କୁ ତାଲିମ ଦିଆଯିବ । ପୁରୁଷ ପୋଲିଂ ଅଫିସରମାନେ ନିଜ ନିର୍ବାଚନମଣ୍ଡଳୀର ବୁଥ୍ରେ ନିୟୋଜିତ ରହି ପାରିବେ ନାହିଁ । ମହିଳା ପୋଲିଂ ଅଫିସରମାନେ ନିଜ ନିର୍ବାଚନମଣ୍ଡଳୀର ନିଜ ବୁଥ୍ ଛଡା ଅନ୍ୟ ବୁଥ୍ ଗୁଡିକରେ ନିୟୋଜିତ ହୋଇପାରିବେ । ସେହିପରି ଇଛୁକ ଦିବ୍ୟାଙ୍ଗ ପୋଲିଂ ଅଫିସରମାନେ ଭୋଟଦାନ ପରିଚାଳନାରେ ନିୟୋଜିତ ହୋଇପାରିବେ । ଏଭଳି କେତେକ ଦିବ୍ୟାଙ୍ଗ ପୋଲିଂ ଅଫିସରମାନଙ୍କୁ ବ୍ରହ୍ମପୁର ଓ ଛତ୍ରପୁର ସହରରେ ନିୟୋଜିତ କରିବାର କାର୍ଯ୍ୟକ୍ରମ ରହିଛି । ଜିଲ୍ଲାର ଚୂଡାନ୍ତ ଭୋଟର ତାଲିକା ପ୍ରତ୍ୟେକ ବୁଥ୍ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପ୍ରକାଶ ପାଇଛି । ତାଲିକାରେ କୌଣସି ଆପତ୍ତି ଓ ଅଭିଯୋଗ ରହିଛି ତେବେ ବ୍ୟକ୍ତିଗତ ଭାବେ ବୁଥସ୍ତରରେ ଅଭିଯୋଗ କରିପାରିବେ । ନିର୍ବାଚନ ପ୍ରାର୍ଥୀ ପତ୍ର ଦାଖଲର ୪୮ ଘଣ୍ଟା ପୂର୍ବରୁ ଉପଜିଲ୍ଲାପାଳଙ୍କ ଠାରେ ଭୋଟର ତାଲିକା ନାମ ପଞ୍ଜିକରଣ କରାଯାଇପାରିବ । ପ୍ରାର୍ଥୀପତ୍ର ଦାଖଲ ଠାରୁ ଭୋଟ ଗଣତି ପର୍ଯ୍ୟନ୍ତ କୌଣସି ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ହୋଇପାରିବ ନାହିଁ । ପ୍ରାର୍ଥୀ ପତ୍ର ତାଲିକା ସର୍ବସାଧାରଣଙ୍କୁ ଅବଗତ ନିମନ୍ତେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜଣେ ଅଧିକାରୀ ନିୟୋଜିତ ରହିବେ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆସିଷ୍ଟାଣ୍ଟ କଲେକ୍ଟର ଲିଲନ ପ୍ରସାଦ ସାହୁ ଓ କ୍ଷୀତିସ୍ ବେହେରା ଯୋଗ ଦେଇଥିଲେ । ଶେଷରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବିରଞ୍ଚି ନାରାୟଣ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା