





ଦିଗପହଣ୍ଡି (ସମୃଦ୍ଧ ଓଡିଶା) ସାନଖେମୁଣ୍ଡି ବ୍ଳକ ଅନ୍ତର୍ଗତ ଜିଉରା ପଞ୍ଚାୟତର ସାମନ୍ତରାୟପୁର ଠାରେ ରବିବାର ନବ ନିର୍ବାଚିତ କଂଗ୍ରେସ ପ୍ରାର୍ଥୀ ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କୁ ସ୍ୱାଗତ ଜଣାଇବା ପାଇଁ ଏକ ବିଶାଳ ସମ୍ବର୍ଦ୍ଧନା ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୫୯ ନଂ ଜୋନ କ°ଗେସ ସଭାପତି ବାବୁଲା ଦୋରାଙ୍କ ସଭାପତିତ୍ତ୍ୱରେ ଆୟୋଜିତ ସମ୍ବର୍ଦ୍ଧିନା ଉତ୍ସବରେ ଦଶହଜାରରୁ ଉର୍ଦ୍ଧ୍ଵ କଂଗ୍ରେସ ସମର୍ଥକ ଯୋଗ ଦେଇ ଥିଲେ । ସାଧାରଣ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇ ଥିବା ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କୁ ପାଟପୁର ଗାନ୍ଧୀ ଛକ ଠାରୁ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ସଭାମଞ୍ଚକୁ ପାଛୋଟି ନିଆଯାଇଥିଲା । ସେଠାରେ ବହୁ କଂଗ୍ରେସ କର୍ମୀମାନେ ଉପସ୍ଥିତ ରହି ବିଧାୟକ ଜେନାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ବିଧାୟକ ଜେନା ନିଜ ଅଭିଭାଷଣରେ ଖୁସି ଜାହିର କରିବା ସହ ସାନଖେମୁଣ୍ଡି ଲୋକମାନଙ୍କ ଭଲ ପାଇବା ମୋତେ ମୋ ସଫଳତାର ଶୀର୍ଷରେ ପହଞ୍ଚାଇପାରିଛି ବୋଲି କହିଥିଲେ ଏବଂ ସାନଖେମୁଣ୍ଡି ଅଞ୍ଚଳର ବିକାଶ ପାଇଁ ସଂଗ୍ରାମ କରିବି ବୋଲି ପ୍ରତିଶୃତି ଦେଇଥିଲେ । ପ୍ରତ୍ୟେକ ଗ୍ରାମକୁ ବୁଲିବୁଲି ଲୋକମାନଙ୍କ ପାଖରେ ରହିଥିବା ସମସ୍ୟାକୁ ଅନୁଧ୍ୟାନ କରି ସଠିକ ରୂପେ ସମାଧାନ କରିବା ପାଇଁ ନିଷ୍ପତି ନେଇଥିଲେ । ସେ କହିଥିଲେ ଯେ, ୨୦୧୯ ନିର୍ବାଚନରେ ସାନଖେମୁଣ୍ଡି ବାସୀ ଏକତ୍ରିତ ହୋଇ ମୋତେ ଭୋଟ ଦେଇ ବିଜୟୀର ମୁକୁଟ ପିନ୍ଧାଇ ଥିବାରୁ ମୁଁ ସେମାନଙ୍କ ନିକଟରେ ଚିର ଋଣି ହୋଇ ରହିବି । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀ ଚରଣ ପାତ୍ର, ଜୟରାମ ଦୋରା, ନୀଳାଞ୍ଚଳ ପଣ୍ଡା, ମକୁନ୍ଦି ବରାଡ, ଅଲେଖ ନାୟକ, ରଘୁନାଥ ସାହୁ, ବାଲ୍ମୀକି ପ୍ରଧାନ, ଉମାଶଙ୍କର ପାଢ଼ୀ, ନିରାକାର ପ୍ରଧାନ, ପ୍ରତାପ ପ୍ରଧାନ, ସାଇ ପ୍ରସାଦ ସୁଶାନ୍ତ ସ୍ୱାଇଁ, ଜୟରାମ ଦୋରା, ବାଉରୀ ବନ୍ଧୁ ପ୍ରଧାନ, ଚିନ୍ମୟ ହୋତା, ନଗେନ୍ଦ୍ର ରଥ ପ୍ରମୁଖ ଉପସ୍ଥିତ ଥିବା ବେଳେ ବହୁ ସରପଞ୍ଚ, ସମିତି ସଭ୍ୟ, କଂଗ୍ରେସ ଜୋନ ସଭାପତି ଓ କର୍ମୀମାନେ ସଭାକାର୍ଯ୍ୟରେ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଳା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା






