ଭୁବନେଶ୍ୱର (ସମୃଦ୍ଧ ଓଡିଶା) ସାପୋରଜି ପାଲୋଞ୍ଜି ଗ୍ରୁପ ପକ୍ଷରୁ ଫନି ପ୍ରଭାବିତ ଅଞ୍ଚଳ ପାଇଁ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୧ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ଗୋପାଳପୁର ପୋର୍ଟର ନିର୍ଦ୍ଦେଶକ ଓ ସିଇଓ ସନ୍ଦୀପ ଅଗ୍ରୱାଲ ଓ ସାପୋରଜି ପାଲୋଞ୍ଜି ପୋର୍ଟର ଏଭିପି ଜଗଦ୍ଦିଶ ଚନ୍ଦ୍ର ରାଉତ ଇଲେକ୍ଟ୍ରୋନିକସ ଟ୍ରାନ୍ସଫର କାଗଜପତ୍ରକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହସ୍ତାନ୍ତର କରିଛନ୍ତି । ପୂର୍ବରୁ, ସାପୋରଜି ପାଲୋଞ୍ଜି ପୋର୍ଟ ପକ୍ଷରୁ ପୁରୀ ମେଡିକାଲ ହସ୍ପିଟାଲକୁ ଦୈନିକ ୧୦୦୦/ନିୟୁତ ଲିଟର ଦୈନିକ ଆକ୍ଵାଗାର୍ଡ଼ ଆରଓ ଜଳ ବିଶୋଧକ ବ୍ୟବସ୍ଥା ଦାନ କରାଯାଇଥିଲା । ଫନି ବାତ୍ୟା ପରେ ପୁରୀ ଜିଲ୍ଲାରେ ସମ୍ଭାବ୍ୟ ଝାଡ଼ାବାନ୍ତି ବ୍ୟାପିବାର ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନ ଓ ହସ୍ପିଟାଲ ବେଶ ଚିନ୍ତିତ ଥିଲେ । ଏହି ଜଳ ବିଶୋଧକ ବ୍ୟବସ୍ଥା ଡାକ୍ତର, ରୋଗୀ, ହସ୍ପିଟାଲ ଷ୍ଟାଫ ଓ ପରିଦର୍ଶକମାନଙ୍କୁ ବିଶୁଦ୍ଧ ଓ ସ୍ୱଚ୍ଛ ପାନୀୟଜଳ ପ୍ରଦାନ କରିଛି । ଏହି ଜଳ ବିଶୋଧନ ବ୍ୟବସ୍ଥାକୁ ସାପୋରଜି ପାଲୋଞ୍ଜି ଗ୍ରୁପ ୫ ବର୍ଷ ପର୍ଯ୍ୟନ୍ତ ପରିଚାଳନା କରିବ ଓ ଏହାପରେ ତାହାକୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ଦିଆଯାଇଛି । ବାତ୍ୟା ଫନି ଯୋଗୁ ବ୍ୟାପକ କ୍ଷୟକ୍ଷତି ହେବା ପରେ ତତକ୍ଷଣାତ ଏସପି ଗ୍ରୁପ ତରଫରୁ ୨୦୧୯ମେ’ ୨୮ରୁ ମେ’ ୩୦ ପର୍ଯ୍ୟନ୍ତ ତିନି ଦିନ ରିଲିଫ୍ କ୍ୟାମ୍ପ୍ ଆୟୋଜନ କରାଯାଇଥିଲା ଯେଉଁଠାରେ ପୁରୀ ଜିଲ୍ଲାର ପ୍ରଭାବିତ ପରିବାରକୁ ରିଲିଫ୍ ସାମଗ୍ରୀ ବିତରଣ କରାଯାଇଥିଲା । ଏହାବ୍ୟତୀତ, ଏସପି ଗ୍ରୁପ୍ ପ୍ରତିନିଧିମାନେ ପୁରୀ ଜିଲ୍ଲାର ପୁରୀ ସଦର ବ୍ଲକର ଅନେକ ପ୍ରଭାବିତ ଗ୍ରାମକୁ ପରିଦର୍ଶନ କରିଥିଲେ ଏବଂ ଟାରପଲିନ୍ ଓ ରହଣୀ ପାଇଁ ଦଉଡ଼ି, ପ୍ଲେଟ୍ ଓ ଟମ୍ବଲର୍, ଶୋଇବା ମଶିଣା, ବାଲଟି ଓ ମଗ, ଶୌଚାଳୟରେ ବ୍ୟବହାର କରାଯାଉଥିବା ସାମଗ୍ରୀ ଯଥା ସାବୁନ, ତଉଲିଆ, ଟୁଥବ୍ରସ, ଟୁଥପେଷ୍ଟ ଓ ମଶା କଏଲ ଆଦି ଥିବା ଜୀବନଜୀବିକା କିଟ୍ ବିତରଣ କରାଯାଇଥିଲା । ମହିଳାମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେହି କିଟ୍ରେ ସାନିଟାରି ନାପ୍କିନ୍ ରଖାଯାଇଥିଲା । ଭୂତଳ ଜଳ ପ୍ରଦୂଷିତ ହୋଇଥିବା ଏବଂ ବ୍ୟବହାର ଅନୁପଯୁକ୍ତ ହୋଇଥିବା ଆଶଙ୍କା କରି ପ୍ରଭାବିତ ପରିବାରଗୁଡ଼ିକୁ କ୍ଲେରିନ୍ ବଟିକା ବଣ୍ଟନ କରାଯାଇଥିଲା ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା