ସାମୁଦ୍ରିକ ଝଡ ଫନିକୁ ମୁକାବିଲା କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ବୈଠକ:୨ରୁ ସ୍ଥାନାନ୍ତର…

ଛତ୍ରପୁର (ସମୃଦ୍ଧ ଓଡିଶା) ମାଡିଆସୁଛି ସାମୁଦ୍ରିକ ଝଡ ଫନି । ଯାହାକୁ ନେଇ ପ୍ରଶାସନର ଏହି ଝଡକୁ ସାମନା କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହାକୁ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମେ ୩ରେ ସାମୁଦ୍ରିକ ବାତ୍ୟା ଫନିର ମୁକାବିଲା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଉପରେ ସଜାଗ ରହିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି । କୌଣସି ଜୀବନହାନୀ ନ ହେବାକୁ ସର୍ବାଧିକ ଗୁରୁତ୍ୱ ଆରୋପ କରାଯାଇଛି । ୨ ତାରିଖ ପୁର୍ବାହ୍ନରୁ ସମ୍ବେଦନଶୀଳ ଅଂଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି । ସମୁଦ୍ର କୁଳିଆ ଅଞ୍ଚଳ ଏବଂ ତିତିଲି ବନ୍ୟାରେ ପ୍ରଭାବିତ ହୋଇଥିବା ଅଞ୍ଚଳରୁ ଲୋକମାନଙ୍କୁ ପକ୍କା ଏବଂ ନିରାପଦ ଘରକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିପଦପୂର୍ଣ୍ଣ ସ୍ଥାନରୁ ଅମଙ୍ଗ ହେଉଥିବା ଲୋକଙ୍କୁ ବଳପୂର୍ବକ ସ୍ଥାନାନ୍ତର କରାଯିବ । ବାତ୍ୟା ଆଶ୍ରୟ ସ୍ଥଳ, ସ୍କୁଲ, ଅନ୍ୟାନ୍ୟ ସରକାରୀ ଘର, ବେସରକାରୀ ବ୍ୟକ୍ତିଙ୍କ ଘର ଏବଂ ଅନୁମତି ପ୍ରକାରେ ବିଭିନ୍ନ ଦେବାଳୟର ଘର ମଧ୍ୟ ଆଶ୍ରୟ ସ୍ଥଳ ଭାବେ ବ୍ୟବହୃତ ହେବ । ପ୍ରତ୍ୟେକ ଆଶ୍ରୟ ସ୍ଥଳରେ ଆଲୋକ, ପାନୀୟଜଳ ବ୍ୟବସ୍ଥା ସହ ଯଥେଷ୍ଟ ପରିମାଣରେ ରନ୍ଧା ଖାଦ୍ୟ ପାଇଁ ସାମଗ୍ରୀ ମହଜୁଦ ରଖାଯିବ । ପ୍ରତ୍ୟେକ କର୍ମଚାରୀ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ । ବ୍ଲକ ଉନ୍ନୟନ ଅଧିକାରୀମାନେ ସେମାନଙ୍କର ସମସ୍ତ କର୍ମଚାରୀ କାର୍ଯ୍ୟାଳୟରେ ଉପସ୍ଥିତ ଅଛନ୍ତି ବୋଲି ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ସ୍ଥାନାନ୍ତର ପାଇଁ ପ୍ରତ୍ୟେକ ବ୍ଲକରେ ୫ ଗୋଟି ଲେଖାଏଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ବ୍ଲକ ସ୍ତରରେ ଶୁଖିଲା ଖାଦ୍ୟ ପୁଡିଆ ଯଥେଷ୍ଟ ପରିମାଣରେ ମହଜୁଦ ରଖାଯିବ । ତୁମ୍ବାର ପର୍ବତ ଉପରେ ଥିବା ଲୋକମାନଙ୍କୁ ପର୍ବତର ନିମ୍ନ ଭାଗକୁ ଆଣିବା ପାଇଁ ପାତ୍ରପୁର ବିଡ଼ିଓଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ସ୍ତରରେ ଏବଂ ବ୍ଲକ ସ୍ତରରେ ଜରୂରୀଇ ନିୟନ୍ତ୍ରଣ କକ୍ଷ ଅହୋରାତ୍ର କାର୍ଯ୍ୟ କରିବ । ସମସ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରରୁ ଫେରି ଆସିଵା ପାଇଁ କୁହାଯାଇଛି । ଗୋପାଳପୁର ବନ୍ଦରରେ ପ୍ରଶାସନର ବିନା ଅନୁମତିରେ କୌଣସି ବାହାର ରାଜ୍ୟର ଟ୍ରଲର ନ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମ୍ଭାବ୍ୟ ଆସନ୍ନ ପ୍ରସବା ମାଆ ମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୧ ତାରିଖ ସୁଦ୍ଧା ସ୍ଥାନାନ୍ତର କରିବା ପାଇଁ କୁହାଯାଇଛି । ଅଦ୍ୟାବଧି ୩୫୫ ଜଣଙ୍କୁ ଏ ପ୍ରକାର ଚିହ୍ନଟ କରାଯାଇଛି । ଯେଉଁ ସବୁ କର୍ମଚାରୀ ମୁଖ୍ୟାଳୟରେ ଉପସ୍ଥିତ ନ ରହିବେ ସେମାନଙ୍କ ବିରୁଦ୍ଧରେ ଓଡିଶା ରିଲିଫ କୋଡ଼ ଧାରା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ବିଡ଼ିଓମାନେ ସେମାନଙ୍କର ଆବଶ୍ୟକ ପରିମାଣର ଗାଡି ତାଲିକା ଦେବା ପାଇଁ କୁହାଯାଇଛି । ଆଞ୍ଚଳିକ ପରିବହନ ଅଧିକାରୀ ତୁରନ୍ତ ଏହାକୁ ଅଧିଗ୍ରହଣ କରିବାକୁ କୁହାଯାଇଛି । ପୁର୍ତ୍ତ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଆବଶ୍ୟକ ପରିମାଣର ଜେସିବି ଓ ଟ୍ରାକ୍ଟର ସେମାନଙ୍କ ନିକଟରେ ମହଜୁଦ ରଖିବେ । ଜିଲ୍ଲାରେ ଜମିରେ ଥିବା ବିଭିନ୍ନ ପ୍ରକାର ଫସଲର ଆକଳନ ତଥ୍ୟ ଆସନ୍ତାକାଲି ସନ୍ଧ୍ୟାସୁଦ୍ଧା ଜିଲ୍ଲାପାଳଙ୍କୁ ପ୍ରଦାନ କରିବା ପାଇଁ କୃଷି ବିଭାଗ ଓ ଉଦ୍ୟାନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଓ ଲକ୍ଷ୍ମୀକାନ୍ତ ସେଠି, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସବ୍ୟସାଚି ହୋତା ଓ ଅନ୍ୟାନ୍ୟ ବିଭାଗିୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା